ଅଫେରା ରାଇଜରେ ବିଜୟ: ପଞ୍ଚଭୁତରେ ଲୀନ ହେଲା ଓଲିଉଡ ଭେଟେରାନ ବିଜୟ ମହାନ୍ତିଙ୍କ ମରଶରୀର

ଭୁବନେଶ୍ୱର: ପଞ୍ଚଭୁତରେ ଲୀନ ହେଲା ଓଲିଉଡ ଭେଟେରାନ ବିଜୟ ମହାନ୍ତିଙ୍କ ମରଶରୀର । ଓଡ଼ିଶା ଆଜି ସ୍ତବ୍ଦ ହୋଇଛି ଜଣେ ବିଶିଷ୍ଟ କଳାକାରଙ୍କୁ ହରାଇ ।ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଜୟ ଯୁଗର ଅବସାନ ହୋଇଛି । ସିନେ ଜଗତରେ ଶୋକର ଛାୟା, ଝୁରୁଛନ୍ତି କୋଟି କୋଟି ଓଡିଆ ଦର୍ଶକ ।ରାଜ୍ୟ ମର୍ଯ୍ୟାଦା ସହ ରାଜଧାନୀର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହସପିଟାଲରୁ ଆଜି ସକାଳେ ତାଙ୍କ ମରଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ପରିବାର ଲୋକଙ୍କ ସହ ସିନେ କଳାକାର ତାଙ୍କର ଶେଷ ଦର୍ଶନ କରିଥିଲେ ।

ଏହାପରେ ବିଜୟଙ୍କ କର୍ମକ୍ଷେତ୍ର ସଙ୍ଗୀତ ମହାବିଦ୍ୟାଳୟକୁ ତାଙ୍କ ମରଶରୀର ନିଆଯାଇଥିଲା । ବିଜୟଙ୍କ ଶେଷ ଦର୍ଶନ କରିବା ପାଇଁ ସିନେ ଜଗତର ଅନେକ କଳାକାର ପହଞ୍ଚିଥିଲେ । ସେଠାରେ ତାଙ୍କୁ ଶେଷ ସମ୍ମାନ ଦିଆଯାଇଥିଲା । ଏହାପରେ ସତ୍ୟନଗର ଶ୍ମଶାନରେ ପହଞ୍ଚିଥିଲା ବିଜୟଙ୍କର ମର ଶରୀର । ସେଠାରେ ଶେଷକୃତ୍ୟର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ପରେ ତାଙ୍କୁ ତାଙ୍କର ଜୋଇଁ ନିଆଁ ଦାନ କରିଥିଲେ ।

ଗତ ମେ ମାସରେ ହାଇଦ୍ରାବାଦରେ ହୃଦଘାତରେ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତାଙ୍କର ଦେହ ଧିରେ ଧିରେ ସୁସ୍ଥ ହେବା ପରେ ସେ ଓଡ଼ିଶା ଆସିବା ପାଇଁ ଯିଦ ଧରିଥିଲେ । ତେବେ ଓଡ଼ିଶା ଆସିବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କୁ ଘରକୁ ନିଆଯାଇଥିଲା । ତେବେ ଗତ ରାତିରେ ତାଙ୍କ ପଲ୍ସରେଟ ଧିର ପଡ଼ିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply