କଏଦୀଙ୍କ ପାଇଁ ଜେଲ୍‌ରେ କ୍ୱାରେଣ୍ଟାଇନ୍ ସେଣ୍ଟର: ଜେଲ୍‌କୁ ଆସିଲେ ସ୍କ୍ରିନିଂ ଓ ସାନିଟାଇଜେସନ୍ ପକ୍କା

ଭୁବନେଶ୍ୱର: କରୋନା ପାଇଁ ଝାରପଡା ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା । ଜେଲ ଭିତରେ ସଂକ୍ରମଣ ବଢ଼ୁଥିବାରୁ ନୂଆ କଏଦୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ସମସ୍ତ କଏଦୀଙ୍କ ପାଇଁ ୪ ଥାକିଆ ସ୍କ୍ରିନିଂ ଓ ସାନିଟାଇଜେସନ ବ୍ୟବସ୍ଥା କରାଯାଇଥିବା ବେଳେ ନୂଆ କଏଦୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ୱାର୍ଡର ବ୍ୟବସ୍ଥା କରାଯାଇଛି ।

କରୋନା ମୁକାବିଲା ପାଇଁ ଝାରପଡା ଜେଲକୁ ଆସୁଥିବା ନୂଆ କଏଦୀଙ୍କ ଲାଗି ୪ଟି କ୍ୱାରେଣ୍ଟାଇନ୍‌ ୱାର୍ଡର ବ୍ୟବସ୍ଥା କରାଯାଇଛି । ସେମାନଙ୍କର କୋଭିଡ୍ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଥିବା କଏଦୀଙ୍କ ଭିତରୁ ଯଦି କାହାର ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣ ବାହାରେ, ତାହାଲେ ସେମାନଙ୍କ ପାଇଁ ଅନ୍ୟ ୱାର୍ଡର ବ୍ୟବସ୍ଥା ହୋଇଛି । ଜେଲ୍‌ର ଡାକ୍ତର ସେମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ବେଳେ ଯଦି କାହାର କରୋନା ଲକ୍ଷଣ ଦେଖାଦିଏ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ  । କଏଦୀ ଓ ଜେଲର କର୍ମଚାରୀଙ୍କ ଲାଗି ୩ ହଜାର ମାସ୍କ ଯୋଗାଇ ଦିଆଯାଇଥିବା ବେଳେ ପ୍ରବେଶ ପଥରେ ସ୍କ୍ରିନିଂ ଓ ସାନିଟାଇଜ୍ କରାଯିବାର ବ୍ୟବସ୍ଥା ହୋଇଛି ।

ଝାରପଡ଼ା ଜେଲରେ ଆଜି ସୁଦ୍ଧା କୌଣସି କର୍ମଚାରୀ କିମ୍ବା କଏଦୀ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି । ଗତକାଲି କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୪୪ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ମାର୍ଚ୍ଚ ୨୦ରୁ ଆଜି ପର୍ଯ୍ୟନ୍ତ ୬୨୮ ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି ।

ଝାରପଡ଼ା ଜେଲ୍‌ର ୭୪୯ କଏଦୀ କ୍ଷମତା ଥିବା ବେଳେ ଏବେ ୬୭୦ଜଣ ଅଛନ୍ତି । ସେଥିପାଇଁ ଏବେ ସବୁପ୍ରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗକୁ କଟକଣା ଆହୁରି କଡ଼ାକଡ଼ି କରାଯିବ ବୋଲି ଝାରପଡା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦିନକୁ ଦିନ କରୋନା କାୟା ମେଲାଇ ଚାଲିଛି । ଏଭଳି ସ୍ଥିତିରେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ବିଚାରାଧୀନ କଏଦୀ ମାନେ ରହୁଥିବାରୁ ପ୍ରତିଷେଧ ମୂଳକ ପଦକ୍ଷେପ ଅତ୍ୟନ୍ତ ଜରୁରୀ ହୋଇପଡିଛି

Leave a Reply