ଆଳୁ ଦାମ କାହିଁକି ବଢୁଛି ? କାହା ନୀତି ଆଣିଛି ଏହି କୃତିମ ମୂଲ୍ୟ ବୃଦ୍ଧି…ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ଦେଶରେ ଅହେତୁକ ଭାବେ ଆଳୁ ଦଳ ବଢିବାରେ ଲାଗିଛି । ଆଳୁ ଉତ୍ପାଦନ ଏବଂ ମହଜୁଦ୍ ପ୍ରଭାବିତ ହୋଇ ନ ଥିଲେ ମଧ୍ୟ ଦର ବୃଦ୍ଧି ପାଇଛି । ଯାହାକୁ ନେଇ ଖାଉଟି ଅସନ୍ତୋଷ ବୃଦ୍ଧି ପାଉଛି । ଏହି ଆଳୁଦର ବୃଦ୍ଧି ପାଇଁ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଛି ।

କୃଷି ସମୀକ୍ଷକଙ୍କ ମତାମତ ଅନୁଯାୟୀ, ଅସାଧୁ ବ୍ୟବସାୟୀଙ୍କ କବଳରୁ ଦେଶର ଚାଷୀ ଓ ଖାଉଟୀଙ୍କୁ ସୁରକ୍ଷା ଦେବାକୁ ୧୯୫୫ ମସିହାରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ରହିଥିଲା । ଏହି ଆଇନ ବଳରେ ରାଜ୍ୟ ସରକାରମାନେ ଏସବୁ ସାମଗ୍ରୀକୁ ବିପୁଳ ପରିମାଣରେ ଜମା ରଖୁଥିବା ଅଥବା ମନଇଚ୍ଛା ଦରରେ ବିକ୍ରି କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଥିଲା । କିନ୍ତୁ ନିକଟରେ କେନ୍ଦ୍ରସରକାର ଆଣିଥିବା ତିନୋଟି କୃଷି ଆଇନ ଅନ୍ତର୍ଗତ ଏହି ଆଇନରେ ଯେଉଁ ସଂଶୋଧନ କରିଛନ୍ତି ସେଥିରେ ଆଳୁ, ପିଆଜ, ଡାଲି, ଖାଇବା ତେଲ ପରି ସାମଗ୍ରୀଗୁଡିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟେଇ ଦିଆଯାଇଛି । ଯାହା ଏକ ଜନତା ବିରୋଧୀ ପଦକ୍ଷେପ ।

Sundergarh District Administration Fixed Selling Price Of Onions & Potatoes

ଫଳରେ ଏସବୁ ସାମଗ୍ରୀକୁ ମନଇଚ୍ଛା ଜମା ରଖିବାକୁ ତଥା ମନଇଚ୍ଛା ଦରରେ ବିକ୍ରି କରିବାକୁ ଆଗରୁ ଥିବା ପ୍ରତିବନ୍ଧକ ହଟିଯାଇଛି। ନୂଆ ଆଇନ ଫଳରେ ବଡ ବ୍ୟବସାୟୀ କମ୍ପାନୀମାନେ ନିଜର ବିପୁଳ ପୁଞ୍ଜି ବଳରେ ଏସବୁ ସାମଗ୍ରୀକୁ ଚାଷୀ ମାନଙ୍କ ଠାରୁ ଶସ୍ତାରେ କିଣି, ତାକୁ ଗୋଦାମରେ ମନଇଚ୍ଛା ଜମା କରି ଏବଂ ଆକାଶଛୁଆଁ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ହେଲେ ଆଇନରେ ଆସିଥିବା ପରିବର୍ତ୍ତନ ଦ୍ୱାରା ରାଜ୍ୟ ସରକାରମାନଙ୍କ କ୍ଷମତାକୁ ହ୍ରାସ କରିଦିଆଯାଇଛି ।  ଏହା ଦ୍ୱାରା ରାଜ୍ୟ ସରକାର ମାନେ କୌଣସି ଆଇନଗତ ପଦକ୍ଷେପ ନେବାକୁ ସମର୍ଥ ହେବେ ନାହିଁ ।

କ’ଣ ରହିଛି ଆଳୁ ସମ୍ବଦ୍ଧୀୟ ପରିସଂଖ୍ୟନ

ଦେଶର ସବୁଠୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ । ଏହାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟରେ ୩୦.୫୬ ଲକ୍ଷ ଟନ ଆଳୁ କେବଳ ଉତ୍ତର ପ୍ରଦେଶରେ ମହଜୁଦ୍ ରହିଛି । ସେଥିରୁ ୮ ଲକ୍ଷ ମଞ୍ଜି ପାଇଁ ରହିଥିବା ବେଳେ ବାକି ୨୨ ଲକ୍ଷ ଖାଇବା ପାଇଁ ରଖାଯାଇଛି । ଆଗକୁ ନଭେମ୍ବରରେ ଆଳୁର ନୂଆ ଫସଲ ଆସିବାକୁ ଯାଉଛି । ଏହି ଫସଲ ଆସିବା ବେଳକୁ ବର୍ତ୍ତମାନ ଗଚ୍ଛିତ ଥିବା ଆଳୁ ପରିମାଣରୁ ମାତ୍ର ୧୦ ଲକ୍ଷ ଟନ୍ ସରିଥିବ । ସେହିପରି ଚଳିତ ବର୍ଷ ଦେଶରେ ଆଳୁ ଉତ୍ପାଦନ ୫୨.୫୨ ମିଲିୟନ ଟନ୍ ଉତ୍ପାଦିତ ହେବ ବୋଲି ଗତ ଜାନୁୟାରୀରେ ଆକଳନ କରାଯାଇଥିଲା । ଏଥିରୁ ୬ ମିଲିୟନ ଟନ୍ ବୀଜ ବାବଦକୁ , ୨.୮୦ ଆଳୁ ପ୍ରକ୍ରିୟାକରଣ ବାବଦରେ ବିନିଯୋଗ ହେବ । ୬ ଲକ୍ଷ ଟନ ଆଳୁ ରପ୍ତାନୀ ମଧ୍ୟ କରାଯିବ । ଏହିପରି ଭାବେ ୩୭ ମିଲିୟନ ଟନ ଆଳୁ ଆବଶ୍ୟକ ହେବ । ତେଣୁ ଆବଶ୍ୟକତା ଠାରୁ ଅଧିକ ଆଳୁ କେବଳ ୟୁପିରେ ମହଜୁଦ୍ ଅଛି । ତେଣୁ ଆଳୁ ଉତ୍ପାଦନ ହେଉଥିବା ଅନ୍ୟ ରାଜ୍ୟର ପରିମାଣକୁ ମିଶାଇଲେ ଏହା ଦେଶପାଇଁ ଯଥେଷ୍ଟ ବୋଲି ପ୍ରତୀୟମାନ ହେଉଛି ।

କୃଷି ଆଇନ ସଂଶୋଧନ ପରେ ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ ବାଦ୍ ପଡ଼ିବା ପରେ ମୂଲ୍ୟ ବୃଦ୍ଧି ହୋଇଛି । କାରଣ ରାଜ୍ୟ ସରକାର ଏହା ଉପରେ କୌଣସି ଆଇନଗତ ପଦକ୍ଷେପ ଗ୍ରହଣ କରିପାରୁନାହାନ୍ତି । ତେଣୁ କେନ୍ଦ୍ର ସରକାର ଆଳୁ ଷ୍ଟକ ଉପରେ ଅଙ୍କୁଶ ଲଗାଇ ଦର ନିୟନ୍ତ୍ରଣ କରିବାର ସମୟ ଆସିଥାବ ସମୀକ୍ଷକମାନେ କହିଛନ୍ତି ।

Leave a Reply