ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରବିବାର ହେବ ବଡ଼ ଖୁଲାସା, ହତ୍ୟା ନା ଆତ୍ମହତ୍ୟା ? ଏମ୍‌ସ୍‌ ଡାକ୍ତର ଖୋଲିବେ ଗୁମର

1 min read

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ରବିବାର ହେବ ବଡ଼ ଖୁଲାସା । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ସେନେଇ ଆସନ୍ତା ରବିବାର AIIMS‌ର ଡାକ୍ତରୀ ବିଶେଷଜ୍ଞ ଦଳ ଘୋଷଣା କରିବେ । ସୁଶାନ୍ତଙ୍କ ମୃତ୍ୟୁ ଖବର ପାଇବା ଦିନଠାରୁ ଫ୍ୟାନ୍‌ମାନେ ଏବଂ ସୁଶାନ୍ତଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ରିପୋର୍ଟକୁ  ଚାହିଁ ରହିଛନ୍ତି । କାରଣ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହେବ ଦିନଠାରୁ ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ।

ଗୋଟିଏ ପଟେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାକୁ ନେଇ ସିବିଆଇ-ଇଡି-ଏନ୍‌ସିବି ତଦନ୍ତ କରୁଥିବା ବେଳେ ଏଯାଏଁ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ।

ତେବେ ଆସନ୍ତା ରବିବାର ଏହି ଘଟଣାର ଖୁଲାସା କରିବେ AIIMSର‌ ଡାକ୍ତରୀ ବିଶେଷଜ୍ଞ ଦଳ । ବାସ୍ତବରେ, AIIMS ର ବିଶେଷଜ୍ଞ ଦଳ ରବିବାର ଦିନ ନିଷ୍ପତ୍ତି ନେବେ ଯେ ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି । ଏହା ପରେ, AIIMS ର ଏହି ସ୍ୱତନ୍ତ୍ର ପ୍ୟାନେଲର କାର୍ଯ୍ୟ ସମାପ୍ତ ହେବ ।

ରବିବାର ଦିନ AIIMS ଫୋରେନସିକ୍ ବିଶେଷଜ୍ଞ ଡ.ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ଡାକ୍ତରଙ୍କ ପ୍ୟାନେଲ୍ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସରା ପରୀକ୍ଷା ରିପୋର୍ଟ ଉପରେ ଆଲୋଚନା କରିବ ଏହି ପ୍ୟାନେଲ । ଏହାପରେ ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ପ୍ୟାନେଲ ଶେଷ ମତାମତ ଦେବ । ଏହି ପରିପ୍ରେକ୍ଷୀରେ ସୁଶାନ୍ତ ସିଂ ରାଜପୁତଙ୍କ ଭିସରା ରିପୋର୍ଟକୁ ପୁନଃ ଯାଞ୍ଚ କରିଥିବା ଫୋରେନସିକ୍ ବିଶେଷଜ୍ଞମାନେ ଶୁକ୍ରବାର ସୁଦ୍ଧା AIIMS ଡାକ୍ତରଙ୍କ ନିକଟରେ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ ।

Leave a Reply