କାଲିଠାରୁ ବଦଳିଯିବ ATMରୁ ଟଙ୍କା ଉଠାଣ ପ୍ରକ୍ରିୟା, ଜାଣନ୍ତୁ କେଉଁ ନିୟମ

1 min read

ନୂଆଦିଲ୍ଲୀ: ବଦଳିଯିବ ଏଟିଏମ୍‌ରୁ ଟଙ୍କା ଉଠାଇବା ପ୍ରକ୍ରିୟା । ମାର୍ଚ୍ଚରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତରେ କରୋନା ଭାଇରସ୍ କାରଣରୁ ଯେକୌଣସି ଏଟିଏମରୁ ଟଙ୍କା ଉଠାଇବାକୁ ଅନୁମତି ପ୍ରଦାନ କରିଥିଲେ । କହିବାକୁ ଗଲେ ଏଟିଏମ୍‌ ନିୟମରେ କୋହଳ କରିଥିଲେ । କେବଳ ୩ ମାସ ପାଇଁ ଏହି ରିହାତି ଦିଆଯାଇଥିଲା । ଯାହା ମଙ୍ଗବାର ବା ୩୦ ତାରିଖ ଦିନ ସରୁଛି । କରୋନା କଟକଣା ପାଇଁ ଗ୍ରାହକମାନେ ଯେକୌଣସି ବ୍ୟାଙ୍କରୁ ଯେତେଥର ପାରୁଥିଲେ ଟଙ୍କା ଉଠାଉଥିଲେ । ସେମାନଙ୍କ ଉପରେ କୌଣସି ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡ଼ୁନଥିଲା । କିନ୍ତୁ ଜୁନ୍ ୩୦ ପରେ, ଏହି ନିୟମ ସମାପ୍ତ ହୋଇଯିବ ଏବଂ ନିୟମ ଅନୁଯାୟୀ ଅନ୍ୟ ବ୍ୟାଙ୍କ ଏଟିଏମ୍‌ ଗୁଡିକରୁ କେବଳ ସିଲେକ୍ଟ କାରବାରକୁ ଅନୁମତି ଦିଆଯିବ ।

ଏଟିଏମରୁ ଟଙ୍କା ଉଠାଇବା ପାଇଁ ପ୍ରତ୍ୟେକ ବ୍ୟାଙ୍କର ଭିନ୍ନ ନିୟମ ରହିଛି । ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ୍ ରୁ ଟଙ୍କା ଉଠାଇବା ନିୟମ ଦେଖନ୍ତି, ତେବେ ମେଟ୍ରୋ ସହରରେ ୮ଥର ବିନା ମୂଲ୍ୟରେ ଟଙ୍କା ଉଠାଇବାକୁ ଅନୁମତି ଦିଆଯାଇଛି । ସେଥିମଧ୍ୟରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ ଆପଣ ୫ ଥର ଟ୍ରାଞ୍ଜାକ୍ସନ କରିପାରିବେ ଏବଂ ଅନ୍ୟ ବ୍ୟାଙ୍କରୁ ୩ଥର ଟ୍ରାଞ୍ଜାକ୍ସନ କରିପାରିବେ । ଯଦି ଏହାଠାରୁ ଅଧିକ ଥର କରନ୍ତି ତେବେ ତାହା ଉପରେ ଅତିରିକ୍ତ ମୂଲ୍ୟ ଲାଗିବ ।

ଯଦି ଆମେ ଅଣ-ମେଟ୍ରୋ ସହର ବିଷୟରେ କଥା ହେବା । ତେବେ ୧୦ ଥର ବିନା ମୂଲ୍ୟରେ ଟ୍ରାଞ୍ଜାକ୍ସନ କରିପାରିବା । ଅର୍ଥାତ୍ ୫ଥର ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମରୁ ଟଙ୍କା ଉଠାଇ ପାରିବେ, ଏବଂ ୫ ଥର ଆପଣ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇ ପାରିବେ । ଯଦି ଆପଣ ଏହାଠାରୁ ଅଧିକ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଅଧିକ ୨୦ ଟଙ୍କା ଚାର୍ଜ ସହିତ ଜିଏସଟି ଦେବାକୁ ପଡିବ । ଯଦି ଆପଣ କେବଳ ବାଲାନ୍ସ ଯାଞ୍ଚ କରନ୍ତି କିମ୍ବା ଟଙ୍କା ଉଠାଇବା ବ୍ୟତୀତ ଅନ୍ୟ କୌଣସି କାରବାର କରନ୍ତି, ତେବେ ଆପଣଙ୍କୁ ୮ ଟଙ୍କା ଏବଂ ଜିଏସଟି ବାବଦକୁ ଟଙ୍କା ଦେବାକୁ ପଡିବ ।

ଏହା ସହିତ ନିର୍ମଳା ସୀତାରମଣ ସର୍ବନିମ୍ନ ବାଲାନ୍ସ ନିୟମ ଉପରେ ରିହାତି ଦେଇଥିଲେ ।  ୩ ମାସ ପାଇଁ, ଯଦି କୌଣସି ଲୋକର ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ନଥାଏ ତେବେ ଗ୍ରାହକଙ୍କଠାରୁ ଜୋରିମାନା ଆଦାୟ କରାଯାଉନଥିଲା । ବର୍ତ୍ତମାନ ଏହାର କାର୍ଯ୍ୟକାଳ ଜୁନ୍ ୩୦ ରେ ଶେଷ ହେବ । ଯଦି ଜୁଲାଇ ୧ ରୁ ସର୍ବନିମ୍ନ ବାଲାନ୍ସ ନଥାଏ, ତେବେ ଗ୍ରାହକଙ୍କଠାରୁ ଏହି ଜରିମାନା ଆଦାୟ କରିବ ବ୍ୟାଙ୍କ ।

Leave a Reply