ଫାଶୀ ପରେ ଦଉଡ଼ିକୁ ନେଇ କାହିଁକି ରହିଛି ଅନେକ ପ୍ରକାରର ଅନ୍ଧବିଶ୍ୱାସ ?

ଫାଶୀ, ମୃତ୍ୟୁ ଦଣ୍ଡର ଭୟଙ୍କର ନାଁ । ଫାଶୀର ନାଁ ଶୁଣିଲେ ଲୋମ ଟାଙ୍କୁରି ଉଠେ। ମନ ଭିତରେ ମୃତ୍ୟୁର ଭୟଙ୍କର ଚିତ୍ର ଆଙ୍କି ହୁଏ। ଭାରତର ଅମରୋହରେ ପ୍ରେମିକ ସହ ମିଶି ନିଜ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଶବନମଙ୍କୁ ଫାଶୀ ଦିଆଯିବା ଖବର ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ତେବେ ଫାଶୀ ପରେ ସେହି ଦଉଡ଼ିକୁ କଣ କରାଯାଏ ? ଏହି ଦଉଡ଼ିକୁ କିଏ ନିଏ ? ଏଭଳି ଅନେକ ପ୍ରଶ୍ନ ଆପଣ ମାନଙ୍କ ମନରେ ଉଙ୍କି ମାରୁଥିବ। ତେବେ ଭାରତରେ ସେହି ଫାଶୀ ଦଉଡ଼ିକୁ ପୋଡ଼ି ଦିଆଯାଏ। କିନ୍ତୁ ଶହ ଶହ ବର୍ଷ ଧରି ଏହି ଫାଶୀ ଦଉଡ଼ିକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ପ୍ରଚଳିତ ହୋଇଆସୁଛି।

ସାଧାରଣତଃ ଦଶମ ଶତାବ୍ଦୀରୁ ସାରା ବିଶ୍ୱରେ ଫାଶୀ ଦେବାର ପ୍ରଥା ଆରମ୍ଭ ହୋଇଥିଲା। ଏହି ମୃତ୍ୟୁ ଦଣ୍ଡକୁ ନେଇ ବ୍ରିଟେନରେ ଅନ୍ଧବିଶ୍ୱାସ ରହିଛି। ଯେତେବେଳେ ଦଶମ ଶତାବ୍ଦୀ ପୂର୍ବରୁ ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶରେ ଫାଶୀର ପ୍ରଥା ପ୍ରଚଳିତ ହୋଇନଥିଲା ସେତେବେଳେ ଦୋଷୀଙ୍କ ଶିରଛେଦ ହେଉଥିଲା । ସର୍ବସାଧାରଣରେ ଅପରାଧୀର ମୁଣ୍ଡକାଟ ହେଉଥିଲା । କିନ୍ତୁ ଏବେ ଯଦି ଦେଖିବା ସବୁଆଡ଼େ ଫଶୀ ମୃତ୍ୟୁଦଣ୍ଡକୁ ବିରୋଧ କରାଯାଉଛି। ଫାଶୀ ବଦଳରେ ଲେଥଲ ଇଞ୍ଜେକ୍ସନ ଦେଇ ମୃତ୍ୟୁଦଣ୍ଡର ଦାବି ହେଉଛି।

ଫାଶୀ ପରେ ଏହି ଦଉଡ଼ିକୁ ନେଇ ଅନେକ ପ୍ରକାରର ଅନ୍ଧବିଶ୍ୱାସ ରହିଛି। ବ୍ରିଟେନରେ ଫାଶୀ ପରେ ସେହି ଦଉଡିଟିକୁ ଜହ୍ଲାଦକୁ ଦିଆଯାଉଥିଲା। କିନ୍ତୁ ବ୍ରିଟେନରେ ହଠାତ ଅନ୍ଧବିଶ୍ୱାସ ସୃଷ୍ଟି ହେଲା ଯେ, ଫାଶୀ ଦଉଡି ଭାଗ୍ୟ ବଦଳାଇ ଦେବ । ତା’ପରେ ଲୋକଙ୍କ ମଧ୍ୟରେ ଏହି ଦଉଡି ସଂଗ୍ରହ କରିବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିଲା ।
ବ୍ରିଟେନ ଲୋକ ବିଶ୍ୱାସ କରୁଥିଲେ ଯେ, ଯଦି କେହି ଏହି ଫାଶୀ ଦଉଡ଼ି ଖଣ୍ଡକୁ ଘରେ ରଖନ୍ତି କି ଲକେଟ୍ କରି ପିନ୍ଧନ୍ତି, ତେବେ ତାଙ୍କ ଭାଗ୍ୟ ବଦଳିପାରେ, ଦେହ ଭଲ ରହିବା ସହ ଶୁଭଫଳ ଆଣିଥାଏ। ଇତିହାସରେ ଏହା ଉଲ୍ଲେଖ କରାଯାଇଛି ଯେ ବ୍ରିଟେନରେ ଜହ୍ଲାଦ ମାନେ ଏହି ଦଉଡିକୁ ଛୋଟ ଛୋଟ ଖଣ୍ଡ କରି ଲୋକଙ୍କୁ ବିକ୍ରି କରୁଥିଲେ। ଆଉ ଲୋକ ମାନେ ମଧ୍ୟ ଏହାକୁ ଅଧିକ ମୂଲ୍ୟରେ ମଧ୍ୟ କଣିନେଉଥିଲେ। ତେବେ ୧୯୬୫ ପରେ ବ୍ରିଟେନର ମୃତ୍ୟୁଦଣ୍ଡ ଉପରେ ରୋକ୍ ଲାଗିଥିଲା ।
ବ୍ରିଟେନରେ ଯେତେବେଳେ ଦୋଷୀର ଶିରଛେଦ କରାଯାଉଥିଲା ସେତେବେଳେ ସାଧାରଣ ନାଗରିକ ଏହାକୁ ଦେଖିବା ପାଇଁ ଟାୱାର ହିଲରେ ଏକାଠି ହେଉଥିଲେ। ଖାଲି ସେତିକି ନୁହେଁ ନିଜ ଘରୁ ପୋଷାକ ଆଣି ରକ୍ତରେ ବୁଡ଼ାଇ ଘରକୁ ନେଉଥିଲେ। ଏହାକୁ ନେଇ ଘରେ ରଖିଲେ ଭାଗ୍ୟ ଭଲ କାମ କରେ ବୋଲି ବିଶ୍ୱାସ କରାଯାଉଥିଲା। ଫ୍ରାନ୍ସରେ ମଧ୍ୟ ଏହାକୁ ନେଇ ଅନ୍ଧବିଶ୍ୱାସ ରହିିଥିଲା। ମୃତ୍ୟୁ ଦଣ୍ଡ ପରେ ଫ୍ରାନ୍ସରେ ଜହ୍ଲାଦ ମାନେ ଏହି ରକ୍ତକୁ ଅଧିକ ମୂଲ୍ୟରେ ବିକ୍ରି କରୁଥିଲେ, କିନ୍ତୁ ଚାଇନାରେ ଏହି ରକ୍ତ ସଂଗ୍ରହ କରାଯାଇ ଔଷଧରେ ବ୍ୟବହୃତ ହେଉଥିଲା। ବ୍ରିଟେନର ପବ୍ଲିକ୍ ଇଣ୍ଟର୍ସ ଲା ଜେନେରାଲ୍ ରେ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି।

ବ୍ରିଟେନ୍ ଏବଂ ୟୁରୋପର ଦେଶମାନଙ୍କରେ ମଧ୍ୟ ଦୀର୍ଘ ସମୟ ଧରି ବିଶ୍ୱାସ କରୁଥିଲେ ଯେ, ଯଦି କେହି ଫାଶୀ ହୋଇଥିବା ଦଉଡ଼ିକୁ ଛୁଇଁ ଦିଅନ୍ତି ତେବେ ତାଙ୍କର ଚର୍ମ, ପେଟ ଏବଂ ଗଳାର ଅନେକ ରୋଗରୁ ମୁକ୍ତି ମିଳିଥାଏ।

ସେପଟେ ଭାରତରେ ଏହି ଦଉଡ଼ି ଜହ୍ଲାଦକୁ ଦିଆଯାଇଥାଏ। ଅନେକ ଦେଶରେ ଏହି ଦଉଡିକୁ ଛୋଟ ଖଣ୍ଡରେ କାଟି ଜେଲର ଡେଥ୍ ସ୍କ୍ୱାର୍ଡ ଅଧିକାରୀଙ୍କୁ ଦିଆଯାଏ। ତେବେ ଏହି ଦଉଡ଼ିକୁ ନେଇ ଭାରତରେ କୌଣସି ପ୍ରକାରର ଅନ୍ଧବିଶ୍ୱାସ ଏପର୍ଯ୍ୟନ୍ତ ଶୁଣାଯାଇ ନାହିଁ। କିନ୍ତୁ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଧନଞ୍ଜୟ ଚାଟାର୍ଜୀଙ୍କୁ ଜହ୍ଲାଦ ଫାଶୀ ଦେବା ପରେ ଜହ୍ଲାଦ ନଟ ଏହି ଦଉଡିକୁ ବିକ୍ରି କରି ଢେର ଟଙ୍କା ରୋଜଗାର କରିଥିବା କୁହାଯାଏ । ନଟ ଦଉଡିର ଛୋଟ ଖଣ୍ଡକୁ ଲକେଟ୍ ଫିତା ଭାବେ ବିକ୍ରୀ କରୁଥିଲେ ।

Leave a Reply