କେତେ କାମ କରିଛି ବିହାର ସରକାର, ସାଧାରଣ ନିର୍ବାଚନ ପୂର୍ବରୁ NDA ଦେଲା ରିପୋର୍ଟ କାର୍ଡ..

1 min read

ପାଟନା: ବିହାର ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି । ଇତି ମଧ୍ୟରେ ନୀତିଶ ସରକାରଙ୍କ ଗତ ୫ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛି ଏନଡିଏ । ମୋଟାମୋଟୀ ଭାବେ କହିଲେ, ନୀତିଶ ସରକାର ପୂର୍ବ ସାଧାରଣ ନିର୍ବାଚନଗୁଡିକରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ପୁଣି ଥରେ ଜନାଦେଶ ପାଇଁ ହାଜିରା ପକାଇଛି ବୋଲି ଏନଡିଏ ରିପୋର୍ଟ କାର୍ଡରେ ଦର୍ଶାଯାଇଛି । ୨୦୧୫ ମସିହାରେ ନୀତିଶ ସରକାର ‘ସାତ୍ ନିଶ୍ଚୟ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ବିହାରର ୭ଟି ପ୍ରମୁଖ ପ୍ରସଙ୍ଗ ଉପରେ ସରକାର ଦୃଷ୍ଟି ଦେବା ପାଇଁ ବଦ୍ଧପରିକର ଥିଲେ ଓ ଏସବୁ କରିବାରେ ସରକାର ସଫଳ ପ୍ରୟାସ କରିଛନ୍ତି ବୋଲି ଦାବି କରାଯାଇଛି ।

କ’ଣ ଥିଲା ୭ ପ୍ରସଙ୍ଗ-

୧. ଗାଁକୁ ରାସ୍ତା-

ସରକାରଙ୍କର ସବୁଠାରୁ ପ୍ରମୁଖ ଲକ୍ଷ୍ୟ ଥିଲା, ବିହାରର ପ୍ରତି ଗାଁକୁ ରାସ୍ତା ନିର୍ମାଣ କରିବା । ଗ୍ରାମୀଣ ବିହାରକୁ ଯୋଗାଯୋଗ ବଢାଇବା ଉଦ୍ଦେଶ୍ୟରେ ସରକାର ଏଭଳି ପ୍ରତିଶ୍ରୁତି ପ୍ରାଥମିକତା ଦେଇ ସଫଳତା ମଧ୍ୟ ହାସଲ କରିଛନ୍ତି । ଏଥିପାଇଁ ବିଗତ ଦିନରେ ୭୮ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଏବେ ବିହାରର ପ୍ରତି ଗାଁକୁ ରାସ୍ତା ରହିଛି ବୋଲି ଏନଡିଏ ଦାବି କରିଛି । ଅନ୍ୟପକ୍ଷରେ ଏନଡିଏର ଏହି ଦାବିକୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ଅଜାଣତରେ ଖାରିଜ୍ କରିଛନ୍ତି । ନିକଟ ଅତୀତରେ ନୀତିଶ ସ୍ୱୀକାରୋକ୍ତିରେ କହିଛନ୍ତି ଯେ, ବିହାର ଗ୍ରାମୀଣ ଅଞ୍ଚଳକୁ ସଡକ ପହଞ୍ଚାଇବାର ପ୍ରୟାସ ଶେଷ ହୋଇନାହିଁ ଓ ତାଙ୍କୁ ପୁଣି ଥରେ ନିର୍ବାଚିତ କଲେ ସେ ଅଧୁରା କାମ ଶେଷ କରିପାରିବେ ବୋଲି ସାଧାରଣରେ ଅପିଲ୍ କରିଛନ୍ତି ।

ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା-

ନୀତିଶ ସରକାର ନିଜ ୨ୟ ପ୍ରତିଶ୍ରୁତିରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବା ନେଇ ଯୁକ୍ତି ବାଢିଥିଲେ । ତାଙ୍କ ଦାବି ଥିଲା ୨୦୨୦ ପୂର୍ବରୁ ରାଜ୍ୟର ପ୍ରାୟ ସମସ୍ତ ଘରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଉପଲବ୍ଧ ହେବ । ସରକାରକୁ ଆସିବା ପରେ ଏଇ ପ୍ରସଙ୍ଗକୁ ପ୍ରାଥମିକତା ମିଳିଛି । ୫୫ ହଜାର ୬ଶହ କୋଟି ଟଙ୍କାର ବଜେଟ ମାଧ୍ୟମରେ ବିହାରର ଘରେ ଘରେ ବିଦ୍ୟୁତ ସେବା ପହଞ୍ଚିବାର ସ୍ୱପ୍ନ ଆଉ ବେଶୀ ଦୂର ନୁହେଁ ବୋଲି ଏନଡିଏ ରିପୋର୍ଟ କାର୍ଡରେ ଦର୍ଶାଇଛି । କୁହାଯାଇଛି ଯେ, ବିହାରରେ ନୀତିଶ ସରକାର ପୂର୍ବରୁ ବିଦ୍ୟୁତ୍ ସେବାରେ ବ୍ୟାପକ ଅବ୍ୟବସ୍ଥା ଥିଲା । ନୀତିଶ ସରକାରରେ ସ୍ଥିତି ସୁଧୁରିଛି । ସେହିଭଳି କେନ୍ଦ୍ର ସରକାରଙ୍କର ସୌଭାଗ୍ୟ ଯୋଜନା ମାଧ୍ୟମରେ ବିହାର ସମସ୍ତ ୩୯ ହଜାର ୭୩ଟି ଗ୍ରାମର ବିଦ୍ୟୁତିକରଣ ହୋଇସାରିଛି ।

ଗ୍ରାମୀଣ ପାନୀୟ ଜଳ ସୁବିଧା-

ସେହିଭଳି ୩ୟ ଲକ୍ଷ୍ୟ ଥିଲା ବିହାରରେ ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା । ଗ୍ରାମୀଣ ଅଞ୍ଚଳରେ ପାନୀୟ ଜଳ ଏକ ପ୍ରମୁଖ ସମସ୍ୟା ହୋଇଥିବା ହେତୁ ବିହାର ସରକାର ଏହା ଉପରେ ଯଥେଷ୍ଟ ଫୋକସ୍ ଦେଇଛି । ଏଥିପାଇଁ ୪୭ ହଜାର ୭ଶହ କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇଥିଲା । ତେବେ ଏହି କ୍ରମରେ ୧ କୋଟି ୬୨ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କର ହର୍ ଘର୍ ନଲ୍ କା ଜଲ୍ ଯୋଜନାରେ ଶୁଦ୍ଧ ପାନୀୟ ଜଳ ପାଇ ପାରୁଛନ୍ତି । ଏନଡିଏର ଏହି ଦାବିକୁ ଆଖି ବନ୍ଦ କରି ବିଶ୍ୱାସ କରିବା ଏକ ପ୍ରକାରର ମୂର୍ଖାମୀ ହେବ । ଜନ ସ୍ୱାସ୍ଥ୍ୟ ଯନ୍ତ୍ରୀ ବିଭାଗର ତଥ୍ୟ ଅନୁଯାୟୀ, ବିହାରରେ ଏଭଳି ୮୯୬ ପଞ୍ଚାୟତ ରହିଛି ଯେଉଁଠାରେ ଭୂତଳ ଜଳର ମାନ ଅତି ନିମ୍ନମାନର । ଆର୍ସେନିକ ଓ ଫ୍ଲୋରିଡ୍ ପ୍ରଭାବରେ ଏହି ଜଳ ଏବେ ପାନୀୟ ଉପଯୋଗୀ ହୋଇନାହିଁ । ୮୯୬ ପଞ୍ଚାୟତରେ ରହୁଥିବା ଲୋକଙ୍କ ପାଖରେପାନୀୟ ଜଳ ପହଞ୍ଚାଇବା ପାଇଁ କେଉଁ କେଉଁ ସରକାରୀ ଉଦ୍ୟମ ହୋଇଛି, ସେନେଇ କୌଣସି ତଥ୍ୟ ଏନଡିଏ ରିପୋର୍ଟ କାର୍ଡରେ ଉଲ୍ଲେଖ ହୋଇନାହିଁ ।

ଘରେ ଘରେ ପାଇଖାନା-

୨୮ ହଜାର ୭ଶହ କୋଟି ଟଙ୍କା ବିନିମୟରେ ଘରେ ଘରେ ପାଇଖାନା ନିର୍ମାଣ ପାଇଁ ସରକାର ବଦ୍ଧପରିକର ଥିଲେ । ମାତ୍ର ଦୁର୍ଭାଗ୍ୟଜନକ ଭାବେ ଏନେଇ ଏନଡିଏ ରିପୋର୍ଟ କାର୍ଡରେ ସାମାନ୍ୟତନ ଆଲୋଚନା ହୋଇନାହିଁ । ସରକାର ନିଜ ମୁହଁରେ ଏହାକୁ ସଫଳତା ବୋଲି କହିବାକୁ ସାହାସ କରୁନଥିବା ବେଳେ ବାସ୍ତବତା କଣ ତାହା ଅନୁମେୟ । ଅବଶ୍ୟ ନୀତିଶ ବିଗତ ଦିନରେ ଦାବି କରି ଆସିଛନ୍ତି ଯେ ବିହାର ପାଇଖାନା ନିର୍ମାଣ ପାଇଁ ପ୍ରତି ପରିବାରକୁ ୧୨ ହଜାର ଟଙ୍କା ଲେଖାଏଁ ଦିଆ ସରିଛି । ମାତ୍ର ସରକାର ତଥ୍ୟ ଅନୁଯାୟୀ, ଏବେ ମଧ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରଙ୍କ ପାଖରେ ଏହି ସହାୟତା ରାଶି ପହଞ୍ଚିପାରିନାହିଁ ।

ଦକ୍ଷତା ବିକାଶ-

ଅନ୍ୟପକ୍ଷରେ ବିହାର ସରକାର ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ୪୯ ହଜାର ୮ଶହ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଥିଲା । ତେବେ ଏନଡିଏ ରିପୋର୍ଟ କାର୍ଡରେ ଏକଥା ଉଲ୍ଲେଖ କରାଯାଇଛି ଯେ, ସ୍ୱାଧୀନ ବିହାରର ପ୍ରଥମ ୫୮ ବର୍ଷରେ ରାଜ୍ୟରେ ଗୋଟିଏ ମାତ୍ର ସରକାରୀ ଇଞ୍ଜିନିୟରିଂ କଲେଜ ଥିଲା । ନୀତିଶ ସରକାରରେ ଏହି ସଂଖ୍ୟା ୩୮ରେ ପହଞ୍ଚିଛି ।

ଉଚ୍ଚ ଶିକ୍ଷାର ବିକାଶ-

ସେହିଭଳି ଉଚ୍ଚ ଶିକ୍ଷା କ୍ଷେତ୍ରରେ ସରକାର ନିଜର ପ୍ରତିଶ୍ରୁତୁ ପୂରଣରେ ସଫଳ ହୋଇଛି ବୋଲି ଏନଡିଏ କହିଛି । ୧୧ଶହ ୯୧ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ ସ୍କିମ୍ ମାଧ୍ୟମରେ ଗରିବ ମେଧାବୀ ଛାତ୍ରଙ୍କର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗ କରିଛନ୍ତି । ତେବେ ସୂଚନାଯୋଗ୍ୟ ଯେ ବିହାର ସରକାରଙ୍କ ସମାନ ଯୋଜନାକୁ ଛାତ୍ରଛାତ୍ରମାନେ ବହୁ ସଂଖ୍ୟାରେ ବିରୋଧ କରିଥିଲେ । ଅଭିଯୋଗ ଥିଲା ଯେ, ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ଦିଆଯିବା ନେଇ ପ୍ରାବଧାନ ରହିଥିଲା । ମାତ୍ର ଏହାଠାରୁ କମ୍ ଟଙ୍କା ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ।

ସରକାରୀ ଚାକିରିରେ ମହିଳାଙ୍କୁ ୩୫ ପ୍ରତିଶତ ସଂରକ୍ଷଣ-

୭ମ ଲକ୍ଷ୍ୟ ଥିଲା ସରକାରୀ ଚାକିରୀରେ ୩୫ ପ୍ରତିଶତର ସଂରକ୍ଷଣ । ମହିଳାଙ୍କୁ । ଯାହା ଏନଡିଏ ସରକାରକୁ ଆସିବାର ତୁରନ୍ତ ପରେ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦେଇ ସାରା ରାଜ୍ୟରେ ଏହାକୁ ଲାଗୁ କରିଥିଲେ ।

Leave a Reply