ମାଣ୍ଡା ରାଜାଙ୍କଠାରୁ ମୋଦି,୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିଲେ ପାଶ୍ୱାନ

କେନ୍ଦ୍ରମନ୍ତ୍ରୀ ତଥା ବିହାର ଦଳିତ ରାଜନୀତିର ଚିହ୍ନାମୁହଁ ରାମବିଳାଶ ପାଶ୍ୱାନଙ୍କର ଦେହାନ୍ତ ସହ ଭାରତୀୟ ରାଜନୀତିର ଗୋଟିଏ କାଳଖଣ୍ଡ ଶେଷ ହୋଇଛି । ୫୦ ବର୍ଷର ପାଶ୍ୱାନଙ୍କ ରାଜନୈତିକ ଯାତ୍ରା ଥିଲା ଭାରତୀୟ ରାଜନୀତିର କଡ ଲେଉଟାଣିର ସମୟ । ଇଏ ଏମିତି ଗୋଟିଏ ସମୟ ଥିଲା ଯାହାଥିଲା ରାଜନୀତିରେ ମଣ୍ଡଳ ଓ କମଣ୍ଡଳ ପରୀକ୍ଷଣର ଯୁଗ । ପାଶ୍ୱାନ ମଣ୍ଡଳ ରାଜନୀତି କାଳରେ ’କମଣ୍ଡଳ’ର ଘୋର ବିରୋଧୀ ଥିଲେ । ହିନ୍ଦି ହାର୍ଟଲ୍ୟାଣ୍ଡରେ ଦଳିତ ଉତ୍ଥାନ କାଳରେ ସେ ବିଜେପିର ହିନ୍ଦୁତ୍ୱ ଧୃବୀକରଣର ଘୋର ବିରୋଧୀ ଥିଲେ । କିନ୍ତୁ ରାଜନୀତିର ପାଣିପାଗକୁ ଆଗୁଆ ପଢିବାରେ ମାହିର ଥିବା ଏହି ନେତା ଆଗକୁ ଚାଲି ବିଜେପି ନେତୃତ୍ୱାଧିନ ସରକାରରେ ବି ସାମିଲ ହୋଇଥିଲେ । ସେ ମଣ୍ଡଳ ରାଜନୀତିକୁ ସଂପୂର୍ଣ୍ଣ ତ୍ୟାଗ ନକରି ମଧ୍ୟ କମଣ୍ଡଳ ମଣ୍ଡଳୀରେ ସାମିଲ ହୋଇପାରିଥିଲେ ।

ରାଜନୀତିର ପାଣିପାଗ ବିଶେଷଜ୍ଞ

ରାମବିଳାଶଙ୍କୁ ଏମିତିରେ ରାଜନୀତିର ପାଣିପାଗ ବିଜ୍ଞାନୀ ବୋଲି କୁହାଯାଉ ନଥିଲା । ସେ ଭାରତୀୟ ରାଜନୀତିର ଆଗତ ଭବିଷ୍ୟତ ପଢି ପାରୁଥିଲେ । ତେଣୁ ସବୁ ବେଳେ ତାଙ୍କୁ ଠିକ୍ ସମୟରେ ଠିକ୍ କ୍ୟାମ୍ପରେ ଦେଖିବାକୁ ମିଳୁଥିଲା । ୯ଥରର ସାଂସଦ । ୭ ଥର କେନ୍ଦ୍ରମନ୍ତ୍ରୀ । ପାଶ୍ୱାନ ଦେଶର ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କାମ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସଂସଦକୁ ଯାଇଥିବା ପାଶ୍ୱାନ ୧୯୯୦ ଦଶକ ପରେ ନରସିଂହ ରାଓଙ୍କ ସରକାରକୁ ଛାଡି ବାକି ସବୁ ସରକାରରେ ସେ ମନ୍ତ୍ରୀ ରହିଥିଲେ । ମାନେ ସରକାର ଯେଉଁ ମେଣ୍ଟର ହେଉନା କାହିଁକି ରାମବିଳାଶ ମନ୍ତ୍ରୀ ହେବା ସୁନିଶ୍ଚିତ ଥିଲା ।

vp singh with paswan

କେନ୍ଦ୍ରରେ ୭ଥର ମନ୍ତ୍ରୀ

ରାମ ବିଳାଶ ପାଶ୍ୱାନ କେନ୍ଦ୍ର ସରକାରରେ ୭ଥର ମନ୍ତ୍ରୀ ହୋଇଥିଲେ । ଅଟଳ ବିହାରୀ ବାଜପାୟୀଙ୍କ ସରକାରରେ ସେ ଦୁଇଥର ଓ ନରେନ୍ଦ୍ର ମୋଦିଙ୍କ ସରାକରରେ ଦୁଇଥର ମନ୍ତ୍ରୀ ଥିଲେ । ୧୯୮୯ ମସିହାର ଚନ୍ଦ୍ରଶେଖର ଓ ପି ଭି ନରସିଂହ ରାଓଙ୍କ ସରକାରକୁ ଛାଡି ଗତ ୩୦ ବର୍ଷ ମଧ୍ୟରେ ଯେଉଁ ସବୁ ସରକାର ଗଠନ ହୋଇଥିଲା ସେଥିରେ ସେ ମନ୍ତ୍ରୀ ହୋଇଥିଲେ । ବିଶ୍ୱନାଥ ପ୍ରତାପ ସିଂହ,ଏଚଡି ଦେବଗୌଡା,ଇନ୍ଦ୍ର କୁମାର ଗୁଜରାଲ,ଅଟଳ ବିହାରୀ ବାଜପାୟୀ,ମନମୋହନ ସିଂହ ଓ ନରେନ୍ଦ୍ର ମୋଦିଙ୍କ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଏମିତି ବି କୁହାଯାଉଥିଲା ଯେ, ଆଗକୁ କେଉଁ ମେଣ୍ଟ ସରକାର ଗଢିବ ତାହା ପାଶ୍ୱାନଙ୍କ ଷଷ୍ଠ ଇନ୍ଦ୍ରୀୟ ତାଙ୍କୁ କହି ଦେଉଥିଲା । ତେଣୁ ନିର୍ବାଚନ ପୂର୍ବରୁ ପାଶ୍ୱାନ ମେଣ୍ଟ ବଦଳାଇ ଦେଉଥିଲେ । ଏହାର ଅଲଗା ଅର୍ଥ ମଧ୍ୟ ଥିଲା ଯେ, ପାଶ୍ୱାନ ଯେଉଁ ମେଣ୍ଟକୁ ଯାଉଥିଲେ ସେହି ମେଣ୍ଟର ସରକାର ଗଠନ ସମ୍ଭାବନା ଅଧିକ ରହୁଥିଲା ।

vajpayee paswan

ମଣ୍ଡଳ କମିଶନ

ମନ୍ତ୍ରୀ ଭାବେ ପାଶ୍ୱାନଙ୍କ କାମକୁ ସବୁବେଳେ ମନେ ରଖାଯିବ । ସିଏ ସବୁବେଳେ ଏମିତି କିଛି କାମ କରୁଥିଲେ ଯାହା ଦେଶବ୍ୟାପୀ ଚର୍ଚ୍ଚା ଓ ବିତର୍କର ବିଷୟ ହେଉଥିଲା । ଭିପି ସିଂହଙ୍କ ସରକାରରେ ସମାଜ କଲ୍ୟାଣ ମନ୍ତ୍ରୀ ଭାବେ ସେ ମଣ୍ଡଳ କମିଶନ ରିପୋର୍ଟର ସୁପାରିସକୁ ଲାଗୁ କରିବା କାମ କରିଥିଲେ । ଏଥିପାଇଁ ଓବିସି ସମ୍ପ୍ରଦାୟକୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥିଲା । ଯାହା ଆଗକୁ ଭାରତୀୟ ରାଜନୀତିକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ଗାଁ ଗାଁରେ ମୋବାଇଲ କ୍ରାନ୍ତି ଆଣିବାରେ ମଧ୍ୟ ତାଙ୍କ ଭୂମିକା ଥିଲା । ୧୯୯୬ ମସିହାରେ ଗୁଜୁରାଲ ସରକାରର ପତନ ପରେ ସେ ଏନଡିଏରେ ସାମିଲ ହୋଇଥିଲେ । ଏନଡିଏ ସରକାରରେ ସଂଚାର ମନ୍ତ୍ରୀ ଭାବେ ଦେଶରେ ମୋବାଇଲ କ୍ରାନ୍ତି ଆଣିବାରେ ସେ ସଫଳ ହୋଇଥିଲେ । କରୋନା କାଳରେ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ଭାବେ ଗରିବଙ୍କ ପାଖରେ ଖାଦ୍ୟ ପହଂଚାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave a Reply