କୋଭିଡ୍ ସେଣ୍ଟର କାମର ବିଲ୍‌ କରିବାକୁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ, ଭାଇରାଲ ହେଲା ଭିଡିଓ…

Jee Taking Bribe

ନୀଳଗିରି: ଖୋଲମଖୁଲା ଲାଞ୍ଚ ନେଉଛନ୍ତି ସରକାରୀ ଯନ୍ତ୍ରୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଅଞ୍ଚଳରେ । ନୀଳଗିରି ବ୍ଲକ୍‌ର ସରକାରୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ଜଣେ ବ୍ୟକ୍ତିଙ୍କ ବିଲ୍‌ କରାଇ ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । ସବୁଠାରୁ ବଡ଼ କଥା ହେଲା ଲାଞ୍ଚ ନେବାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । କୋଭିଡ୍‌ ସେଣ୍ଟର ପାଇଁ କିଣାଯାଇଥିବା ସରଞ୍ଜାମର ବକେୟା ବିଲ୍‌ କରେଇ ଦେବା ପାଇଁ ଲାଞ୍ଚ ନେଉଥିଲେ ଯନ୍ତ୍ରୀ । ଲାଞ୍ଚ ନେଉଥିବାର ଭିଡିଓ ସହ ଏନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ସୂଚନାଯୋଗ୍ୟ, ନୀଳଗିରି ବ୍ଲକର ପ୍ରହଲାଦ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ କୋଭିଡ୍‌ ସେଣ୍ଟର କରାଯାଇଥିଲା । ଏଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ରଙ୍ଗ କାମ ସହିତ ପାଇଖାନା ଓ ପାନୀୟ ଜଳର ସୁବିଧା କରାଯାଇଥିଲା । କଣ୍ଟ୍ରାକ୍ଟର ବିନୋଦ କୁମାର ମହାନ୍ତି କାର୍ଯ୍ୟ କରିଥିବା ବେଳେ ୧ଲକ୍ଷ ୪୪ହଜାର ଟଙ୍କାର ବିଲ୍ ହୋଇଥିଲା । ବିଲ୍‌କୁ ଜେଇଙ୍କ ଦ୍ୱାରା ତଦାରଖ କରାଯାଇ ଚେକ୍‌ ମେଜରମେଣ୍ଟ ପାଇଁ ସରକାରୀ ଯନ୍ତ୍ରୀ ଅନ଼ିଲ୍ କୁମାର ପଣ୍ଡାଙ୍କ ନିକଟକୁ ପଠାଯାଇଥିଲା ।

ତେବେ ବିନା ପିସିରେ ଚେକ୍‌ ମେଜରମେଣ୍ଟ କରିବାକୁ ଅନିଲ୍ ମନା କରିଦେଇଥିଲେ । ପରେ ୬ ହଜାର ଟଙ୍କା ଲାଞ୍ଚ ନେବା ପରେ ବିଲକୁ ପାସ୍ କରିଥିଲେ । ଏହି ଲାଞ୍ଚ କାରବାରର ତଦନ୍ତ କରି ଅନିଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଆବେଦନକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave a Reply