ସମାଜବାଦୀ ପାର୍ଟିକୁ ସେଲିବ୍ରିଟି ପାର୍ଟି କରିଥିବା ଏମିତି ଜଣେ ନେତାଙ୍କ କାହାଣୀ ,ଯିଏ ଅମିତାଭଙ୍କୁ ମଧ୍ୟ ଦେବାଳିଆ ହେବାରୁ ବଂଚାଇଥିଲେ

ଅମର ସିଂହ । ଭାରତୀୟ ରାଜନୀତିର ଏମିତି ଗୋଟିଏ ନାଁ ଯାହାକ ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ । ୯୦ ଦଶକର ଅନ୍ତିମ ଭାଗ ଓ ନୂଆ ସହସ୍ରାବ୍ଦିର ପ୍ରଥମ ଦଶକରେ ସିଏ ଉତ୍ତର ପ୍ରଦେଶର ରାଜନୀତିର ଚାଣକ୍ୟ ଥିଲେ ।ଆଉ ବିରୋଧୀଙ୍କ ପାଇଁ କର୍ପୋରେଟ୍ ଦଲାଲ । ଏମିତି ଜଣେ ବ୍ୟକ୍ତି ଯିଏ ମୁମ୍ବାଇରେ ରହୁଥିଲେ କିନ୍ତୁ ପୂର୍ବାଂଚଳରେ ସାହେବ ନାଁରେ ଦବଦବା ଥିଲା । ଯାଦବ ଦଳର ଠାକୁର ମୁହଁ ଯିଏ ଯାଦବ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ବି ଶକ୍ତିଶାଳୀ ହୋଇପରିଥିଲେ । ସେଇ ଅମର ସିଂହଙ୍କର ୬୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ।

ଫ୍ଲାଇଟରେ ହୋଇଥିଲା ମୁଲାୟମଙ୍କ ସହ ଭେଟ

amar mulayam

୧୯୯୬ରେ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ପ୍ରବେଶ କରିଥିଲେ । ଏହିଠାରୁ ଆରମ୍ଭ ହୋଇଥିଲା ଅମରଙ୍କ ପଲିଟିକାଲ ମ୍ୟାନେଜମେଣ୍ଟ୍ । ଯାହା ତାଙ୍କୁ ଆଗକୁ ଚାଣକ୍ୟର ଉପାଧୀ ଦେଇଥିଲା ।  ଗୋଟିଏ ସମୟରେ ଦେଶର ଆଗଧାଡିର ଶିଳ୍ପପତିଙ୍କ ମଧ୍ୟରେ ଗଣା ଯାଉଥିବା ଅମର ଓ ମୁଲାୟମଙ୍କ ମଧ୍ୟରେ ସାକ୍ଷାତ ଗୋଟିଏ ଫ୍ଲାଇଟରେ ୧୯୯୬ ମସିହାରେ ହୋଇଥିଲା । ସେତେବଳେ ମୁଲାୟମ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଆଗରୁ ମୁଲାୟମଙ୍କ ସହ ଅମରଙ୍କ ସାକ୍ଷାତ ହୋଇଥିଲା କିନ୍ତୁ ପ୍ରଥମ ଥର ପାଇଁ ଏହା ଗୋଟିଏ ନିର୍ଣ୍ଣୟାକ ସାକ୍ଷାତ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ନିକଟତା ବଢିଥିଲା । ଆଉ ଅମର ସମାଜବାଦୀ ପାର୍ଟିକୁ ପ୍ରବେଶ କରିଥିଲେ ।

୪ ବର୍ଷର ସଂପର୍କରେ ରାଷ୍ଟ୍ରୀୟ ସଚିବ

ଫ୍ଲାଇଟ୍ ସାକ୍ଷାତର ମାତ୍ର ୪ ବର୍ଷ ପରେ ମୁଲାୟମ ଅମରଙ୍କୁ ନିଜ ଦଳର ରାଷ୍ଟ୍ରୀୟ ସଚିବ କରିଥିଲେ । ୨୦୦୦ ମସିହାରେ ଅମର ଦଳର ରାଷ୍ଟ୍ରୀୟ ମହାସଚିବ ହୋଇଥିଲେ । ଏହା ସହ ଅମର ସିଂହଙ୍କ ସମାଜବାଦୀ ପାର୍ଟିରେ ଦଖଲ ବଢିବାରେ ଲାଗିଥିଲା । ଅମର କିଏ ଟିକେଟ୍ ପାଇବ,କିଏ କେଉଁ ପଦରେ ରହିବ ଓ କିଏ ଦଳରେ ରହିବ ତାହା ନିର୍ଧାରଣ କରିବାକୁ ଲାଗିଲେ । ଅମରଙ୍କ ପ୍ରସିଦ୍ଧ ଶିକାର ମଧ୍ୟରୁ ଜଣେ ଥିଲେ ରାମପୁରର ବଦନାମ ନେତା ଆଜମ ଖାନ୍ । ଆଜମ ଖାନଙ୍କୁ ଅମରଙ୍କ ପାଇଁ ଦଳରୁ ତଡା ଖାଇବାକୁ ପଡିଥିଲା । ମୁଲାୟମଙ୍କ ମୁଖ୍ୟମନ୍ତ୍ରୀ ହେବାରେ ଅମରଙ୍କ ପ୍ରମ୍ମୁଖ ଭୂମିକା ଥିଲା । ଇଏ ସେହି ସମୟ ଥିଲା ଯେତେବେଳେ ଅମିତାଭ ଜାତୀୟ ଟିଭିରେ କହୁଥିଲେ ‘ୟୁପି ମୈ ଦମ୍ ହୈ କ୍ୟୁଁକି ୟହା କ୍ରାଇମ୍ କମ୍ ହୈ’’ ।

ସମାଜବାଦୀ ପାର୍ଟିରୁ ସେଲିବ୍ରିଟି ପାର୍ଟି !

bachan family
ଅମରଙ୍କ ବିରୋଧରେ ତାଙ୍କ ନିନ୍ଦୁକଙ୍କ ବଡ ଅଭିଯୋଗ ଥିଲା ଯେ,ସେ ସମାଜବାଦୀ ପାର୍ଟିର ଚିତ୍ର ଓ ଚରିତ୍ରକୁ ବଦଳାଇ ଦେଇଥିଲେ । ତାଙ୍କରି ଅମଳରେ ମୁମ୍ବାଇରୁ ବଲିଉଡ୍ ସେଲିବ୍ରିଟି ଦଳକୁ ଆମଦାନୀ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ଥିଲେ ଅମିତାଭ ଓ ଜୟା ବଚ୍ଚନ । ଅମିତାଭ ସିଧା ତ’ ରାଜନୀତିକୁ ପ୍ରବେଶ କରିନଥିଲେ କିନ୍ତୁ ମୁଲାୟମ ସରକାରର ଗୁଣଗାନ କରୁଥିଲେ ଜାତୀୟ ଟିଭିରେ । ୟୁପି ମୈଁ ଦମ୍ ହୈ କ୍ୟୁଁ କି ୟହାଁ କ୍ରାଇମ୍ କମ୍ ହେ’ ଥିଲା ସେତେବେଳ ଚର୍ଚ୍ଚା ପାଲଟିଥିବା ଅମିତାଭଙ୍କ ୟୁପି କ୍ୟାମ୍ପେନ୍ । ଜୟା ସମାଜବାଦୀ ପାର୍ଟି ଟିକେଟରେ ରାଜ୍ୟ ସଭାକୁ ଯାଇଥିଲେ । କିନ୍ତୁ ଯେତେବେଳେ ନିଜେ ଦଳରୁ ବିଦା ହେଲେ ସେତେବେଳେ ଜୟା ତାଙ୍କ ସହ ଦଳ ଛାଡିଲେ ନାହିଁ । ଫଳରେ ଦୁଇ ପରିବାର ମଧ୍ୟରେ ସଂପର୍କ ତିକ୍ତ ହୋଇ ପଡିଥିଲା । ତେବେ ସେ କଥା ଆଗକୁ ।

କଂଗ୍ରେସ ଆଗରେ ବ୍ୟାକଫୁଟରେ ଖେଳୁଥିଲେ ଅମର

amar sonia

୨୦୦୪ରେ ଅମର ସମାଜବାଦୀ ପାର୍ଟିକୁ ଜାତୀୟସ୍ତରରେ ଛିଡା କରିବା ପାଇଁ ସବୁ ଉଦ୍ୟମ କରିଥିଲେ । ଏଥିପାଇଁ ତାଙ୍କରି ପରାମର୍ଶରେ ଘୋର ବିରୋଧୀ କଂଗ୍ରେସକୁ ସମାଜବାଦୀ ପାର୍ଟି ଅନେକ ପ୍ରସଙ୍ଗରେ ସମର୍ଥନ କରିଥିଲା । ଏମିତିକି ଭାରତ ଆମେରିକା ପରମାଣୁ ଚୁକ୍ତି କାଳରେ ହୋଇଥିବା କ୍ୟାସ୍ ଫର ଭୋଟ୍ କାଣ୍ଡରେ ମଧ୍ୟ ତାଙ୍କ ନାମ ଆସିଥିଲା । କିନ୍ତୁ କଂଗ୍ରେସ ଅମରଙ୍କୁ ସେତେ ଭାଉ ଦେଇନଥିଲା । ଏମିତିକି ତାଙ୍କୁ ଓ ତାଙ୍କ ନେତାଜୀଙ୍କ ପାଇଁ ଅନେକ ସମୟରେ ସୋନିଆଙ୍କ ନିମନ୍ତ୍ରଣ କେବଳ ଅପେକ୍ଷା ଥିଲା ।

ଚାଣକ୍ୟ ଯେତେବେଳେ ଦଳରୁ ବିଦା ହେଲେ

amar jayaprada

ତେବେ ଅମରଙ୍କ ପାଇଁ ଦଳରେ ସବୁକିଛି ୨୦୧୦ ପରଠାରୁ ଠିକ୍ ରହିଲା ନାହିଁ । ତାଙ୍କୁ ଦଳରୁ ବିଦା ହେବାକୁ ପଡିଲା । ମୁଲାୟମଙ୍କ ପରେ ପୁଅ ଅଖିଳେଶ ଦଳର ମଙ୍ଗ ଧରିବା ପରେ ଅମରଙ୍କ ରାଜନୈତିକ ବ୍ୟବହାର୍ଯ୍ୟ ହ୍ରାସ ପାଇଥିଲା । ଦଳରେ ପୁରୁଣା ବିରୋଧୀ ଆଜମ ଖାନ ଓ ଅନ୍ୟମାନଙ୍କ ପ୍ରଭାବ ବଢିଲା । ଏହାପରେ ନିଜର ଦଳ ତିଆରି କରିଥିଲେ । ପୂର୍ବାଂଚଳକୁ ଅଲଗା ରାଜ୍ୟ କରିବାକୁ ଆନ୍ଦୋଳନ କରିଥିଲେ । କିନ୍ତୁ ସାହେବଙ୍କ ଯାଦୁ ପ୍ରଭାବହୀନ ହୋଇ ସାରିଥିଲା । ସାହେବଙ୍କୁ ପୂର୍ବାଂଚଳରୁ ମଧ୍ୟ ସମର୍ଥନ ମିଳିନଥିଲା ।

ଅମିତାଭଙ୍କୁ ଦେବାଳିଆ ହେବାରୁ ବଂଚାଇଥିଲେ

amar amitabh

ଅମର ସିଂହ ପେଜ୍ ଥ୍ରିର ପ୍ରସିଦ୍ଧ ଚେହେରା ଥିଲେ । ସାହାରାଶ୍ରୀ ସୁବ୍ରୋତ ରାୟଙ୍କ ସହ ତାଙ୍କର ଥିଲା ଭଲ ସଂପର୍କ । ୨୦୦୦ ମସିହା ଆସିବା ବେଳକୁ ଅମିତାଭ ବଚ୍ଚନ ନିଜ ଏବିସିଏଲ (ଅମିତାଭ ବଚ୍ଚନ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ) ପାଇଁ ଦେବାଳିଆ ହୋଇଯାଇଥିଲେ । କୌଣସି କର୍ପୋରେଟ୍ ଅମିତାଭଙ୍କୁ ସାହାଯ୍ୟ କରୁନଥିଲେ ।ଏମିତିରେ ଅମର ତାଙ୍କ ପାଇଁ ସାହାରା ହୋଇଥିଲେ  । ସାହାରା ଓ ଅମ୍ବାନୀଙ୍କ ସହ ନିକଟ ସଂପର୍କକୁ ବ୍ୟବହାର କରି ସେ ଅମିତାଭଙ୍କୁ କରଜ ଜାଲରୁ ମୁକୁଳାଇଥିଲେ । ଅମିତାଭ ଓ ଜୟାଙ୍କୁ ମୁଲାୟମଙ୍କ ସହ ପରିଚୟ କରାଇଥିଲେ । ଜୟା ତାଙ୍କ ପାଇଁ ରାଜ୍ୟସଭା ଯାଇଥିଲେ । କିନ୍ତୁ ଯେତେବେଳେ ଅମରଙ୍କୁ ଦଳ ଡଷ୍ଟବିନକୁ ଫୋପାଡି ଦେଲା ସେତେବେଳେ ତାଙ୍କ ସହ ନଥିଲେ ଜୟା ବଚ୍ଚନ,ଥିଲେ ଜୟାପ୍ରଦା । ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବୟାନବାଜୀ ହୋଇଥିଲା । ଜୟା ଓ ଅମିତାଭଙ୍କୁ ସେ ସମାଲୋଚନା କରିଥିଲେ । କିନ୍ତୁ ଚଳିତ ବର୍ଷ ଫେବ୍ରୁଆରି ମାସରେ ସେ ଏଥିପାଇଁ ଅମିତାଭଙ୍କୁ କ୍ଷମା ମଧ୍ୟ ମାଗିଥିଲେ ।

Leave a Reply