୨୧ରେ କମିଟି ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ହେଲେ ଏଯାବତ୍ ସମସ୍ୟାର ସମାଧାନ ହେଇପାରୁନାହିଁ । ଆଜି ସୁପ୍ରିମକୋର୍ଟ ଗଠନ କରିଥିବା କମିଟିର ସଦସ୍ୟ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ ।

ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ ବାହାରି ନଥିବାବେଳେ ଆସନ୍ତା ୨୧ ତାରିଖରେ ହେବ ଆଉ ଏକ ବୈଠକ । ସମସ୍ତ ସଙ୍ଗଠନ ସହ ଆଲୋଚନା କରି ଏହାର ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦିଆଯିବ ବୋଲି କହିଛନ୍ତି ସଦସ୍ୟମାନେ ।

ସେହିପରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନେଇ ଦିଲ୍ଲୀ ପୋଲିସ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ବୈଠକ ବସି ଆଲୋଚନା ହେବ ବୋଲି ଜଣାପଡିଛି । ଦିଲ୍ଲୀ ଲାଲକିଲା ପରିବର୍ତ୍ତେ ରିଙ୍ଗ ରୋଡରେ ଶାନ୍ତିପୂର୍ଣ୍ଣ ଭାବେ ଗଣତନ୍ତ୍ର ଦିବସରେ ପରେଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଙ୍ଗଠନ।

ସେପଟେ ଆସନ୍ତାକାଲି ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ବସିବ ଦଶମ ରାଉଣ୍ଡ ବୈଠକ । ସମସ୍ୟାର ସମାଧାନ ନେଇ ଚାଷୀମାନେ ଆଶାବାଦୀ ଅଛନ୍ତି। ଏପଟେ ତିନି କୃଷି ଆଇନକୁ ନେଇ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ନୂଆ କୃଷି ଆଇନ୍ ଫଳରେ ଚାଷୀକୁଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଓ ଚାଷୀମାନେ ସମସ୍ୟାରେ ପଡିବେ ବୋଲି କହିଛନ୍ତି ରାହୁଲ ।

ମୋଦି ସରକାର କେବଳ ନିଜ ପାଖ ଲୋକଙ୍କୁ ଖୁସି କରିବା ପାଇଁ ଏହି ଆଇନ ଆଣିଛନ୍ତି । ଏହା ଦ୍ବାରା ୩ ରୁ୪ ଜଣ ଲୋକେ ଉପକୃତ ହେବେ । ଆନ୍ଦୋଳନରେ ବସି ରହିଥିବା ଚାଷୀଙ୍କ ଦାବି ମାନିନେବା ସହ କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ରାହୁଲ । କଂଗ୍ରେସ ସବୁବେଳେ ଚାଷୀଙ୍କ ସହ ରହିଛି ଓ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି କହିଥିଲେ।

Leave a Reply