‘ବାପାଙ୍କୁ ଅସମ୍ମାନିତ କରିଥିଲେ ନୀତିଶ’

ପାଟନା: ଚିରାଗ ପାଶୱାନ ଓ ନୀତିଶ କୁମାରଙ୍କ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି । ଚିରାଗ ଜେଡିୟୁ ସହ ନିର୍ବାଚନ ଲଢିବାକୁ ମନା କରିବା ପରେ ଏବେ ରାଜନୈତିକ ବୟାନବାଜି ଦୁଇ ଦଳ ମଧ୍ୟରେ ଶୀର୍ଷରେ ରହିଛି । ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚିରାଗ ପାଶୱାନ କହିଛନ୍ତି ଯେ ନୀତିଶ କୁମାର ମୋ ପିତାଙ୍କୁ ଅସମ୍ମାନିତ କରିଛନ୍ତି । ନୀତିଶ କହିଛନ୍ତି ଯେ, ରାମବିଳାସ ପାଶୱାନ ତାଙ୍କ ବିନା ସହଯୋଗରେ ନିଜ ଦଳର କୌଣସି ମଧ୍ୟ ନେତାଙ୍କୁ ରାଜ୍ୟସଭାକୁ ପଠାଇ ପାରିନଥାନ୍ତେ ।

ଏଲଜେପିର କେବଳ ଦୁଇଟି ବିଧାୟକ ଥିବା ହେତୁ ବିନା ଜେଡିୟୁର ସମର୍ଥନରେ ରାଜ୍ୟସଭାରେ ସ୍ଥାନ ମିଳି ପାରିନଥାନ୍ତା । ତେବେ ଏସବୁ ଜେଡିୟୁର ବଦାନ୍ୟତା ନୁହେଁ ବୋଲି ଚିରାଗ କହିଛନ୍ତି । ତାଙ୍କ କହିବା କଥା, ବିଜେପି ପାଖରେ ଏଲଜେପି ରଖିଥିବା ସର୍ତ୍ତ ଅନୁଯାୟୀ ହିଁ ତାଙ୍କୁ ରାଜ୍ୟସଭା ସିଟ୍ ମିଳିଥିଲା । ସେହିଭଳି ନୀତିଶଙ୍କ ରାଜନୀତିକୁ ଚିରାଗ ଆଦୌ ପସନ୍ଦ କରନ୍ତି ନାହିଁ । କିମ୍ୱା ଏନଡିଏର ଏଲଜେପିକୁ କେତେ ସିଟ୍ ମିଳିବ ସେନେଇ ସେ କେବେ ମଧ୍ୟ ନୀତିଶଙ୍କ ସହ ଆଲୋଚନା କରିବାକୁ ଉଚିତ୍ ମନେ କରିନାହାନ୍ତି ।

ବିଜେପି ଏନଡିଏର ପ୍ରମୁଖ ଦଳ ହୋଇଥିବା ହେତୁ ଏଲଜେପି ସଦାସର୍ବଦା ବିଜେପି ସହ ଏସମ୍ପର୍କିତ ଆଲୋଚନା କରିଛି । ବିଗତ ଦିନରେ ଅମିତ ଶାହଙ୍କ ସହ ଓ ଏବେ ଜେପି ନଡ୍ଡାଙ୍କ ସହ । ଏଣୁ ନୀତିଶଙ୍କ ସହ ସମ୍ପର୍କ ଭଲ ରଖିବା କିମ୍ୱା ରାଜନୀତିକ ସମର୍ଥନ ଦେବା ନିଷ୍ପତ୍ତି ଆଦୌ ଅଚାନକ ନୁହେଁ । ଉଲ୍ଲେଖଯୋଗ୍ୟ ଦୁଇ ଦଳ ଏନଡିଏ ମଧ୍ୟରେ ରହିଥିଲେ ମଧ୍ୟ ପରସ୍ପର ବିରୋଧେ ଆଲୋଚନା କରି ଚର୍ଚ୍ଚାରେ ରହିଥାନ୍ତି ।

Leave a Reply