ବିଶ୍ୱରେ ବଜ୍ରକାପ୍ତା ଚୋରା ଚାଲଣର ମାତ୍ରା ଅଧିକ କାହିଁକି?

1 min read

ନୂଆଦିଲ୍ଲୀ:   ବଜ୍ରକାପ୍ତା ଏଭଳି ଏକ ଜୀବ, ଯାହା ଅଧିକ ମାତ୍ରାରେ ଚୋରା ଚାଲଣ ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସେ । ଚୋରା ଚାଲଣର କାରଣ ହେଉଛି ଚୀନ୍ । ଯେଉଁଠାରେ ଏହି ଜୀବର ଛାଲ ଓ ମାଂସକୁ ପାରମ୍ପରିକ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି । ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜର୍ଭେସନ ଅଫ୍ ନେଚରର ରିପୋର୍ଟ କହୁଛି ସାରା ବିଶ୍ୱରେ ହେଉଥିବା ପ୍ରାଣୀମାନଙ୍କ ଚୋରା ଚାଲଣର ୨୦ ପ୍ରତିଶତ କେବଳ ବଜ୍ରକାପ୍ତା । ତେବେ ଚୋରା ଚାଲଣରେ ଏମାନଙ୍କ ସଂଖ୍ୟା ଅନ୍ୟ ଜୀବଙ୍କ ତୁଳନାରେ ଅଧିକ କାହିଁକି? କ’ଣ ରହିଛି ବଜ୍ରକାପ୍ତାର ବିଶେଷତ୍ତ୍ୱ?

ସାପ,ଝିଟିପିଟି ଭଳି ଦେଖାଯାଉଥିବା ବଜ୍ରକାପ୍ତା ମାମଲ୍ସ ଶ୍ରେଣୀର ଅନ୍ତର୍ଭୁକ୍ତ । ବର୍ଷ ବର୍ଷ ଧରି ସାରା ବିଶ୍ୱରେ ଏହି ଜୀବ ଚୋରା ଚାଲଣ ହୋଇଆସୁଛି । ଚାଲଣ ମାଧ୍ୟମରେ ଚୀନ୍ କିମ୍ବା ଭିଏତନାମାରେ ପହଞ୍ଚୁଛନ୍ତି ବଜ୍ରକାପ୍ତା । ଏଠାରେ ଏହାର ଛାଲ ଏବଂ ମାଂସ ବ୍ୟବହାର କରି ଔଷଧ ପ୍ରସ୍ତୁତ ହେବା ସହିତ ଚଢା ଦରରେ ଧନୀ ବ୍ୟକ୍ତି ମାନଙ୍କୁ ଦେଶର କୋଣ ଅନୁକୋଣରେ ବିକ୍ରି ହେଉଛି । ଏବେ ପରିସ୍ଥିତି ଏଭଳି ସୃଷ୍ଟି ହେଉଛିଯେ ବଜ୍ରକାପ୍ତା ବିଲୁପ୍ତପ୍ରାୟ ଜୀବଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇ ସାରିଲେଣି ।  ଚୀନ୍ ଗଣମାଧ୍ୟମ ରିପୋର୍ଟ କହୁଛି ଖୁବ ବିରୋଧ ପରେ ୨୦୨୦ ଜୁନରେ ଚୀନ୍ ତା’ର ପାରମ୍ପରିକ ଔଷଧ ସାମଗ୍ରୀ ତାଲିକାରୁ ବଜ୍ରକାପ୍ତାକୁ ହଟାଇଛି । ତଥାପି ମଧ୍ୟ ବଜ୍ରକାପ୍ତା ସୁରକ୍ଷିତ ନୁହଁନ୍ତି ।

ଏହାର କାରଣ ହେଉଛି ବଜ୍ରକାପ୍ତାକୁ ଯଦିଓ ଔଷଧ ସାମଗ୍ରୀ ତାଲିକାରୁ ହଟାଇ ଦିଆଯାଇଛି ତଥାପି ଫାର୍ମାକୋପିଆ ତାଲିକାରେ ଥିବା ସନ୍ଦେହ କରାଯାଉଛି । ରିପୋର୍ଟ କହୁଛି ଫାର୍ମାକୋପିଆ ଚୀନ ଔଷଧର ସାମଗ୍ରୀକୁ ନେଇ ବ୍ୟବହାର ହେଉଥିବା ଏକ ଟର୍ମ । ହୁଏତ ଆନୁଷ୍ଠାନିକ ଭାବରେ ବଜ୍ରକାପ୍ତାକୁ ଔଷଧ ତାଲିକାରୁ ହଟାଇ ଦେଇଥିବା ଚୀନ୍ ଘୋଷଣା କରିଛି କିନ୍ତୁ ଏହା ଏବେ ମଧ୍ୟ ଚାଲିଥିବା ଆଶଙ୍କା କରାଯାଉଛି । ପର୍ଯ୍ୟାବରଣ ଉପରେ କାମ କରୁଥିବା ସଂସ୍ଥା ଏନଭାୟୋର୍ନମେଣ୍ଟ ଇନଭେଷ୍ଟିଗେସନ ଏଜେନ୍ସି ଏହାକୁ ନେଇ ପୂର୍ବରୁ ସନ୍ଦେହ କରୁଥିଲା ।

 ବଜ୍ରକାପ୍ତାର ଚୀନ୍ ଔଷଧ ସହିତ କ’ଣ ସମ୍ବଦ୍ଧ ରହିଛି ?

ଏଥିପାଇଁ ବଜ୍ରକାପ୍ତା ବିଷୟରେ ଜାଣିବା ନିହାତି ଜରୁରୀ । ଏହି ନିରୀହ ଜୀବ ପୃଥିବୀରେ ପ୍ରାୟ 60 ମିଲିୟନ ବା ୬୦୦ ଲକ୍ଷ ବର୍ଷ ହେବ ରହି ଆସିଛନ୍ତି । ଯେଉଁମାନେ ପିମ୍ପୁଡ଼ି ଖାଇ ବଞ୍ଚିଥାନ୍ତି । ଏମାନଙ୍କ ମାଂସକୁ ଖାଦ୍ୟ ଭାବରେ ବ୍ୟବହାର କରାଯାଏ । ଏକ କିଲୋ ବଜ୍ରକାପ୍ତା ମାଂସର ମୂଲ୍ୟ ପ୍ରାୟ ୨୭ ହଜାର ଟଙ୍କା । ତେଣୁ ଶସ୍ତାରେ ବିକ୍ରି ହେଉଥିବା ଜୀବ ମାନଙ୍କ ଶ୍ରେଣୀରେ ଏହାକୁ ଅନ୍ତର୍ଭୁକ୍ତ କରାଯାଏନାହିଁ । ଏହା କେବଳ ମହଙ୍ଗା ରେଷ୍ଟୁରାଣ୍ଟରେ ବିକ୍ରି କରାଯାଏ ।
ଏହାର ସବୁଠାରୁ ଅଧିକ ବ୍ୟବହାର ଟ୍ରାଡିସନାଲ ଚାଇନିଜ୍ ମେଡିସିନ TCMରେ ହୋଇଥାଏ । ଚୀନ ଔଷଧ କାରବାର ପ୍ରାୟ ୧୩୦ ବିଲିୟନ ଡଲାରର ହୋଇଥାଏ ବୋଲି ଅନୁମାନ କରାଯାଉଛି । ବଜ୍ରକାପ୍ତା ଶରୀରର ଛାଲରେ ତିଆରି ହେଉଥିବା ଔଷଧ ଦେଖିବାକୁ ଚକୋଲେଟ୍ ଭଳି, କିନ୍ତୁ ତାହା ଖୁବ କଠିନ। ଏହାକୁ ଗରମପାଣି କିମ୍ବା ଆଲକହଲରେ ମିଶାଇ ପିଆଯାଏ । ଏହା ବ୍ୟତୀତ ବଜ୍ରକାପ୍ତା ମାଂସ ନୂଆକରି ମା ହୋଇଥିବା ମହିଳାଙ୍କୁ ଦିଆଯାଏ । ଏହାଦ୍ୱାରା ଶକ୍ତି ମିଳିଥାଏ । ଅଧିକାଂଶ ଲୋକ ଏହାକୁ ଜୁସ୍ ସହିତ ମିଶାଇ ପିଇବାକୁ ବେଶ୍ ପସନ୍ଦ କରନ୍ତି । ଟ୍ରାଡିସନାଲ ମେଡିସିନ ପ୍ରସ୍ତୁତ କରୁଥିବା ଲୋକ ଏହାକୁ ଖରାରେ ଶୁଖାଇ କ୍ୟାପସୁଲ ତିଆରି କରନ୍ତି ଏବଂ ପରେ ଚଢା ଦରରେ ବିକ୍ରି କରନ୍ତି ।

ଏହି ଜୀବ ବ୍ୟତୀତ ଚୀନରେ ଗଧ ଚୋରା ଚାଲଣ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଗଧ ଚମଡ଼ାକୁ ବ୍ୟବହାର କରି ଔଷଧ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଯାହାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବ୍ୟବହାର ହୁଏ ।
ଏହି ବେଆଇନ କାରବାରକୁ ରୋକିବା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । କଥା ହେଉଛି ଦାୟୀତ୍ୱ କେବଳ ସରକାରଙ୍କର ନୁହେଁ ବରଂ ସାଧାରଣ ଜନତାଙ୍କର ମଧ୍ୟ । ବିଲୁପ୍ତପ୍ରାୟ ବିରଳ ପ୍ରାଣୀଙ୍କୁ କିଭଳି ରକ୍ଷା କରାଯାଇପାରିବ ସେଥିପ୍ରତି ସମସ୍ତେ ସଚେତନ ହେବା ଉଚିତ୍ ।

Leave a Reply