Fake TRP Case: ଅର୍ଣ୍ଣବଙ୍କ ମାମଲା ଶୁଣାଣି କରିବାକୁ ମନା କଲା ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଟିଆରପି ଜାଲିଆତିରେ ମୁମ୍ୱାଇ ପୋଲିସ ରିପବ୍ଲିକ୍ ଟିଭିକୁ ଅଭିଯୁକ୍ତ ଦର୍ଶାଇଥିଲା । ତେବେ ଏହି ପ୍ରସଙ୍ଗରେ ଚ୍ୟାନେଲ ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ଓ ଅର୍ଣ୍ଣବଙ୍କୁ ବମ୍ୱେ ହାଇକୋର୍ଟକୁ ଅପିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ମୁମ୍ୱାଇ ପୋଲିସ ଏହି ମିଛ ଟିଆରପି ପ୍ରସଙ୍ଗରେ ରିପବ୍ଲିକ୍ ଟିଭି କାର୍ଯ୍ୟକର୍ତ୍ତାଙ୍କୁ ସମନ କରିବାକୁ ଚାହୁଁଛି ।

ଅର୍ଣ୍ଣବ ମୁମ୍ୱାଇ ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ମାତ୍ର ଏବେ ତାଙ୍କୁ ସୁପ୍ରିମକୋର୍ଟ ନିରାଶ କରିଛି । ତେବେ ସୁପ୍ରିମକୋର୍ଟକୁ ସତ୍ୟପାଠ ଦାଖଲ କରି ମୁମ୍ୱାଇ ପୋଲିସ ଅର୍ଣ୍ଣବଙ୍କର ଏହି ଯାଚିକାକୁ ଖାରଜ କରିବା ସହ ତାଙ୍କ ଉପରେ ଶକ୍ତ ଦଣ୍ଡାଦେଶର ଶୁଣାଣି କରିବା ପାଇଁ କୋର୍ଟକୁ ଅନୁରୋଧ କରିଥିଲା । ମୁମ୍ୱାଇ ପୋଲିସ କହିଛି ଯେ, ବ୍ୟକ୍ତି ସ୍ୱାଧୀନତା ଆଳରେ ଯେକେହି ଅପରାଧିକ ତଦନ୍ତରୁ ରକ୍ଷା ପାଇପାରିବେ ନାହିଁ ।

ଏହା ଆଇନସମ୍ମତ ନୁହେଁ । ସେହିଭଲି ଜଣେ ଅଭିଯୁକ୍ତ ତଦନ୍ତ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ଅଭିଯୋଗ ଦାଖଲ କରିବା ଗ୍ରହଣୀୟ ନୁହେଁ । ରିପବ୍ଲିକ୍ ଟିଭି ମୁମ୍ୱାଇ ପୋଲିସର ତଦନ୍ତ ପ୍ରକ୍ରିୟା ବାଧା ଉତ୍ପନ୍ନ କରୁଛି । ସେହିଭଳି ତଦନ୍ତ ପ୍ରକ୍ରିୟା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ହେତୁ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ମୁମ୍ୱାଇ ପୋଲିସ କହିଛି ।

Leave a Reply