ସମସ୍ତଙ୍କୁ ଖାଦ୍ୟ,୨୦ ବର୍ଷର ବିରାଟ ସଫଳତା

ଭୁବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ଓଡ଼ିଶା ଉପକୂଳରେ ତାଣ୍ଡବ ରଚିଲା ମହାବାତ୍ୟା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲା, ଲକ୍ଷ ଲକ୍ଷ ଲୋକ ବସାହରା ହୋଇଗଲେ । କୋଟି କୋଟି ଟଙ୍କାର କ୍ଷୟକ୍ଷତି ହେଲା । କେତେ କେତେ ପରିବାର ନିଶ୍ଚିହ୍ନ ହୋଇଗଲା । ସେଇ ସମୟରେ ଓଡ଼ିଶା ଶାସନ ଗାଦିରେ ଥାଏ କଂଗ୍ରେସ । ରାଜ୍ୟ ସରକାରଙ୍କ ଅପାରଗତା ଜଳ ଜଳ ହୋଇ ଦେଖାଗଲା । ନବୀନ ସେତେବେଳେ ଆସିକା ଲୋକସଭାରୁ ନିର୍ବାଚିତ ହୋଇଥାନ୍ତି ସାଂସଦ ଭାବେ । ମହାବାତ୍ୟା ପରିଚାଳନାରେ ବିଫଳତା ପରେ ରାଜ୍ୟବାସୀ କଂଗ୍ରେସ ପାଖରୁ ମୁହଁ ଫେରାଇସାରିଥିଲେ । କଂଗ୍ରେସ ଉପରୁ ଆସ୍ଥା ହରାଇ ସାରିଥିଲେ । ସେତେବେଳକୁ ରାଜ୍ୟବାସୀଙ୍କ ପାଖରେ ଗୋଟିଏ ବିକଳ୍ପ ଥିଲା ବିଜୁ ଜନତା ଦଳ ।

ନବୀନ ୨୦୦୦ରେ ବିଜୁ ଜନତା ଦଳ ଗଠନ କରିବା ପରେ ରାଜ୍ୟବାସୀ ବିଜୁ ପଟ୍ଟନାୟକଙ୍କ ଉପରେ କରିଥିବା ଆସ୍ଥା ନବୀନ ବାବୁଙ୍କ ଉପରେ ହିଁ ପ୍ରକଟ କଲେ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଭାଜପା ସରକାର ଗଠନ କଲେ ଆଉ ଓଡ଼ିଶାରେ ନବୀନ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଥିଲେ । ସେବେଠାରୁ ଆଉ ପଛକୁ ଫେରି ନାହାନ୍ତି ନବୀନ । ସବୁ ରାଜନୀତି, ସବୁ ରଣନୀତି, ସବୁ ଚାଣକ୍ୟ ନବୀନ ବାବୁଙ୍କ ଆଗରେ ଫେଲ ମାରିଛନ୍ତି । ସମସ୍ତଙ୍କୁ ଠୋକର ମାରି ଓଡ଼ିଆ ଭୋଟର ନବୀନଙ୍କୁ ହିଁ ନିଜର ନେତା ମାନୁଛନ୍ତି । ଗରିବ ଖଟିଖିଆଙ୍କ ଓଡ଼ିଶା ଆଜି ଅଗ୍ରଣୀ ଓଡ଼ିଶାରେ ପରିଣତ ହୋଇଛି ।

ଦିନ ଥିଲା ଭୋକିଲା ରାଜ୍ୟ କହିଲେ ଓଡ଼ିଶାକୁ ବୁଝାଉଥିଲା । ନବୀନ ବାବୁଙ୍କ ଏକ ବଡ଼ ଟାର୍ଗେଟ୍ ଥିଲା ଓଡ଼ିଶାବାସୀଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା । କେହି ଯେପରି ଅନାହାରରେ ନ ମରନ୍ତି ସେଥିପାଇଁ ନବୀନ ପ୍ରତିବଦ୍ଧ ହୋଇଥିଲେ । ସେଥିପାଇଁ ସେ ଆରମ୍ଭ କରିଥିଲେ ଟଙ୍କିକିଆ ଚାଉଳ ଯୋଜନା । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଏହି ଯୋଜନାରୁ ଉପକୃତ ହେଲେ । ଏହା ବାଦ୍ ତଫସିଲଭୁକ୍ତ ଜାତି, ଜନଜାତି ପରିବାର, ଭିନ୍ନକ୍ଷମ ଓ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ହିତାଧିକାରୀ ମଧ୍ୟ ଏହି ଯୋଜନାରୁ ଉପକୃତ ହେଲେ । ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଭୋକର ଭୂଗୋଳରୁ ହଟିଯାଇଛି ଓଡ଼ିଶା । ପେଟରେ ଓଦାକନା ଦେଇ ଶୋଇପଡ଼ୁଥିବା ୫୮ ଲକ୍ଷ ଗରିବ ଓଡ଼ିଆ ପରିବାର ଦିନକୁ ଦି ଓଳି ଦି ମୁଠା ଖାଇଲା । ଏହା ବାଦ୍ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଲୋକହିତକର ଯୋଜନା । ଏହି ଯୋଜନା ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଲେ ଯେ, ଜଣେ ବି ଗରିବଙ୍କୁ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବାକୁ ଦେବି ନାହିଁ । ଏହି ଯୋଜନା ସମ୍ଭବତଃ ନବୀନଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଂଚାଇଛି । କାନ୍ଦି କାନ୍ଦି ଶୋଇପଡ଼ୁଥିବା ଗରିବ ଓଡ଼ିଆଙ୍କ ଆାଶୀର୍ବାଦ ଅଜାଡ଼ି ହୋଇପଡ଼ିଥିଲା ନବୀନଙ୍କ ଉପରେ ।

ଖାଦ୍ୟ ସମସ୍ୟା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଲୋକପ୍ରିୟ ଯୋଜନା ହେଉଛି ଆହାର । ରାଜ୍ୟର ବଡ଼ ବଡ଼ ସହରକୁ କାମ ଧନ୍ଦା ଆଉ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଆସୁଥିବା ଗରିବ ଲୋକେ ସହରରେ ବଡ଼ ବଡ଼ ହୋଟେଲରେ ଅଧିକ ପଇସା ଦେଇ ଖାଇ ପାରୁ ନ ଥିଲେ । ଏହାକୁ ନଜରରେ ରଖି ରାଜ୍ୟ ସରକାର ୫ ଟି ବଡ଼ ବଡ଼ ସହରର ଜନଗହଳି ସ୍ଥାନ ବା ଛକ ଜାଗାରେ ଆହାର କେନ୍ଦ୍ର ଖୋଲିଥିଲେ, ଯେଉଁଠି ଲୋକେ ମାତ୍ର ୫ ଟଙ୍କା ଦେଇ ଖାଇପାରୁଛନ୍ତି । ଓଡ଼ିଶାର ପାଖାପାଖି ୬୭ ହଜାର ଲୋକ ଏହି ଯୋଜନାରେ ପ୍ରତିଦିନ ଉପକୃତ ହେଉଛନ୍ତି ।

Leave a Reply