କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ଆଜି ହେବ ନିଷ୍ପତ୍ତି..

ପାଟନା: କିଏ ହେବ ବିହାର ମୁଖ୍ୟମନ୍ତ୍ରୀ ? ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ବସୁଛି ଏନଡିଏ ବିଧାୟକ ଦଳର ବୈଠକ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜେଡିୟୁ, ବିଜେପି, ହାମ୍ ଓ ଭିଆଇପି ଦଳର ବିଧାୟକମାନେ ଉପସ୍ଥିତ ରହିବେ । ନୀତିଶ କୁମାରଙ୍କ ସହ ଅନ୍ୟ ଦଳର ବରିଷ୍ଠ ନେତାଏ ମଧ୍ୟ ବୈଠକରେ ସାମିଲ ହେବେ ।

ମନ୍ତ୍ରିମଣ୍ଡଳ ଗଠନ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବା ନେଇ ଆକଳନ କରାଯାଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଜେପିରେ ଆରମ୍ଭ ହୋଇଛି ମାନସ ମନ୍ଥନ । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଥିବା ସୁଶିଲ ମୋଦି ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ନୀତୀଶ କୁମାର ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ସାକ୍ଷାତ କରି ନିଜ ଇସ୍ତଫା ପ୍ରଦାନ କରିଛନ୍ତି । ଶୁକ୍ରବାର  ନୀତୀଶ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ କଥା ଘୋଷଣା କରିଛନ୍ତି । ଏହା ସହ ସେ କ୍ୟାବିନେଟର ସବୁ ସଦସ୍ୟଙ୍କୁ ଧନ୍ୟବାଦ କହିଛନ୍ତି । ବିଧାନସଭା ଭଙ୍ଗ ସୁପାରିସ କରିବା ପାଇଁ ସେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳଙ୍କୁ କ୍ୟାବିନେଟ୍ ଭଙ୍ଗ ସଂପର୍କିତ ସୂଚନା ମଧ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରି ରାଜ୍ୟପାଳ ଆଗାମୀ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ ଦାୟୀତ୍ୱରେ ରହିବେ ବୋଲି କହିଥିଲେ । ବୈଠକ କାଳରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହା ପୂର୍ବରୁ ଶୁକ୍ରବାର ସକାଳେ ଏନଡିଏ ନେତାଙ୍କ ବୈଠକ ହୋଇଥିଲା । ଯେଉଁଥିରେ ନଭେମ୍ବର ୧୫ ତାରିଖ ଦିପହର ୧୨.୩୦ରେ ଏନଡିଏ ବିଧାୟକଙ୍କ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ଔପଚାରିକ ଭାବେ ମେଣ୍ଟ ନେତା ନିର୍ବାଚିତ ହେବେ ।

Leave a Reply