ମଥୁରା ମନ୍ଦିରରେ ନମାଜ ପଢ଼ାକୁ ନେଇ ବିବାଦ, ଦୁଇ ଜଣଙ୍କ ବିରୋଧରେ ଏତଲା

Namaz In Temple

ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଜନପଦ ଥାନାର ବାରସାନା ଅଞ୍ଚଳ ଅନ୍ତର୍ଗତ ଆନନ୍ଦ ଗାଁର ଆନନ୍ଦ ଭବନ ସ୍ଥିତ ମନ୍ଦିରରେ ଦିଲ୍ଲୀର ଫୈଜଲ ଓ ତାଙ୍କ ବନ୍ଧୁ ଚାନ୍ଦଙ୍କ ଦ୍ୱାରା ନାମଜ ପାଠ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମନ୍ଦିର ସେବକ କାହ୍ନା ଗୋସ୍ୱାମୀଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କରିସାରିଛି । ଏହାସହ ଏସ୍‌ଏସ୍‌ପି ଏହି ମାମଲାର ତଦନ୍ତ ଦାୟିତ୍ୱ ଗୁଇନ୍ଦା ବିଭାଗକୁ ହସ୍ତାନ୍ତର କରିଛନ୍ତି । ମନ୍ଦିରରେ ନମାଜ ପଢିବା ଏବଂ ଏହାର ଫଟୋ ଭିଡିଓ ଭାଇରାଲ କରିବା ପଛରେ ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି ।

ତେବେ ଏହି ଫଟୋ ଯେଉଁ ଫେସ୍‌ବୁକ୍‌ ଆକାଉଣ୍ଟରୁ ଭାଇରାଲ କରାଯାଇଥିଲା, ସେମାନେ ପିଏଫ୍‌ଆଇ ସଦସ୍ୟ ବୋଲି ଜଣାପଡ଼ିଛି । ସେମାନଙ୍କୁ ମଥୁରାସ୍ଥିତ ମା’ ଟୋଲ ଗେଟ୍‌ରୁ ଗିରଫ କରାଯାଇଛି । ଫଟୋ ଭାଇରାଲ ହେବା ପରେ ହିନ୍ଦୁତ୍ୱବାଦୀ ଓ ବିଭିନ୍ନ ଧର୍ମ ସଂସ୍ଥା ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ସାଧୁ ସନ୍ଥମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Namaz At Temple

କାଶୀ ବିଦ୍ୟୁତ ପରିଷଦର ପଶ୍ଚିମ କ୍ଷେତ୍ର ପ୍ରଭାରୀ କାଲୀନାଗିନ ମହାରାଜ ପୋଲିସ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଯେ, ଏମାନେ ବହୁତ ବଡ଼ ଭୁଲ୍‌ କରିଛନ୍ତି । ସେମାନେ ଗୋଟିଏ ନୁହେଁ ଦୁଇଟି ଭୁଲ୍‌ କାମ କରିଛନ୍ତି । ପ୍ରଥମ ଭୁଲ ହେଲା ସେମାନେ ମନ୍ଦିରରେ ନମାଜ ପାଠ କରିଛନ୍ତି ଏବଂ ଦ୍ୱିତୀୟ ଭୁଲ ହେଲା ଏହାର ଫଟୋ ଉଠାଇ ଭାଇରାଲ କରିଛନ୍ତି । ମନ୍ଦିରରେ ନମାଜ ପାଠ କରିବା ସମ୍ପୂର୍ଣ୍ଣ ଅନୁଚିତ୍ । ସେ ଏହି ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ମନ୍ଦିରରେ ନମାଜ୍‌ ପଢ଼ାଯାଉଥିବା ଏହି ଫଟୋ ହେଉଛି, ବରସାନା ଥାନା ଅନ୍ତର୍ଗତ ନନ୍ଦ ଗାଁର ନନ୍ଦ ମହଲ ଭିତରେ ଥିବା ମନ୍ଦିରର । ସେହି ମନ୍ଦିରର ସେବାୟତ କାହ୍ନା ଗୋସ୍ୱାମୀଙ୍କ କହିବାନୁଯାୟୀ, ଅକ୍ଟୋବର ୨୯ରେ ୪ ଜଣ ଯୁବକ ନନ୍ଦଗାଁ ମନ୍ଦିର ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟୋପି ପିନ୍ଧିଥିଲା । ଟୋପି ପିନ୍ଧିଥିବା ଯୁବକକୁ ତଥା ଜଣେ ମୁସଲମାନଙ୍କୁ ମନ୍ଦିର ଭିତରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ତେବେ ମୁସଲମାନ ହୋଇ ମନ୍ଦିର ଭିତରେ କ’ଣ କରୁଛ ବୋଲି  ପଚାରିବାରୁ ଯୁବକ ଜଣକ (ଫୈଜଲ) କହିଥିଲେ ଯେ, ଭଗବାନ କୃଷ୍ଣ କ’ଣ କେବଳ ଆପଣଙ୍କର ?

ଖାଲି ସେତିକି ନୁହେଁ, ଫୈଜଲ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଓ ମନ୍ଦିର ପୁଜକଙ୍କୁ ରାମାୟଣର ଅନେକ ପଂକ୍ତି ଶୁଣାଇଥିଲେ । ଏହି ସମୟରେ ଦିଲ୍ଲୀରୁ ଫୈଜଲ ସହ ଆସିଥିବା ବନ୍ଧୁମାନେ କହିଥିଲେ, ସେମାନେ ସାଇକେଲରେ ଏଠାରୁ ଅନେକ ଦୂରରୁ ଆସିଛନ୍ତି । ପରେ ମନ୍ଦିର ପୂଜକ ଚାରି ଜଣ ଯୁବକଙ୍କୁ ପ୍ରସାଦ ଦେଇଥିଲେ । ପ୍ରସାଦ ନେବା ପରେ ସେମାନେ ମନ୍ଦିର ପରିସର ବୁଲିବାକୁ ଯାଇଥିଲେ ।

ଏବେ ଖବର ସାମ୍ନାକୁ ଆସିଛି ଯେ, ଏହି ଯୁବକମାନେ ମନ୍ଦିରର ଏକ କୋଣରେ ନମାଜ ପାଠ କରିଛନ୍ତି । ମନ୍ଦିର ସେବାୟତ କାହ୍ନା ଗୋସ୍ୱାମୀଙ୍କ କହିବାନୁଯାୟୀ, ସେମାନେ ନମାଜ ପାଠ କରିବା ସମୟରେ ସେଠାରେ ଉପସ୍ଥିତ ଲୋକମାନେ ବାରଣ ମଧ୍ୟ କରିଥିଲେ । ସୂଚନାନୁସାରେ, ଫୈଜଲ ଖାନ୍‌ ସହ ବନ୍ଧୁ ଚାନ୍ଦ, ଗାନ୍ଧିବାଦୀ କାର୍ଯ୍ୟକର୍ତ୍ତା ନିଲେଶ ଗୁପ୍ତା ଓ ଆଲୋକ ରତ୍ନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କିନ୍ତୁ ଏବେ ଫଟୋ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି । ଅନ୍ୟପଟେ ଏହି ଘଟଣାକୁ କୌମୀ ଏକତା ମଞ୍ଚର ମଧୁବନ ଦତ୍ତ ଚତୁର୍ବେଦୀ କହିଛନ୍ତି ଭାଇଚାର ଓ ବନ୍ଧୁତ୍ୱର ଏହା ଏକ ବଡ଼ ଉଦାହରଣ ।

Leave a Reply