୫ରୁ ଅଧିକ ଲୋକଙ୍କୁ ଏକାଠି ମନା, ୨ ଶହ ଲୋକଙ୍କୁ ଏକତ୍ର କରି ବୈଠକ କଲେ ସାଂସଦଙ୍କ ପ୍ରତିନିଧି

ଟାଙ୍ଗୀ: ସଂକ୍ରମଣ ବଢ଼ୁଛି, ନେତାଙ୍କ ପାଗଳାମି କମୁନି । ପୁଣି କୋଭିଡ୍ ନିୟମ ଭାଙ୍ଗି ଚର୍ଚ୍ଚାରେ ବିଜେପି ନେତା ଓ କର୍ମୀ । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ସଚେତନ ହେଉନାହାଁନ୍ତି ନେତା । ଜନତାଙ୍କୁ କଣ କରିବେ ସଚେତନ ? ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫୦୦ ଟପିଲାଣି, ତଥାପି ଚେତା ପଶୁନି । ସରକାର ଟେଷ୍ଟିଂ ସହ ଚିକିତ୍ସାକୁ ଗୁରୁତ୍ୱ ଦେଉଥିବା ବେଳେ କୋଭିଡ୍ ନିୟମ ଭାଙ୍ଗି ଚାଲିଛନ୍ତି ବିଜେପି ନେତା ଓ କର୍ମୀ । ମଙ୍ଗଳବାର ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ପଞ୍ଚାୟତରେ କୋଭିଡ୍ ନିୟମ ଭଙ୍ଗ ନେଇ ଥାନାରେ ଏତଲା ଦେଇଛନ୍ତି ସରପଞ୍ଚ ।

ଜୁଲାଇ ୧୪ ତାରିଖ (ମଙ୍ଗଳବାର) କୋଭିଡ୍ ନିୟମକୁ ଭୁଲି ମଙ୍ଗଳାଯୋଡ଼ି ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଅଜିତା ସଂଗଠନ ସଭା କରିଥିଲା । ଯେଉଁ ସମ୍ମିଳନୀରେ ୨ ଶହରୁ ଅଧିକ ମହିଳା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ‘ଅଜିତା’ର ମୁଖ୍ୟ ସୁମିତ୍ରା ପ୍ରଧାନ, ସୁନ୍ଦରପୁର ସମିତି ସଭ୍ୟ ଯୁଧିଷ୍ଠିର ସାହୁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାଙ୍ଗୀ ବ୍ଲକ ପ୍ରତିନିଧି ପ୍ରଦୋଶ ହରିଚନ୍ଦନଙ୍କ ସମେତ ଅନ୍ୟ ନେତା ଓ ନେତ୍ରୀ ଯୋଗ ଦେଇଥିଲେ । ଏନେଇ ଥାନାରେ ଏତଲା ଦେଇଛନ୍ତି ସରପଞ୍ଚ ।

ସମ୍ମିଳନରେ ୨୦୦ରୁ ଅଧିକ ମହିଳା ସାମିଲ୍ ହୋଇଥିବା ବେଳେ ଅଧିକାଂଶଙ୍କ ମୁହଁରେ ମାସ୍କ କି କପଡ଼ା ନଥିଲା । ସାମାଜିକ ଦୂରତା ରକ୍ଷାକୁ ସମସ୍ତେ ଭୁଲି ଯାଇଥିଲେ । ମହାମାରୀ କରୋନା ବେଳେ ଋଣ ଦେବାର ପ୍ରଲୋଭନ ଦେଖାଇ ଏହି ସମ୍ମିଳନୀ କରାଯାଇଥିଲା । କୋଭିଡ୍ ପାଇଁ ରାଜ୍ୟ ସରକାର ସଭା, ସମିତି ସହ ଏକତ୍ରୀକରଣ ଉପରେ କଟକଣା ଜାରି କରିଛନ୍ତି । ତେବେ, ଏତେ ସଂଖ୍ୟାରେ ଲୋକ ଏକାଠି ହେବାକୁ ଏମାନଙ୍କୁ କିଏ ଅନୁମତି ଦେଲା ? ଏହା ଏବେ ଅଞ୍ଚଳରେ ଚର୍ଚ୍ଚା ସହ ସଂକ୍ରମଣର ଆଶଙ୍କାକୁ ବଢ଼ାଇ ଦେଇଛି ।

(ଟାଙ୍ଗୀରୁ ସରୋଜ ପାଇକରାୟ)

ବୃକ୍ଷରୋପଣ ନାଁରେ ସାମାଜିକ ଦୂରତାକୁ ଉଲ୍ଲଂଘନ କଲେ ବିଜେପି ସାଂସଦ ଅପରାଜିତାଙ୍କ ସମର୍ଥକ

Leave a Reply