ରାଜ୍ୟର କେନ୍ଦ୍ରକୁ ଚିଠି: କରୋନା ବେଳେ ଶାଗମାଛ ଦରରେ ଖଣି ନିଲାମ ନହେଉ…

1 min read

ଭୁବନେଶ୍ୱର: ଖଣିକୁ ଶାଗ-ମାଛ ଦରରେ ନିଲାମ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ନୁହନ୍ତି । ଏଣୁ କୋଇଲା ଖଣି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗତି ରଖିବା ସପକ୍ଷରେ ରାଜ୍ୟ ଯୁକ୍ତି ବାଢିଛି । ଏନେଇ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ଯୁକ୍ତି ଏହା ଯେ ରାଜ୍ୟ ତଥା ଦେଶରେ ଏବେ ଖଣିଜ କାରବାର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । କୋଇଲା ବଜାର ମୂଲ୍ୟ ଅକସ୍ମାତ ଭାବେ ହ୍ରାସ ପାଇଛି ।

କରୋନା ପ୍ରଭାବରେ ବ୍ୟାପାର ଏତେ ମାତ୍ରାରେ ପ୍ରଭାବିତ ହୋଇଥିବା ହେତୁ ସରକାର ଏବେ ଖଣି ନିଲାମୀ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଚାହୁଁଛନ୍ତି । ସରକାରଙ୍କ କହିବା ଅନୁଯାୟୀ, ସଂପ୍ରତି ବଜାରରେ ଖଣିଜ ପଦାର୍ଥକୁ ନେଇ ଚାହିଦା କମ୍ ଥିବା ହେତୁ, ଖଣି ନିଲାମୀ ସରକାରଙ୍କ ପାଇଁ ଏକ ଲାଭଦାୟକ ବ୍ୟାପାର ହେବ ନାହିଁ । ନିଲାମୀରେ ନିଲାମ ଡ଼ାକ ବିଗତ ବର୍ଷ ତୁଳନାରେ କମ୍ ରହିବା ନେଇ ସରକାର ଆଶଙ୍କା ପ୍ରକଟ କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ହେବାକୁ ଥିବା ଖଣି ନିଲାମୀର ଲିଜ ସମୟ ୩୦ ବର୍ଷ ରହିଛି । ଏଣୁ କେନ୍ଦ୍ର ସରକାର ଏଭଳି ଏକ ସମୟରେ ଖଣି ନିଲାମୀ ନେଇ ନିଷ୍ପତ୍ତି ନେଲେ ଉଦ୍ୟୋଗପତି ଅଯଥା ଲାଭବାନ ହେବା ସହ ୩୦ ବର୍ଷ ପର୍ଯ୍ୟନ୍ତ ସରକାରଙ୍କୁ କ୍ଷଣି କ୍ଷେତ୍ରରେ ପୂର୍ବାପେକ୍ଷା କମ୍ ଲାଭ ମିଳିବ । ଏଣୁ କେନ୍ଦ୍ର ସରକାର ଅତିକମରେ ୩ ମାସ ପର୍ଯ୍ୟନ୍ତ ଖଣି ନିଲାମୀ ପ୍ରକ୍ରିୟା ଘୁଞ୍ଚାନ୍ତୁ ବୋଲି ରାଜ୍ୟ ସରକାର ଚିଠିରେ ଉଲ୍ଲେଖ କରିଛନ୍ତି । କୋଭିଡ୍ ପରିସ୍ଥିତିରେ ସୁଧାର ଆସିବା ସହ ବଜାରରେ କୋଇଲାର ଦର ଓ ଚାହିଦା ସ୍ୱାଭାବିକ ହେବା ପରେ ହିଁ କୋଇଲା ନିଲାମ ହୋଇ ପାରିଲେ ରାଜ୍ୟ ସରକାର ନିଜର ଧାର୍ଯ୍ୟ ମୂଲ୍ୟ ପାଇପାରିବେ ବୋଲି ସରକାର ଯୁକ୍ତିୁ ବାଢିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ଏଥରର ନିଲାମୀରେ ୪୧ଟି କୋଲ୍ ବ୍ଲକକୁ ସାମିଲ କରିଛନ୍ତି । ଏହି ତାଲିକାରେ ରାଜ୍ୟର ୯ଟି ଖଣି ରହିଛି । ରାଜ୍ୟର ସମ୍ପୃକ୍ତ ୯ଟି କୋଇଲା ଖଣିରେ ୧୦ ହଜାର ୭୫୦ ନିୟୁତ ଟନ୍ କୋଇଲା ମହଜୁଦ ରହିଛି । କେନ୍ଦ୍ର ସରକାରଙ୍କର ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ବିଡ୍ ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୨୯ ତାରିଖ ହୋଇଥିବା ବେଳେ ଅକ୍ଟୋବର ୧୯ରୁ ନଭେମ୍ୱର ୯ ଭିତରେ ଇ-ନିଲାମ ପ୍ରକ୍ରିୟା ଶେଷ ହେବ ।

Leave a Reply