୫ ଲକ୍ଷ ଭାରତୀୟଙ୍କୁ ବିଡେନ୍ ଦେବେ ନାଗରିକତା ?

ୱାଂଶିଟନ: ଆମେରିକାର ଆରମ୍ଭ ହେବାକୁ ଯାଉଛି ବିଡେନ୍ ଯୁଗ । ଟ୍ରମ୍ପ ଶାସନର ଅବସାନ ସହିତ ବିଡେନଙ୍କ ଶପଥ ଗ୍ରହଣକୁ ଅନାଇ ବସିଛନ୍ତି ଆମେରିକାରେ ରହୁଥିବା ବିଦେଶୀ । ସେମାନଙ୍କ ଆଶା ଯେ, ଟ୍ରମ୍ପଙ୍କ ଅମଳରେ ବିଦେଶୀଙ୍କୁ ନାଗରିକତା ଦେବାରେ ଯେଉଁଭଳି କଠୋନ ନିୟମ ଥିଲା ତାକୁ ବିଡେନ୍ ଅଲବିଦା କହିବେ । ଆଶା କରାଯାଉଛି ଯେ, ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବିଡେନ୍ ପ୍ରଥମେ ଇମିଗ୍ରେସନ୍ ବିଲକୁ ମଞ୍ଜୁରୀ ଦେବେ । ଇମିଗ୍ରେସନ୍ ବିଲକୁ ରାଷ୍ଚ୍ରପତିଙ୍କ ମଞ୍ଜୁରୀ ମିଳିବା ଦ୍ୱାରା ଆମେରିକାରେ ରହୁଥିବା ୧ କୋଟି ୧୦ ଲକ୍ଷ ବିଦେଶୀଙ୍କ ପକ୍ଷରେ ଆମେରିକୀୟ ନାଗରିକତା ପାଇବା ସହଜ ହୋଇଯିବ । ଏହି ୧ କୋଟି ୧୦ ଲକ୍ଷ ବିଦେଶୀଙ୍କ ମଧ୍ୟରେ ରହିଛନ୍ତି ୫ ଲକ୍ଷ ଭାରତୀୟ ।

ଟ୍ରମ୍ପଙ୍କଠାରୁ ଅଲଗା ବିଡେନ୍

ଜୋ’ ବିଡେନଙ୍କ ଏହି ନୀତି ଟ୍ରମ୍ପ ପ୍ରଶାସନର ନୀତିର ଏଗଦମ ଓଲଟା । ନିଜ ୪ ବର୍ଷର କାର୍ଯ୍ୟକାଳରେ ଟ୍ରମ୍ପ ଆମେରିକା ପ୍ରଥମ ବୋଲି ନାରା ଦେଇଥିଲେ । ଏହି ନୀତି ଅନୁସାରେ ଅଧିକରୁ ଅଧିକ ଆମେରିକୀୟ ନାଗରିକଙ୍କୁ ରୋଜଗାର ଦେବାକୁ ଟ୍ରମ୍ପ ବିଦେଶରୁ ଆମେରିକା ଆସିବାକୁ ଚାହୁଁଥିବା ଅନ୍ୟ ଦେଶର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ କଟକଣା ଲାଗୁ କରିଥିଲେ । କେବଳ ଏତିକି ନୁହେଁ, ଆମେରିକାରେ ବେଆଇନ ଭାବେ ରହୁଥିବା ଅନେକ ବିଦେଶୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଥିଲା । ଯେଉଁମାନଙ୍କ ମଧ୍ୟରେ ସଂଖ୍ୟାଧିକ ମେକ୍ସିକୋ ନାଗରିକ ଥିଲେ । ନିର୍ବାଚନ ପ୍ରଚାର କାଳରେ ବିଡେନ୍ ପ୍ରତିଭାଶାଳୀ ବିଦେଶୀ ନାଗରିକଙ୍କ ପାଇଁ ଆମେରିକାର ଦ୍ୱାର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଡେନଙ୍କ ଏହି ନୀତିର ଲାଭ ମେକ୍ସିକୋ,ଚୀନ୍ ଓ ଭାରତୀୟ ପାଇବେ ।

biden

କଟ୍ ଅଫ୍ ଡେଟ୍ ୧ ଜାନୁଆରୀ ୨୦୨୧

ଆମେରିକା ଗଣମାଧ୍ୟମ ଅନୁସାରେ ବିଡେନ ଜାନୁଆରୀ ୧,୨୦୨୧କୁ ବେଂଚ୍ ମାର୍କ କରିଛନ୍ତି । ଅର୍ଥାତ ୧ ଜାନୁଆରୀ ୨୦୨୧ ଭିତରେ ଯେଉଁ ବିଦେଶୀ ନାଗରିକ ଆମେରିକାରେ ବିନା ନାଗରିକତାରେ ରହୁଥିବେ ସେମାନଙ୍କୁ ନାଗରିକତା ଦିଆଯିବା ନେଇ ବିଚାର କରାଯାଇପାରେ । ରାଷ୍ଟ୍ରପତି ଭାବେ ନିଜର ପ୍ରଥମ ଦିନରେ ହିଁ ବିଡେନ୍ ଏହି ବିଲରେ ଦସ୍ତଖତ କରିବା ସମ୍ଭାବନା ରହିଛି ।

୮ ବର୍ଷର ଲମ୍ବା ପ୍ରକ୍ରିୟା

ତେବେ ନାଗରିକତା ପାଇବା ପାଇଁ ଏହି ସମସ୍ତ ବିଦେଶୀଙ୍କୁ ୮ ବର୍ଷ ଅପେକ୍ଷା କରିବାକୁ ପଡିବ । ୮ ବର୍ଷ ପର୍ଯ୍ୟନ୍ତ ଆମେରିକା ସରକାର ଏହି ବିଦେଶୀ ନାଗରିକଙ୍କ ଚାଲିଚଳଣ, ଆଇନ ପ୍ରତି ସମ୍ମାନ ଓ ଆମେରିକୀୟ ଜୀବନଧାରାରେ ସେମାନେ କେମିତି ସାମିଲ ହେଉଛନ୍ତି ତା’ ଉପରେ ନଜର ରଖିବେ । ସର୍ବପ୍ରଥମେ ୫ ବର୍ଷ ପାଇଁ ସେମାନଙ୍କୁ ଗ୍ରୀନ୍ କାର୍ଡ୍ ଦିଆଯିବ । ଏହି ୫ ବର୍ଷ ଭିତରେ ସେମାନଙ୍କ ବ୍ୟାକଗ୍ରାଉଣ୍ଡ୍ ଚେକ୍ କରାଯିବ । ସେମାନେ ଟ୍ୟାକ୍ସ ଦେଉଛନ୍ତି କି ନାହିଁ ତାହା ଦେଖାଯିବ । ୫ ବର୍ଷ ଭିତରେ ଏହି ସର୍ତ୍ତ ପୁରଣ କରିଲେ ସେମାନଙ୍କୁ ବାକି ୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟକୁ ଟ୍ରାନ୍ସଫର କରାଯିବ । ଏହି ପର୍ଯ୍ୟାୟରେ ଆମେରିକା ନାଗରିକତା ଚାହୁଁଥିବା ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରାଯିବ ।

usa indian

ୱେଟିଂ ଲିଷ୍ଟରେ ୫ ଲକ୍ଷ ଭାରତୀୟ

୨୦୧୯ ରିପୋର୍ଟ ଅନୁସାରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ୨୭ ଲକ୍ଷ । ଆମେରିକା ଜନସଂଖ୍ୟାର ୬ ପ୍ରତିଶତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ଏକ ଅନୁମାନ ଅନୁସାରେ ଏହି ୨୭ ଲକ୍ଷ ଭାରତୀୟଙ୍କ ମଧ୍ୟରୁ ୫ ଲକ୍ଷଙ୍କ ପାଖରେ ଆମେରିକୀୟ ନାଗରିକତା ନାହିଁ । ବିଡେନ୍ ବିଲକୁ ଅନୁମୋଦନ କଲେ ଏହି ୫ ଲକ୍ଷ ଭାରତୀୟଙ୍କ ପାଇଁ ଆମେରିକାନ ଡ୍ରିମ୍ ସଫଳ ହେବ ।

Leave a Reply