ପୋଲିସ-ଅବକାରୀ ବିଭାଗ ତାଳମେଳ ଅଭାବ, ରାଜଧାନୀରେ ବେଧଡ଼କ ଚାଲିଛି ନିଶା ବେପାର

1 min read

ଭୁବନେଶ୍ୱର (ମାନସ ମହାପାତ୍ର): ରାଜଧାନୀରେ ବେଧଡ଼କ ଚାଲିଛି ଚୋରା ଦେଶୀ-ବିଦେଶୀ ମଦ ବେପାର । ଦିନ ଦ୍ୱିପ୍ରହରେ ରାସ୍ତା ଉପରେ ଲାଗୁଛି ମଦର ପସରା । ଆଉ ଏହାର ମାଷ୍ଟରମାଇଣ୍ଡ ସାଜିଛନ୍ତି ମହିଳା । ରାଜଭବନ ନିକଟସ୍ଥ କାଳୀ ମନ୍ଦିର ବସ୍ତିରେ ଖୁଲାମଖୁଲା ନିଶା କାରବାର ଚାଲିଥିବା ନେଇ ଖବର ପାଇ ପହଞ୍ଚିଥିଲା ନନ୍ଦିଘୋଷ ଟିମ ।

ପାନ ଦୋକାନ ଆଢୁଆଳରେ କିଛି ମହିଳା ଚୋରା ମଦ ବେପାର କରୁଥିବା ଜାଣିବାକୁ ପାଇଥିଲା ଟିମ୍‌ । ସତ୍ୟାସତ୍ୟ ଜାଣିବା ପରେ ମୋବାଇଲ କ୍ୟାମେରା ଯୋଗେ ମଦ ବିକ୍ରିର ଦୃଶ୍ୟକୁ କଏଦ କରିବାକୁ ଚେଷ୍ଟା କରିଥିଲା ଟିମ୍‌ । ଆଉ ଦୃଶ୍ୟ ଦେଖିବା ପରେ ହୋଇଯାଇଥିଲା ଅକଲ ଗୁଡୁମ୍‌ । ଜଣେ ମହିଳା ନିଜ ପାନ ଦୋକାନରୁ ଦେଶୀ ମଦ ଆଣି ଗରାଖଙ୍କୁ ଦେଉଛନ୍ତି । ଗରାଖ ଏଠାରୁ କିଣିବା ପରେ ରାସ୍ତା ଉପରେ ବସି ପିଉଛନ୍ତି ମଦ । କେବଳ ସେତିକି ନୁହେଁ ଭିଭିଆପି ଏରିଆ ହେବା ସତ୍ତ୍ୱେ ଏଠାରେ ଗଞ୍ଜେଇ ଓ ବାଉନସୁଗର ମିଳୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।

ରାଜଧାନୀରେ ଦିନକୁ ଦିନ ଏଭଳି କାୟା ମେଲାଉଛି ନିଶା ବେପାର । କମିଶନରେଟ୍‌ ପୋଲିସର ନାକ ତଳେ ଏଭଳି ଗୋଲକ ଧନ୍ଦା ଚାଲୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ କୁଆଡେ ମାସିକିଆ ବଟି ନେଇ ଚୁପ୍‌ ବସିଛି । ଆଉ ବେଳେ ଲୋକ ଦେଖାଣିଆ ଚଢ଼ାଉ କରୁଛି । ସବୁଠାରୁ ବଡ଼ କଥା ହେଲା ଚଢ଼ାଉ ପୂର୍ବରୁ ବେପାରୀ ପାଉଛନ୍ତି ଖବର । ଆଉ ସଜାଗ ହେଉଛନ୍ତି । ତେବେ ବେପାରୀଙ୍କୁ ପୋଲିସ ଚଢ଼ାଉର ଖବର କେମିତି ଆସୁଛି ତାହା ଚିନ୍ତାର ବିଷୟ । ତେବେ ଅବକାରୀ ବିଭାଗକୁ ଏନେଇ ସୂଚନା ଦିଆଯିବା ପରେ ଘଟଣାକୁ ଗୁରୁତର ସହ ନେଇଛି ।

ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ତାଳମେଳ ଅଭାବ ନିଶା ବେପାରୀଙ୍କୁ ବେଶ ସୁହାଉଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଫଳରେ ଚୋରା ନିଶା କାରବାରର ହବ୍‌ ପାଲଟିଛି ରାଜଧାନୀ ।

Leave a Reply