ଅଞ୍ଜନା ମିଶ୍ରଙ୍କୁ ଦୁଷ୍କର୍ମର ଅଭିଯୋଗ ପରେ କାହିଁକି ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ, ଜାଣନ୍ତୁ

1 min read

ଅଞ୍ଜନା ମିଶ୍ର। ଜଣେ ସାଧାରଣ ମହିଳା ନୁହନ୍ତି, ବରଂ ଓଡ଼ିଶା  ରାଜନୀତି ଓ ଅପରାଧିକ ଇତିହାସର ଏକ ମୋଡ଼ ପରିବର୍ତ୍ତନକାରୀ ଘଟଣାର ନାଁ। ଏହି ଘଟଣାକୁ କେନ୍ଦ୍ରକରି ଓଡ଼ିଶାରେ ଖାଲି ଜାନକୀ ବଲ୍ଲଭଙ୍କ ସରକାର ନୁହେଁ, କଂଗ୍ରେସ ପରାକ୍ରମର ଅବସାନ ହୋଇଥିଲା। ୧୧ ବର୍ଷ ସମୟର ଆଇନ-ପ୍ରଶାସନ-ପୁଲିସ ଟଣାଓଟରା ଭିତରେ ହାଇକୋର୍ଟଙ୍କ ତତ୍କାଳୀନ ବିଚାରପତି ତଳକୋର୍ଟର ରାୟକୁ କାଏମ ରଖି ଦୋଷୀ ଦ୍ବୟଙ୍କୁ ଆଜୀବନ ଦଣ୍ଡ ସିନା ଶୁଣାଇଲେ କିନ୍ତୁ ତଦନ୍ତ ବ୍ୟବସ୍ଥା ଉପରେ ଏକ ଅମୀମାଂସିତ ପ୍ରଶ୍ନବାଚୀ ଛାଡ଼ି ଦେଇଗଲେ।

ଆଜି ସେ ବିଚାରପତି ଅବସର ନେଇ ସାରିଲେଣି। ଅଞ୍ଜନା ଓଡ଼ିଶା ରାଜନୀତିକ ରଙ୍ଗମଞ୍ଚରୁ ଅପସରି ଗଲେଣି, ଘଟଣାକୁ ଏ ଭିତରେ ୨୨ ବର୍ଷ ବିତିଗଲାଣି କିନ୍ତୁ ସେ କଟା ଘା’ ପୁଣିଥରେ ନସା ଦେବାକୁ ଆରମ୍ଭ କରିଛି। କାରଣ ଭୁବନେଶ୍ବର-କଟକ ପୁଲିସ କମିଶନରେଟ୍ ଏହି ଘଟଣାର ‘ନୀରବ ବୋଡ଼ା’ ତଥା ମୁଖ୍ୟ ଆସାମୀକୁ ଗିରଫ କରି ସିବିଆଇ କୋର୍ଟଙ୍କ ହେପାଜତକୁ ପଠାଇଛନ୍ତି।

୯ ଜାନୁୟାରୀ, ୧୯୯୯। ସ୍ବାମୀଙ୍କଠାରୁ ଅଲଗା ହୋଇଥିବା ଅଞ୍ଜନା ମିଶ୍ର କଟକରୁ ଫେରୁଥିଲେ। ସାଙ୍ଗରେ ଅଞ୍ଜନାଙ୍କ ଇଣ୍ଟରଭ୍ୟୁ ନେବା ପାଇଁ ଯାତ୍ରା କରୁଥିଲେ ଟିଭି ସାମ୍ବାଦିକ ସୁତନୁ ଗୁରୁ।  ଏକ ଆମ୍ବାସଡର କାର୍ ଯୋଗେ ଏହି ଦୁଇଜଣ ଫେରିବା ସମୟରେ ରାତି ହୋଇଯାଇଥାଏ। ଚା’ ପିଇବା ପାଇଁ ଅଟକି ଥିଲେ ବାରଙ୍ଗ ନିକଟସ୍ଥ ଏକ ଢାବାରେ । ପ୍ରଦୀପ ସାହୁ ଓରଫ ପଦିଆ,  ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଏବଂ ବିବନ ବିଶ୍ବାଳ ଓରଫ ବିକେ ବା ବାରଙ୍ଗ କିଙ୍ଗ ତାଙ୍କୁ ଦେଖି ଅପରାଧର  ଜାଲ ବିଛାଇଥିଲେ।

ଅଞ୍ଜନା ଓ ସୁତନୁ ପୁଣିଥରେ ଯେତେବେଳେ ଗାଡ଼ିରେ ବସି ଯାତ୍ରା କରିବା ଆରମ୍ଭ କରନ୍ତି ଏହି ଦୁଇଜଣ ତାଙ୍କୁ ପିଛା କରି ପରେ ଗାଡ଼ିକୁ ଅଟକାଇ ତାଙ୍କୁ ଅପହରଣ କଲେ। ଗାଡ଼ି ଚଳାଇବା ଜାଣି ନଥିବାକୁ ଜଣେ ସ୍କୁଟର ଡ୍ରାଇଭରଙ୍କୁ ଆମ୍ବାସଡର ଗାଡ଼ି ଚଳାଇବାକୁ ସାଙ୍ଗରେ ନେଇଥିଲେ। ଗାଡ଼ି ବାରଙ୍ଗ ନିକଟସ୍ଥ ବେଲଗାଚ୍ଛିଆ ମହଲାର ଶୂନ୍ ଶାନ୍ ଅଞ୍ଚଳରେ ପହଞ୍ଚିଥିଲା। ଆଉ ସେଇଠି ଆରମ୍ଭ ହେଲା ବିବନ ବିଶ୍ବାଳର ସଇତାନୀ କାରବାର।

ପ୍ରାୟ ୩ରୁ ୪ ଘଣ୍ଟା ଧରି ପ୍ରଥମେ ବିବନ ଓ ପରେ ପଦିଆ ଏବଂ ଧୀରେନ୍ଦ୍ର ତାଙ୍କୁ ସମ୍ପୃକ୍ତ ସାମ୍ବାଦିକଙ୍କ ଆଖି ସାମ୍ନାରେ ବାରମ୍ବାର ଦୁଷ୍କର୍ମ କରିବାରେ ଲାଗିଲେ। ଖାଲି ସେତିକି ନୁହେଁ, ବେଲଗାଛିଆରୁ ତାଙ୍କୁ ଭାଲୁକା ଜଙ୍ଗଲକୁ ନେଇ ସେଠାରେ ମଧ୍ୟ ଦୁଷ୍କର୍ମ କରିଲେ। ଏହି ଲଜ୍ଜାକର ଘଟଣା ପରଦିନ ସକାଳୁ ପଦାକୁ ଆସିଗଲା ଯେତେବେଳେ ସାହସ ଜୁଟାଇ ଅଞ୍ଜନା କଟକ ମହିଳା ଥାନାର ଦ୍ବାରସ୍ଥ ହେଲେ ଏବଂ ସେଠାରେ ମାମଲା ଦାୟର କଲେ। କଟକ ମହିଳା ଥାନାର ଏହା ତୃତୀୟ ମାମଲା ଥିଲା। କିନ୍ତୁ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଲା।

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ଓ ତା ସହ ତତ୍କାଳୀନ ଆଡଭୋକେଟ୍ ଜେନରୋଲ୍ ଇନ୍ଦ୍ରଜିତ ରାୟଙ୍କୁ ଏହି ମାମଲାରେ ଯୋଡ଼ା ଗଲା। ଫଳରେ ଦିଲ୍ଲୀଯାଏ ଓଡ଼ିଶା ବଦନାମ ହେଲା। ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଜାନକୀବାବୁ ମାମଲାର ତଦନ୍ତ କରିବା ଏବଂ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ଲାଗି କ୍ରାଇମ ବ୍ରାଞ୍ଚକୁ ମାମଲା ହସ୍ତାନ୍ତର କଲେ। ୧୨ ଜାନୁୟାରୀରୁ ୨୫ ଜାନୁୟାରୀ ଯାଏ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରି ପ୍ରଥମେ ସ୍କୁଟରକୁ ଚିହ୍ନଟ କରିବା ଓ ପରେ ପରେ ପଦିଆ ଓ ଟୁନିଆକୁ ଗିରଫ କଲେ। କିନ୍ତୁ ମୂଳ ଆସାମୀ ଧରା ପଡ଼ିଲା ନାହିଁ। ଏହାକୁ ପୁଲିସ ଓ ତଦନ୍ତ ବ୍ୟବସ୍ଥାର ଏକ ଅପରାଗପଣିଆ ଭାବେ ରାଜ୍ୟ ବିଚାର କଲା। ହାଇକୋର୍ଟ ବି  ରାଜ୍ୟ ପୁଲିସ ଉପରୁ ଆସ୍ଥା ଉଠାଇ ସିବିଆଇକୁ ତଦନ୍ତ ଭାର ପ୍ରଦାନ କଲେ। ଏହା ପରେ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ। ତାଙ୍କ ସ୍ଥାନରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲେ।

୫ ମେ ୧୯୯୯ ମସିହାରେ ସିବିଆଇ ଚାର୍ଜଶିଟ୍ ଦାଖଲ କଲା। ହେଲେ ଏହି ଅଭିଯୋଗଫର୍ଦ୍ଦରେ ବିବନ ନଥିଲା। ଭୁବନେଶ୍ବର ଜିଲ୍ଲା ଜଜ୍ ମହେନ୍ଦ୍ର ପଟ୍ଟନାୟକ ଏପ୍ରିଲ୍ ୨୯, ୨୦୦୨ ମସିହାରେ ଶୁଣାଣି ସାରି ରାୟ ଦେଲେ। ପଦିଆ ଓ ଟୁନିଆକୁ ଆଇପିସି ଧାରା ୩୪୧, ୩୬୬ ଏବଂ ୩୭୨ ବଳରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଲେ। ଟୁନିଆ ବିରୁଦ୍ଧରେ ଆଇପିସିର ଧାରା ୩୯୪ ବି ଲାଗିଥିଲା। ପରେ ମାମଲା ହାଇକୋର୍ଟରେ ବି ଶୁଣାଣି ହୋଇଥିଲା।

ତତ୍କାଳୀନ ବିଚାରପତି ଜଷ୍ଟିସ୍ ଏଏସ୍ ନାଇଡ଼ୁ ଏବଂ ଜଷ୍ଟିସ୍ ସୁବାସ ପରିଡ଼ାଙ୍କ ଖଣ୍ଡପୀଠ ଜିଲ୍ଲାଜଜଙ୍କ ରାୟକୁ କାଏମ ରଖିଥିଲେ ମଧ୍ୟ ଭୁବନେଶ୍ବର ପୁଲିସ ପାଇଁ ଏକ ପ୍ରଶ୍ନବାଚୀ ଦେଇ ରାୟର ପାରାଗ୍ରାଫ୍ ୨୩ରେ ଉଲ୍ଲେଖ କଲେ। ଏହା ଥିଲା ପୁଲିସ ଅପରାଗପଣିଆର ନିଦର୍ଶନ। ଏହାକୁ ପୁଲିସ ଗଲା ୧୧ ବର୍ଷ ହେଲା ମୁଣ୍ଡେଇ ଚାଲି ଆଜି ବୋଝମୁକ୍ତ ହେବାକୁ ଦମ୍ଭ ବାନ୍ଧିଛି।

ଭୁବନେଶ୍ବର ପୁଲିସର ଏକ ୪ ଜଣିଆ ଦଳ ଅତ୍ୟନ୍ତ ଗୋପନରେ ମାତ୍ର ୩ ମାସ ସମୟ ଭିତରେ ମହାରାଷ୍ଟ୍ରର ପୁନାୱାଲାଠାରେ ଥିବା ଆମ୍ବିଭାଲିରେ ପାଣିମିସ୍ତ୍ରୀ ଭାବେ କାର୍ଯ୍ୟରତ ଜଳନ୍ଧର ସ୍ବାଇଙ୍କ ଅସଲ ଚେହେରାକୁ ଖୋଲିବାରେ ସକ୍ଷମ ହୋଇଛନ୍ତି। ଆଧାର କାର୍ଡ଼, ପ୍ୟାନରେ ସେ ଜଳନ୍ଧର ହୋଇଥିଲେ ବି ସେ ଯେ, ଅଞ୍ଜନା ଦୁଷ୍କର୍ମ ଘଟଣାର ମୁଖ୍ୟ ଆସାମୀ ତଥା ତଥାକଥିତ ବାରଙ୍ଗ କିଙ୍ଗ୍ ବିବନ ବିଶ୍ବାଳ ତାହାକୁ ଉନ୍ମୋଚନ କରିଛନ୍ତି। ଏଥିରେ ତାଙ୍କୁ ମୁମ୍ବାଇ ପୁଲିସ ବିଶେଷ ସହାୟକ ହୋଇଥିଲେ। ଖାଲି ସେତିକି ନୁହେଁ ଜଳନ୍ଧର ଏ ଭିତରେ ଅନେକଥର ଓଡ଼ିଶା ଆସିଛି, ନିଜର ପୁରୁଣା ନାଁକୁ ଆଇନଖାତାରୁ ହଟାଇବାକୁ ଚେଷ୍ଟା କରିଥିଲେ ।

ବିବନର ଗିରଫତାରୀ ପୁଣିଥରେ ଅଞ୍ଜନା ମାମଲାର ପୁରୁଣା ନଥିକୁ ଖୋଲିବ। ହାଇକୋର୍ଟରେ ଅଞ୍ଜନା ମାମଲା ପୁଣିଥରେ ଶୁଣାହେବ। ପୁଣି ସିବିଆଇ ପରୁଣା ସାକ୍ଷୀଙ୍କୁ ଖୋଜିବେ। ସାକ୍ଷୀ ହାଇକୋର୍ଟରେ ହାଜର ହୋଇ ଓଡ଼ିଶା ପୁଲିସ ଉପରେ ଲାଗିଥିବା ଅପାରଗ ପଣିଆର ଟିକାକୁ ହଟାଇବେ।

Leave a Reply