ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: କ୍ୟାମ୍ପସ ଖୋଲୁଖୋଲୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖା ଦେଇଛି ଛାତ୍ର ଉତେଜନା । ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି ।

ସୂଚନା ଅନୁଯାୟୀ ସମସ୍ୟାର ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଛାତ୍ର ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଛାତ୍ର ଗୋଷ୍ଠୀ ହଷ୍ଟେଲ ଆଗରେ ଆନ୍ଦୋଳନ କରିଛନ୍ତି । କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ହଷ୍ଟେଲରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି । ସୂଚନା ପାଇ ପିଜି କାଉନ୍ସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ, ଜୋନ ଏସିପି ଅନୀଲ କୁମାର ମିଶ୍ର ଓ ସହୀଦ ନଗର ଥାନା ଅଧିକାରୀ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଛନ୍ତି ।

ତେବେ ଆସନ୍ତାକାଲି କୁଳପତିଙ୍କ ଉପସ୍ଥିତରେ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପିଜି କାଉନ୍ସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି । ଚାପା ଉତେଜନା ଲାଗି ରହିଥିବାରୁ କ୍ୟାମ୍ପସରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି।

Leave a Reply