କୃଷକ ସଂଘର୍ଷ ସମନ୍ୱୟ ସମିତି ଦେଲା ଆନ୍ଦୋଳନ ଡାକରା, ସାରା ରାଜ୍ୟରେ ଜଳିବ କୃଷି ଆଇନ୍‌ କପି

Farmer Protest

ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟରେ କେନ୍ଦ୍ର କୃଷି ଆଇନ ବିରୋଧରେ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆନ୍ଦୋଳନ । ରାଜ୍ୟବ୍ୟାପୀ କୃଷି ଆଇନର କପି ପୋଡ଼ିବ ସଂଗଠନ । ୧୮ ତାରିଖରେ ମହିଳା ଚାଷୀମାନେ ରାଜ୍ୟବ୍ୟାପୀ ବିରୋଧ କରିବେ । ୨୩ ତାରିଖରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ କିଷାନ ମୁକ୍ତି ସଂକଳ୍ପ ଦିବସରେ ରାଜଭବନ ଆଗରେ ଧାରଣା ଦେବେ ଚାଷୀ ସଂଗଠନ ।

ସେହିଭଳି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଚାଷୀମାନେ ରାଜ୍ୟବ୍ୟାପୀ ସମାନ୍ତରାଳ ପ୍ୟାରେଡ୍‌ କରିବେ । ଦେଶବ୍ୟାପୀ ଚାଲିଥିବା କୃଷକ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ସମସ୍ତ କୃଷକ ସଙ୍ଗଠନର ମିଳିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

କଂଗ୍ରେସ ମଧ୍ୟ ଆସନ୍ତା ୧୫ ତାରିଖରେ ସବୁ ରାଜ୍ୟର ରାଜଭବନ ଘେରାଉ କରିବ । ଓଡ଼ିଶାରେ ମଧ୍ୟ ପିସିସି ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ଯାଇ ରାଜଭବନ ଆଗରେ ଧାରଣା ଦିଆଯିବ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଆହୁରି ଜୋରଦାର ଆନ୍ଦୋଳନ ହେବ ବୋଲି କଂଗ୍ରେସ କହିଛି । ବିଜେଡି ମଧ୍ୟ କୃଷକଙ୍କ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ୍‌ କରିଛି । ଚାଷୀମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ସରକାର ସମାଧାନ ନକରିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି । ତୁରନ୍ତ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ଦାବି କରିଛି । ବିଜେପି କିନ୍ତୁ ଏବେ ବି କୃଷି ଆଇନକୁ ଐତିହାସିକ ଆଇନ କହିବା ସହ କିଛି ନ୍ୟାସ୍ତସ୍ୱାର୍ଥ ଗୋଷ୍ଠୀ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ।

Leave a Reply