ମଦ ପିଇ ମାରୁଥିଲେ ବୋଲି ମା’କୁ ମାରିଦେଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମାଆର ଅତ୍ୟାଚାର ସହିନପାରି ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ । ସୁନ୍ଦରପଦା ଏୟାରଫିଲ୍ଡ ଅରଚିଡ ଆପାର୍ଟମେଂଟରେ ଘଟିଛି ଏହି ଅଭାବନୀୟ ଘଟଣା । ହତ୍ୟା କରିଥିବା ଦୁଇ ସନ୍ତାନ ନାବାଳକ ଥିବା ଜଣାପଡିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ମହିଳାଙ୍କ ନାମ ବିନୋଦିନି ମିଶ୍ର ବୋଲି ଜଣା ପଡ଼ିଛି । ବିନୋଦିନି ଦୁଅ ପୁଅଙ୍କ ସହିତ ଉକ୍ତ ଆପାର୍ଟମେଣ୍ଟକୁ ୨ ମାସ ପୂର୍ବରୁ ଆସିଥିବା ବେଳେ ତାଙ୍କ ସ୍ୱାମୀ ରାଉରକେଲାରେ ରହୁଥିବା ସୂଚନା ମିଳିଛି । ଦୁଅ ନାବାଳକଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ଛାତ୍ର ଥିବାବେଳେ ଅନ୍ୟଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ ।

ଘଟଣା ସ୍ଥଳରୁ ମଦ ବୋତଲ, ସିଗାରେଟ ଜବତ ହୋଇଛି । ମାଆ ପ୍ରତିଦିନ ମଦ୍ୟପାନ ପରେ ସେମାନଙ୍କ ଉପରେ ଅତ୍ୟାଚାର କରୁଥିବା କୁହାଯାଉଛି । ଯାହାକୁ ସହିନପାରି ଦୁଇ ନାବାଳକ ପୁଅ ମାଆକୁ ଏକ ଲୁହା ରଡ୍ ରେ ହତ୍ୟା କରିଥିବା ବର୍ତ୍ତମାନ ସନ୍ଦେହ କରାଯାଉଛି ।

ଗତକାଲି ରାତି ୧୧.୩୦ ମିନିଟରେ ହତ୍ୟା ହୋଇଥିବା କୁହାଯାଉଛି । ହତ୍ୟାକାଣ୍ଡ ପରେ ବଡ ପୁଅ ନିଜ ପଡୋଷୀଙ୍କୁ ଫୋନ୍ କରି ତାଙ୍କ ମା’ଙ୍କ ଉପରେ ଆକ୍ରମଣ ହୋଇଥିବା କହିଥିଲେ । ଏହାପରେ ପଡୋଷୀ ଜଣକ ତାଙ୍କ ଘରକୁ ଯାଇଥିଲେ । ତେବେ ଘର ବାହାର ପଟୁ ବନ୍ଦ ଥିଲା । ତେଣୁ ସେ ଆଖପାଖ ଲୋକଙ୍କୁ ଡାକି ଘର ଭିତରକୁ ପ୍ରବେଶ କରିଥିଲେ । ଘର ଭିତରୁ ସେତେବେଳେ ମଦ ଗନ୍ଧ ଆସୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି ।

Leave a Reply