ବାତିଲ୍ ପରେ ଖଣି ନିଲାମ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କଲେ

1 min read

ଭୁବନେଶ୍ୱର: ଖଣି ନିଲାମ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି । ୨୦ଟି ଖଣି ନିଲାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ୨୦ଟି ଖଣି ମଧ୍ୟରେ ୧୨ଟି ଲୁହା ପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହା ପଥର ଓ ମାଙ୍ଗାନିଜ୍ ଖଣି ରହିଛି । ନିଲାମ ପାଇଁ ଥିବା ୧୨ଟି ଲୁହା ପଥର ଖଣି ହେଲା ଗୋରୁମହିଷାଣୀ, ବାଦାମପାହାଡ଼, ଜଜାଙ୍ଗ, ନାଡ଼ିଡିହ, ବାଲଦା, ନୂଆଗାଁ, ଠାକୁରାଣୀ, ଝିଲିଙ୍ଗ୍-ଲଙ୍ଗଲୋତା, ଜରିବାହଲ ରୋଇଡ଼ା-୨, ଜୁଜୁରି ଏବଂ ଗନୁଆ ।

କଟାସାହି ଏବଂ କନ୍ଥେର-କୋଇଡ଼ା ମାଙ୍ଗାନିଜ ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ୬ଟି ଲୁହା ପଥର ଏବଂ ମାଙ୍ଗାନିଜ୍ ଖଣି ହେଲା ନାଡ଼ିଡ଼ିହ (ଫ୍ରିଗେଡ୍), ତେହେରାଇ, କୋଲମଙ୍ଗ, ସିଲଯୋର-କାଲିମାଟି, ନାରାୟଣପଷି ଏବଂ ମହୁଲଶୁଖା । ଏସବୁ ଖଣି ମଧ୍ୟରୁ ୬ଟି ଖଣକୁ ସ୍ପଞ୍ଜ, ଆଇରନ ଉତ୍ପାଦନକାରୀ ଏବଂ/ବା ପିଗ୍ ଆଇରନ୍ ଏବଂ/ବା ଇସ୍ପାତ ଏବଂ/ବା  ପେଲେଟ ଉତ୍ପାଦନକାରୀଙ୍କ ପାଇଁ ସଂରକ୍ଷିତ ରଖିଛନ୍ତି । ସେହି ଖଣି ହେଲା ଠାକୁରାଣୀ ଲୁହାପଥର ଖଣି, ଜରିବାହଲ ଲୁହାପଥର ଖଣି, ରୋଇଡ଼ା-୨ ଲୁହାପଥର ଖଣି, ଗନୁଆ ଲୁହାପଥର ଖଣି ଏବଂ ନାରାୟଣପୋଷି ଲୁହାପଥର ଓ ମାଙ୍ଗାନିଜ ଖଣି।

ଖଣି ଏବଂ ଖଣିଜ(ବିକାଶ ଏବଂ ନିୟନ୍ତ୍ରଣ) ଆଇନ୍-୧୯୫୭ର ଧାରା ୧୦(ବି) ଏବଂ ଖଣିଜ (ନିଲାମ) ନିୟମ, ୨୦୧୫ ଅନୁଯାୟୀ ଏହି ନିଲାମ ଡକାଯାଇଛି । ଆର୍ଥିକ ନିଲାମକୁ କେବଳ ଡିଜିଟାଲ ଫର୍ମାଟରେ ଆହ୍ୱାନ କରାଯାଇଛି । ବୈଷୟିକ ନିଲାମକୁ ଉଭୟ ଡିଜିଟାଲ ଓ ଫିଜିକାଲ ଫର୍ମାଟରେ ଆହ୍ୱାନ କରାଯାଇଛି । ଯୋଗ୍ୟ ସଂସ୍ଥା ଗୁଡ଼ିକ ଏହି ନିଲାମରେ ଭାଗ ନେଇପାରିବେ ।ଏମ୍ଏସଟିସି ଲିମିଟେଡର ୱେବସାଇଟରେ ନିଲାମ ସମ୍ବନ୍ଧୀୟ ତଥ୍ୟ ଦିଆଯାଇଛି । ୱେବସାଇଟରେ ପଞ୍ଜୀକରଣ ସଫଳ ପରେ ନିଲାମରେ ଭାଗ ନେଇପାରିବେ । ଟେଣ୍ଡର କାଗଜପତ୍ର କ୍ରୟର ଶେଷ ତାରିଖ ଡିସେମ୍ବର ୩୦ । ସେହିଭଳି ନିଲାମ ଦାଖଲର ଶେଷ ଦିବସ ୨୦୨୦ ଜାନୁଆରୀ ୩ ତାରିଖ ମଧ୍ୟାହ୍ନ ୧୨ଟା । ଗୋଟିଏ ଖଣି ପାଇଁ ଟେଣ୍ଡର କାଗଜପତ୍ର ମୂଲ୍ୟ ୫ ଲକ୍ଷ ଟଙ୍କା ରଖାଯାଇଛି ।

ପୂର୍ବରୁ ଗତ ଅକ୍ଟୋବରରେ ୩ଟି ପର୍ଯ୍ୟାୟରେ ୪୦ଟି ଖଣି ନିଲାମ ପାଇଁ ସରକାର ବିଜ୍ଞପ୍ତି ଜାରି କରିଥିଲେ । କିନ୍ତୁ କେତେକ କମ୍ପାନୀ ଗଳାବାଟର ସୁଯୋଗ ନେଇ ଚଞ୍ଚକତା କରିଥିବା ଅଭିଯୋଗ ହୋଇଥିଲା । ଫଳରେ ସରକାର ୪୦ଟି ଯାକ ଖଣି ନିଲାମ ବାତିଲ କରିଥିଲେ । ଏଥିସହ ୨୦ଟି ଖଣିର ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ ।

https://nandighoshatv.comreauction-of-mineral-blocks/

Leave a Reply