ସ୍କୁଲ ବନ୍ଦ ପ୍ରସଙ୍ଗ: ସ୍କୁଲ ବନ୍ଦ ନୁହେଁ, ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ବାରମ୍ବାର ହୋହଲ୍ଲା ଓ ହଟ୍ଟଗୋଳ । ପୁରୀ ହାଜତ ମୃତ୍ୟୁ ମାମଲା ସହିତ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି ବୃଦ୍ଧି ପାଇଛି । ରାଜ୍ୟରେ ୧୪ ହଜାର ସ୍କୁଲ ବନ୍ଦ କରିବାକୁ ପ୍ରସ୍ତାବ ଥିବା ନେଇ ବିରୋଧୀ ଦଳ ହଙ୍ଗାମା କରିଥିଲେ । ତେବେ ସରକାରୀ ପକ୍ଷର କହିବା ଥିଲା ଯେ, ସ୍କୁଲ ବନ୍ଦ ପାଇଁ ସରକାର କୌଣସି ନଷ୍ପତ୍ତି ନେଇ ନାହାନ୍ତି ।

ବିରୋଧୀ ଦଳର ଅଭିଯୋଗ ଉପରେ ଉତ୍ତର ରଖି ବିଜେଡି  ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇନାହାନ୍ତି । ବ୍ଲକ୍‌ ସ୍ତରରେ କମିଟି ଗଠନ କରାଯଇଛି, ସେମାନେ ନିଷ୍ପତ୍ତି ନେବେ । ହଠାତ ସରକାର ସ୍କୁଲ ବନ୍ଦ କରିବେ ନାହିଁ । ସରକାର ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି ବୋଲି ଦେବୀ  ମିଶ୍ର କହିଥିଲେ ।

ସେପଟେ  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ ଯେ,  ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ।ରାଜ୍ୟରେ ୧୪ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି୭୭୭୨ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ହୋଇଥିବା ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ। ତେବେ କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପଆଉଟ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗରୁ ନିଷ୍ପତ୍ତି ନିଆଯାଇଛି। ଆଗକୁ ସ୍କୁଲରେ ଶ୍ରେଣୀ ଶିକ୍ଷକ ରହୁଥିଲେ। କିନ୍ତୁ ପିଲା କମ୍ ପାଇଁ ଶ୍ରେଣୀ ଶିକ୍ଷକ ଦେବା ସମ୍ଭବ ହେଉନାହିଁ। ଗୋଟିଏ ସ୍କୁଲରେ ଯଦି ଏକା ସାଙ୍ଗରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସନ୍ତି ତେବେ ଶିକ୍ଷକ ପାଠ ପଢେଇବା ଅସୁବିଧା ହେବ। ଏସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବାର ଉଦେଶ୍ୟ ରାଜ୍ୟ ସରକାରଙ୍କ ର ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସରକାରଙ୍କ ଲକ୍ଷ୍ୟ ।

ତେବେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳର ପ୍ରଥମେ ୧୫ ମିନିଟ୍ ପରେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସ୍କୁଲ ବନ୍ଦ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଥିଲେ, ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର । ସରକାର ନିର୍ଦ୍ଦେଶ ଦିଅନ୍ତୁ, ଏସବୁ ବନ୍ଦ ନହେଉ । ଆବଶ୍ୟକ ପଦକ୍ଷେପ ନିଆଯାଉ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ କହିଥିଲେ ସ୍କୁଲ ବନ୍ଦ ନହେଉ । ସ୍କୁଲ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ବିଜେପି ଓ କଂଗ୍ରେସ ଦାବି କରିଥିଲେ ।

Leave a Reply