ସାଂସଦଙ୍କ ଦସ୍ତଖତ ଜାଲ କରି ଗିରଫ ହେଲେ ଦଳୀୟ କର୍ମୀ

ବାରିପଦା: ସାଂସଦଙ୍କ ଦସ୍ତଖତ ଜାଲ କରିବା ଓ  ହାତପାଣ୍ଠି  କାମରେ ଅନିୟମିତତା ଅଭିଯୋଗରେ ଦୁଇ ଗିରଫ । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ବିଜେପି କର୍ମୀଙ୍କୁ ଗିରଫ କଲା ପୋଲିସ । ସାଂସଦଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିଲା । ସାଂସଦଙ୍କ ଦସ୍ତଖତ ଜାଲ କରି ଏମିତି ହେଉଥିଲା ବୋଲି ଖୋଦ ସାଂସଦ ଅଭିଯୋଗ କରିଛନ୍ତି । ଏଥିରେ ଆଇଟିଡିଏ ବାରିପଦାରେ ୨ଟି ପ୍ରୋଜେକ୍ଟ ଓ ମୋରଡ଼ା ପଞ୍ଚାୟତର ଗୋଟିଏ କାମ ରହିଛି । ବାରିପଦା ଟାଉନ୍ ୨୨ ନମ୍ବର ୱାର୍ଡରେ ହୋଇଥିବା ପ୍ରକଳ୍ପ ଠିକ୍ ସ୍ଥାନରେ ହୋଇନଥିବା ବେଳେ ମୋରଡ଼ା ବ୍ଲକରେ ଛଉ ପେଣ୍ଡାଲ କାର୍ଯ୍ୟରେ ଜେଇ ଓ ଏଇ ସନ୍ଦେହ ପ୍ରକାଶ କରିଥିଲେ ।

ଏସବୁ ପ୍ରକଳ୍ପ ସାଂସଦଙ୍କ ଅଗୋଚରରେ ଜାଲ୍ ଦସ୍ତାବିଜ୍ ଦେଇ ହୋଇଥିବା ସାଂସଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସାଂସଦଙ୍କ ଅଫିସରେ କାର୍ଯ୍ୟରତ ହେମନ୍ତ ସୋରେନ ହେଉଛନ୍ତି ଏସବୁର ମାଷ୍ଟର ମାଇଣ୍ଡ୍ । ହେମନ୍ତ ମୋରଡ଼ା ପଞ୍ଚାୟତ ସମିତି ସଭ୍ୟ ଅଛନ୍ତି । ସେ ହାତପାଣ୍ଠିରୁ କାମ ଦେବା ନାମରେ ଲୋକଙ୍କଠାରୁ ଟଙ୍କା ନେଉଥିଲେ ଓ ତାଙ୍କ  ଡ୍ରାଇଭରଙ୍କ ସହ ଅନ୍ୟ କର୍ମଚାରୀଙ୍କ  ଦରମା ମଧ୍ୟ ଦେଉନଥିଲେ ବୋଲି ସାଂସଦ ଅଭିଯୋଗ କରିଥିଲେ ।

ପୋଲିସ ସମସ୍ତ ଅଭିଯୋଗର ତଦନ୍ତ କରି ସମିତି ସଭ୍ୟ ହେମନ୍ତ ସୋରେନ ଓ କମ୍ପ୍ୟୁଟର ଅପରେଟର ଶୈଳେସ ଗିରିଙ୍କୁ ଗିରଫ କରିଛି । ଉଭୟ ହେଉଛନ୍ତି ବିଜେପି କର୍ମୀ । ଜଣେ ସାଂସଦଙ୍କ ସମ୍ପର୍କୀୟ ହୋଇଥିବା ବେଳେ ଅନ୍ୟ ଜଣେ ବିଜେପି ମିଡିଆ ସେଲର ସହଯୋଗୀ ।

Leave a Reply