ଗ୍ରାମାଞ୍ଚଳ ଅର୍ଥନୀତିକୁ ନବୀନଙ୍କ ଗୁରୁତ୍ୱ, ବିଭିନ୍ନ ଜୀବିକା ପ୍ରକଳ୍ପକୁ ଯୋଗାଇ ଦିଆଯିବା ପାଣ୍ଠି, ସମସ୍ତ ଜିଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ

1 min read

ଭୁବନେଶ୍ୱର,୧୬ ।୯(ବ୍ୟୁରୋ)-  ଗ୍ରାମାଞ୍ଚଳରେ ବ୍ୟାପକ ହେବ ଅର୍ଥନୈତିକ କାର୍ଯ୍ୟକ୍ରମ । କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଉଦ୍ଧାର କରାଯିବ ଗ୍ରାମାଞ୍ଚଳକୁ । ଏ ନେଇ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟରପ୍ଲାନ, ଏହାକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାପାଳମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ଏଥିପାଇଁ ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚସ୍ତରୀୟ  ସମୀକ୍ଷା କରି  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  MGNREGS ସମେତ ଅନ୍ୟ ଜୀବିକା କାର୍ଯ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ  ରୋଜଗାର ପାଇପାରିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ । ସେହିପରି କୃଷି, ମତ୍ସ୍ୟଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱାରୋପ ପ୍ରଦାନ କରାଯାଇଛି । ଏଥିପାଇଁ ଘୋଷିତ ହୋଇଥିବା ସହାୟତା ରାଶିକୁ ଠିକ୍ ଭାବେ ବିନିଯୋଗ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।  

ବିଶେଷ କରି ଚାଷୀ, ମିଶନ ଶକ୍ତିର ମା ମାନେ, MSME ଓ ବୁଣାକାର ମାନଙ୍କୁ ଅଧିକ ଋଣ ସହାୟତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଦେଶର  ପ୍ରଥମ ତୈମାସିକ ଆର୍ଥିକ ଅଭିବୃଦ୍ଧି – ୨୩ ପ୍ରତିଶତ  ରହିଛି । ତେଣୁ ଏହାର କୁପ୍ରଭାବରୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ସମସ୍ତ କୋଭିଡ ଯୋଦ୍ଧାଙ୍କ କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ । ରାଜ୍ୟରେ କୋଭିଡ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ହଜାରରେ ପହଞ୍ଚିଥିବାରୁ  ଏବଂ କେବଳ ଗତ ୫ ସପ୍ତାହ ମଧ୍ୟରେ ଏକ ଲକ୍ଷରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ କୋଭିଡ ଯୋଦ୍ଧା ତଥା ଡାକ୍ତର, ସ୍ବାସ୍ଥ୍ୟକମୀ ମାନଙ୍କୁ ସେମାନଙ୍କ କାମ ପାଇଁ ଅଭିନଦନ ଜଣାଇଛନ୍ତି।

ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ କୋଭିଡ ନିୟମର କଡାକଡି ଅନୁପାଳନ ସନ୍ତୋଷଜନକ ଥିବାବେଳେ ଭୁବନେଶ୍ୱର କଟକରେ କମିଶନରେଟ ଅଞ୍ଚଳରେ ଏହା ସେତେଟା ଉତ୍ସାହଜନକ ନଥିବାରୁ ଭୁବନେଶ୍ୱର କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ କାର୍ଯ୍ୟକାରିତା ଉପରେ  ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି  ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏହି  ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ, ଭୁବନେଶ୍ୱର-କଟକର ପୋଲିସ କମିଶନର କୋଭିଡ ନିୟମ କଡାକଡି ପାଳନ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ଏହି ବୈଠକରେ  ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ, mortality rate କମ୍ ଥିବା ସୂଚନା ଦେଇଥିଲେ ।   ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ  ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ବୈଠକକୁ  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ସଞ୍ଚାଳନ କରିଥିଲେ ।

Leave a Reply