ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଗ୍ରହାଣୁ ୪୬୫୮୨୪,୨୦୧୦ ଏଫ.ଆର

1 min read

ଭୁବନେଶ୍ୱର: ଗ୍ରହ ନକ୍ଷତ୍ରଙ୍କୁ ନେଇ ମନରେ କାହିଁ କେତେ କଥା ଆସେ । ଯଦି କେବେ କୌଣସି ଗ୍ରହାଣୁ ପୃଥିବୀ ସହିତ ଧକ୍କା ହେବ ତେବେ ପୃଥିବୀ ଧ୍ୱଂସ ହୋଇଯିବ । ଏହାକୁ ନେଇ ଏକାଧିକ ପ୍ରଶ୍ନ ମନରେ ଉଙ୍କି ମାରେ । ତେବେ ଭାବନା ଏବଂ ବୈଜ୍ଞାନିକଙ୍କ ସୂଚନା ମଧ୍ୟରେ ବେଶ୍ ତଫାତ ରହିଛି । ଅଧିକାଂଶ ସମୟରେ ଗ୍ରହାଣୁ ପୃଥିବୀର ପାଖାପାଖି ପହଞ୍ଚି ଗତି କରିଥିବା ଦେଖିବାକୁ ମିଳିଛି । ନିକଟରେ ଗ୍ରହାଣୁକୁ ନେଇ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଆସନ୍ତା ୬ ସେପ୍ଟେମ୍ବରରେ ପୃଥିବୀର ନିକଟତର ହେବାକୁ ଯାଉଛି ଏକ ଗ୍ରହାଣୁ ।

ଉକ୍ତ ଗ୍ରହାଣୁର ନାମ 465824 2010 FR, ଯାହାକୁ ୧୦ ମାର୍ଚ୍ଚ ୨୦୧୮ରେ ଆବିଷ୍କାର କରାଯାଇଥିଲା । ଖବର ଅନୁଯାୟୀ ୬ ସେପ୍ଟେମ୍ବର ୨୦୨୦ ଅପରାହ୍ନ ୨ଟା ୮ ମିନିଟରେ ଏହା ପୃଥିବୀର ନିକଟତର ହେବ । ସେତେବେଳେ ଏହାର ଦୂରତା ପ୍ରାୟ ୭୭ ଲକ୍ଷ କିଲୋମିଟର ଅର୍ଥାତ ଏହା ପୃଥିବୀ ଚନ୍ଦ୍ର ଦୂରତାର ପ୍ରାୟ ୧୯ ଗୁଣ ଦୂରତାରେ ରହିବ । ଏହାର ହାରାହାରି ବେଗ ଘଣ୍ଟାପ୍ରତି ୫୧ ହଜାର କିଲୋମିଟର ରହିଛି । ଏହାର ଦୈର୍ଘ୍ୟ ୧୨୦ ମିଟର ହୋଇଥିବା ବେଳେ ପ୍ରସ୍ଥ ୨୭୦ ମିଟର । ଏହା ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲେ ଏବଂ ପ୍ରତି ୪ରୁ ୬ ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ । ଏହା ୧୫ ମାର୍ଚ୍ଚ୨୦୧୬ ମସିହାରେ ପୃଥିବୀର ନିକଟତର ହୋଇଥିଲା । ସୂଚନା ମୁତାବକ ଏହା ୧୧ ସେପ୍ଟେମ୍ବର ୨୦୨୬ରେ ପୁଣି ପୃଥିବୀର ନିକଟତର ହେବ ।

ସୂଚନାଯୋଗ୍ୟ ଏକାଧିକ ଗ୍ରହାଣୁ ମଙ୍ଗଳ ଏବଂ ବୃହସ୍ପତ୍ତି ଗ୍ରହ କକ୍ଷ ମଧ୍ୟରେ ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି । ଏମାନଙ୍କ ସଂଖ୍ୟା ଲକ୍ଷ ଲକ୍ଷ ଏବଂ ଆକାର ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋକିଟର ପର୍ଯ୍ୟନ୍ତ ରହିଥାଏ । ଏହି ଗ୍ରହାଣୁ ଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ସେଗୁଡ଼ିକ ମଧ୍ୟରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡ଼ିବା ପୂର୍ବରୁ ବାୟୁମଣ୍ଡଳରେ ଜଳି ପାଉଁଶ ହୋଇଯାଆନ୍ତି ।

ନିକଟରେ ବୈଜ୍ଞାନିକମାନେ୨୩ ହଜାର ୪୨୮ଟି ବଡ଼ ଆକାରର ଗ୍ରହାଣୁ ଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି । ଏଗୁଡ଼ିକ ପୃଥିବୀ ନିକଟରେ ରହିଛନ୍ତି । ତେବେ ଏହା ଉପରେ ନଜର ରଖିଛନ୍ତି ବୈଜ୍ଞାନିକ । ସମ୍ଭାବ୍ୟ ବିପଦଜନକ ଗ୍ରହାଣୁ ମଧ୍ୟରେ ମାତ୍ର ୧୦୭୫ଟି ଗ୍ରହାଣୁକୁ ଶ୍ରେଣୀଭୁକ୍ତ କରାଯାଇଛି । ଏଭଳି ମହା ବିପତ୍ତିରୁ କିଭଳି ଭାବରେ ପୃଥିବୀ ସୁରକ୍ଷିତ ହୋଇ ପାରିବ ତାହାକୁ ନେଇ ଜ୍ୟାତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Close Bitnami banner