ଅଭିନୟ ଶିକ୍ଷାର ସେ ଥିଲେ ଜଣେ ଧୁରୀଣ ଦ୍ରୋଣାଚାର୍ଯ୍ୟ: ତାଙ୍କ ଅବର୍ତ୍ତମାନ, କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ…

ଭୁବନେଶ୍ୱର: ବେଳେ ବେଳେ ଜଣେ ବ୍ୟକ୍ତି ତା ବ୍ୟକ୍ତିତ୍ୱର ପରାକାଷ୍ଠାରେ ବ୍ୟକ୍ତି ସତ୍ତାରୁ ଉର୍ଦ୍ଧ୍ୱକୁ ଉଠି, ଅନୁଷ୍ଠାନରେ ପରିଣତ ହୁଏ । ଅନୁଷ୍ଠାନ ତ ଧାରାର ପ୍ରବର୍ତ୍ତକ । ଅନୁଷ୍ଠାନ ବି ଆଦର୍ଶର ପ୍ରଚାରକ । ଆକାଶରେ ଅନେକ ତାରା, ହେଲେ ଗୋଟିଏ ଗୋଟିଏ ଜ୍ୟୋତିଷ୍କର ନକ୍ଷତ୍ର ସମସ୍ତଙ୍କୁ ଆକର୍ଷିତ କରୁଥାଏ ଅହରହ । ଓଡିଆ ଫିଲ୍ମ ଦୁନିଆର ସେମିତି ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଅଭିନେତା, ନିର୍ଦ୍ଦେଶକ ବିଜୟ ମହାନ୍ତି ।

ଅଭିନୟ ଶିକ୍ଷାର ସେ ଥିଲେ ଜଣେ ଧୁରୀଣ ଦ୍ରୋଣାଚାର୍ଯ୍ୟ । ସଂଘର୍ଷ ଆଉ ସଂଘାତ ଜୀବନର ସହଚର । ତାକୁ ଗୌଣ କରି ଯିଏ ଆଗକୁ ବଢେ, ସେ ହୁଏ ମହାନ୍ । ସେଇ ମହନୀୟତାର ଉପପାଦ୍ୟ ହେଲେ ବିଜୟ ମହାନ୍ତି , ଯିଏ ଅର୍ଦ୍ଧ ଶତାବ୍ଦୀର ଅଭିନୟ ଜୀବନକୁ ପଛରେ ଫିଙ୍ଗି ଆଗକୁ ବଢିଛନ୍ତି ସଂସାରର ଚରମ ସତ୍ୟକୁ ଆଲିଙ୍ଗନ କରିବା ପାଇଁ । ଆୟୁଷ ସରିଯାଇଛି ତାଙ୍କର, କିନ୍ତୁ ସେ ଆୟୁଷ୍ମାନ ହୋଇଯାଇଛନ୍ତି ଜନମାନସରେ । କି ପ୍ରଚଣ୍ଡ ତାଙ୍କର ପ୍ରତିଭା, କି ନିଟୋଳ ଥିଲା ତାଙ୍କର ଅଭିନୟ, କି ନିଛକ ଥିଲା ତାଙ୍କର ସଂଳାପ । କି ଆବେଗ, କେତେ ଅନ୍ୱେଷା, ପୁଣି କେତେ ଦୁର୍ଦ୍ଦଶ । ଉତ୍କର୍ଷର ଉଦ୍ୟୋକ୍ତା ଥିଲେ ସେ । ରୂପେଲି ପରଦାରେ ଯିଏ ତାଙ୍କର ସୁନେଲି ଅଭିନୟ ଦେଖିଛି, ସେ ହିଁ ବୁଝିଛି ତାଙ୍କ କଳାକାର ସତ୍ତାର ସୀମାହୀନ ଗଭୀରତାକୁ ।

ସେ ଦେଖିଛନ୍ତି ଉର୍ମି ଅଧିରା ରୂପସୀ ଚିଲିକା କେମିତି ଏକା ଏକା ନାଚି ପାରେ । ସେ ବି ଦେଖିଛନ୍ତି, ରୂପର ଉର୍ମି ତଳେ ଦୁଃଖ ମଶାଲ କେମିତି ଦିକି ଦିକି ହୋଇ ଜଳିପାରେ । ଚିଲିକା ତୀରେରୁ, ମୃତ୍ୟୁ ନଈର ତଟ ପର୍ଯ୍ୟନ୍ତ ତାଙ୍କ ଯାତ୍ରାର ପ୍ରତିଟି ଛକରେ ଆଜି ସେ ଠିଆ ହୋଇଛନ୍ତି ଚମତ୍କାର ସ୍ମାରକୀ ହୋଇ ।

ତାଙ୍କ ଅବର୍ତ୍ତମାନ, କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ । ଏହା ହେଉଛି, ଯୁଗାବସାନର ସଂକେତ । ଯାହାଙ୍କୁ ଆଜି ପ୍ରତି ଓଡ଼ିଆ ଦର୍ଶକର ସଜଳ ଆଖି ଖୋଜୁଛି, ଆଉ ଖୋଜୁଛି । ସେ କିନ୍ତୁ ଅଫେରା ରାସ୍ତାର ପଥିକ । ଦିନେ ଦର୍ଶକଙ୍କୁ ପର୍ଯ୍ୟାପ୍ତ ଆନନ୍ଦ ଦେଇଥିବା ବିଜୟ ଆଜି ଦର୍ଶକଙ୍କ ଆଖିରେ ଭରି ଦେଇଛନ୍ତି, ଖାଲି ଲୁହ ଆଉ ଲୁହ ।

ଅଭିନୟର ବିଭିନ୍ନ ବିଭାଗରେ ବିଜୟଙ୍କର ରହିଥିଲା ବିଶେଷତ୍ବ । ହେଲେ ସବୁଠୁ ଅଧିକ ତାଙ୍କ ଚରିତ୍ର ଅଭିନୟ ଦର୍ଶକଙ୍କୁ କରୁଥିଲା ଅଭିଭୁତ । ଲାଗୁଥିଲା, ସତେ ଯେମିତି ଅଭିନୟ ନୁହେଁ, ବାସ୍ତବ ଜୀବନର କଥା କହୁଛନ୍ତି ସେ । କ୍ଷମା, ପ୍ରେମ, ତିତିକ୍ଷାର ସେ ଥିଲେ ତଲ୍ଲୀନ ମଣିଷ । ସେଥିପାଇଁ ତ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ମଣିଷ ଆଜି ଶୋକ ସନ୍ତପ୍ତ । ବିଜୟ ଯୁଗର ଅବସାନ ଯେ ଘଟିଛି ଏକଥାକୁ ମନ ଗ୍ରହଣ କରୁନି । ଓଡିଶାର ଏହି ମହାନ କଳାକାରଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

(ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଟିଭି)

ଆପଣଙ୍କ ପୁଅ ବିଜୟ ଆଉ ନାହାନ୍ତିି, ଏକଥା ଶୁଣି ଏଭଳି ଜିଦ୍‌ କରୁଛନ୍ତି ତାଙ୍କ ବୃଦ୍ଧା ମାଆ

Leave a Reply