ରାଷ୍ଟ୍ରପତିଙ୍କୁ ଭେଟି ଦେଶ ଓ ସୀମା ସ୍ଥିତି ଅବଗତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲଦାଖ ଗଲବାନ ଘାଟିରେ ଚୀନ ସହ ତିକ୍ତତା ବଢ଼ିବାରେ ଲାଗିଛି । ଶୁକ୍ରବାର ଲେହରେ ଯବାନଙ୍କ ସହ ଏଲଏସି ସ୍ଥିତି ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରି ଆସିଛନ୍ତି । ସୀମାରେ ଲାଗି ରହିଥିବା ଉତ୍ତେଜନା ଓ ଅନ୍ତର୍ଜାତୀୟ ସ୍ତରରେ ଏହାର କଣ ପ୍ରଭାବ ପଡ଼ିଛି । ଏନେଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଅବଗତ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କୁହାଯାଉଛି ।

ଗଲବାନ ଘାଟିରେ ଜୁନ୍ ୧୫ ତାରିଖରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ  । ତା’ପରଠୁ ଏଲଏସିରେ ଉତ୍ତେଜନା ଲାଗି ରହିଛି । ୨ ଦେଶ ସୀମାରେ ସାମରିକ ଶକ୍ତି ବଢ଼ାଉଥିବା ବେଳେ ଆକାଶରେ ଚକ୍କର କାଟୁଛି ଯୁଦ୍ଧ ବିମାନ । ଏହାରି ଭିତରେ ଭାରତ ଚୀନକୁ କଡ଼ା ସନ୍ଦେଶ ଦେଇଛି । ଦେଶର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଚୀନ କମ୍ପାନୀର ଟେଣ୍ଡର ବାତିଲ୍ କରାଯାଇଛି । ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ୫୯ଟି ଚାଇନିଜ୍ ଆପକୁ ସରକାର ବ୍ୟାନ୍ କରିଛନ୍ତି ।modi in nimu leh

ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ଲଦାଖ ଗସ୍ତ କରିଥିଲେ । ଲେହ ସ୍ଥତ ନିମୁ ଫରୱାର୍ଡ ପୋଷ୍ଟରେ ବାୟୁସେନା, ସ୍ଥଳସେନା ଯବାନ ମାନଙ୍କ ସହ ଆଲୋଚନା କରିଥିଲେ । ଏଲଏସିରେ ଉପୁଜିଥିବା ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ତଥ୍ୟ ଅବଗତ ହୋଇଥିଲେ ପ୍ରଧାନମନ୍ତ୍ରୀ । ଯବାନଙ୍କୁ ସମ୍ବୋଧିତ କରି ଭାରତ କେବେ ବି ସୀମାରୁ ପଛକୁ ହଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

Leave a Reply