ଡ୍ରଗ୍ସ ଜବତ ହୋଇନାହିଁ କି ମେଡିକାଲ ଟେଷ୍ଟ ବି ହୋଇନି ! ତେବେ କାହିଁକି ଛାନିଆ ହେଉଛନ୍ତି ସେଲିବ୍ରିଟି…

Riya-rakul-sradha

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ‌ ତଦନ୍ତ ପରେ ଏବେ ପୂରା ବଲିଉଡ୍‌ ଥରହର ହୋଇଉଠିଛି । ଡ୍ରଗ୍ସ ଲିଙ୍କ୍‌  ନେଇ ଏନ୍‌ସିବି ଜୋରଦାର ଖୋଳତାଡ଼ ଚଳାଇଛି । ଏନ୍‌ସିବି ପକ୍ଷରୁ ତଦନ୍ତକୁ ଯେତିକି ଜୋର୍‌ ଦିଆଯାଉଛି ବଲିଉଡ୍‌ରେ ଡ୍ରଗ୍ସ ଗୁମର ପେଡ଼ି ସେତିକି ଖୋଲିବାରେ ଲାଗିଛି । ଅନ୍ୟପଟେ ଡ୍ରଗ୍ସ କାରବାର ନେଇ ସୁଶାନ୍ତ ସିଂହଙ୍କ ଗାର୍ଲ ଫ୍ରେଣ୍ଡ ରିୟା ଏବେ ଜେଲ୍‌ରେ । ରିୟାଙ୍କୁ ଜେରା ପରେ ମିଳିଥିବା ତଥ୍ୟକୁ ଆଧାର କରି ଏନ୍‌ସିବି ବଲିଉଡ୍‌ରେ ଡ୍ରଗ୍ସର ଖିଅ ଖୋଜିବାରେ ଲାଗିଛି ।

Sara Riya Rakul

ତେବେ ରିୟାଙ୍କୁ ଜେରା ପରେ କିଛି ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନ୍‌ସିବି ପକ୍ଷରୁ ରକୁଲ ପ୍ରୀତ୍‌ ସିଂହ, ସାରା ଅଲ୍ଲୀ ଖାନ୍‌, ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କାପୁରଙ୍କ ଭଳି ପ୍ରାୟ ୭ ଜଣଙ୍କୁ ସମନ କରାଯାଇଛି । ୨୫ ତାରିଖରେ ଦିପିକା ପାଦୁକୋନ୍‌ଙ୍କୁ ଜେରା ପାଇଁ ଡକାଯାଇଥିବା ବେଳେ ୨୬ରେ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ଜେରା କରିବ ଏନ୍‌ସିବି । ଏହା ପରେ ରାକୁଲ ପ୍ରୀତ୍‌ ସିଂହ ଓ ସିମୋନ ଖମ୍ବାଟାଙ୍କ ପାଳି ପଡ଼ିବ ବୋଲି ସୂଚନା ମିଳିଛି ।

ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି, ଯେଉଁ ସବୁ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ଡ୍ରଗ୍ସ କନେକ୍ସନ୍‌ ନେଇ ସାମ୍ନାକୁ ଆସିଛି ସେମାନଙ୍କଠାରୁ ଏନ୍‌ସିବି ନା ତ ଡ୍ରଗ୍ସ ଜବତ କରିଛି ନା ସେମାନଙ୍କ ମେଡିକାଲ ଟେଷ୍ଟ କରାଯାଇଛି । ତେବେ ସେମାନେ କାହିଁକି ଏନ୍‌ସିବି ଜାଲରେ ଫସୁଛନ୍ତି ?

ସୂଚନା ଅନୁଯାୟୀ, ଏବେ ଏନ୍‌ସିବି କେବଳ ଜଣେ ବ୍ୟକ୍ତିକୁ ଆଧାର କରି ତଦନ୍ତ କରୁ ନାହିଁ । ବରଂ ଛୋଟ ଛୋଟ ଡ୍ରଗ୍ସ ରାକେଟ୍‌ ସମେତ ବଡ଼ ଡ୍ରଗ୍ସ କାରବାର କରୁଥିବା ସିଣ୍ଡିକେଟ୍‌ ଉପରେ ନଜର ରଖିଛି । ଯେଉଁମାନେ ଡ୍ରଗ୍ସ ଆମଦାନୀ କରୁଛନ୍ତି ବା ଏକ ବଡ଼ ସିଣ୍ଡିକେଟ୍‌ ଚଳାଉଛନ୍ତି ସେମାନଙ୍କୁ ଧରିବା ପାଇଁ ଏନ୍‌ସିବି ଜାଲ ବିଛାଇଛି । ଏହି ଉଦ୍ଦେଶ୍ୟ ରଖି ଏନ୍‌ସିବି ପ୍ରଥମେ ରିୟାଙ୍କୁ ଗିରଫ କରିନଥିଲା ବରଂ ତାଙ୍କ ସହ ଯୋଗାଯୋଗରେ ଥିବା ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଥିଲା ।

ସେହି ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରି ଜେରା କରିଥିଲା ଏନ୍‌ସିବି । ସେମାନଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ତଦନ୍ତକୁ ତୀବ୍ର କରିଥିଲା । ଏହି ଜେରା ବେଳେ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଥିଲା । ସେହି ନାଁ ଗୁଡ଼ିକୁ ନେଇ ଏନ୍‌ସିବି କୋର୍ଟରେ ହାଜର ହୋଇଥିଲା । କୋର୍ଟରେ ଏନ୍‌ସିବି ନିଜର ପକ୍ଷ ରଖିବା ପରେ ସେଲିବ୍ରିଟିଙ୍କୁ ସମନ କରିଛି ଏବଂ ତଦନ୍ତକୁ ତ୍ୱରାନ୍ୱିତ କରିଛି । ଫଳରେ ଅନେକ ନୂଆ ନୂଆ ନାଁ ଏହି ତାଲିକାରେ ଯୋଡ଼ି ହୋଇଛି ।

Deepika Padukone Depression Jaya Saha Karisma Interrogation NCB

ତେବେ ଏନ୍‌ସିବି ପାଇଁ ସବୁଠାରୁ ବଡ଼ ପ୍ରମାଣ ଭାବେ ଉଭା ହୋଇଛି ହ୍ୱାଟ୍‌ସଆପ୍‌ ମେସେଜ୍‌ । ଏଥିରୁ ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବି ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ହ୍ୱାଟ୍‌ସଆପ୍‌ରୁ ପ୍ରମାଣ ମିଳିଥିବାରୁ ଏନ୍‌ସିବି ପାଇଁ ଡ୍ରଗ୍ସ ଜବତ କରିବା କିମ୍ବା ସିଲିବ୍ରିଟିଙ୍କ ମେଡିକାଲ୍‌ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଉଛି । ବରଂ ଏହି ଡ୍ରଗ୍ସ ସିଣ୍ଡିକେଟ୍‌ରେ ସାମିଲ ଥିବା ସମସ୍ତ ଚେହେରାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଳାଇଛି ଏନ୍‌ସିବି ।

Leave a Reply