ନାଗାଲାଣ୍ଡ ବିଧାନସଭାରେ ୫୮ ବର୍ଷରେ ପ୍ରଥମ ଥର ପାଇଁ ବାଜିଲା ଜାତୀୟ ସଂଗୀତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ..

1 min read

କୋହିମା: ନାଗାଲାଣ୍ଡ ବିଧାନସଭା ରେ ପ୍ରଥମ ଥର ପାଇଁ ଫେବୃଆରୀ ୧୨ ତାରିଖ ଦିନ ଇତିହାସ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ନାଗାଲ୍ୟାଣ୍ଡ୍ ବିଧାନସଭାରେ ଏହି ଦିନ ଜାତୀୟ ସଂଗୀତ ବାଜିଥିଲା । ତ୍ରୟୋଦଶ ବିଧାନସଭାର ସପ୍ତମ ଅଧିବେଶନରେ ନାଗାଲାଣ୍ଡ ରାଜ୍ୟପାଳ ଆରଏନ୍ ରବିଙ୍କ ସମ୍ବୋଧନ କାଳରେ ‘ଜନ-ଗଣ-ମନ’ ବଜାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ସହିତ ଟ୍ୱିଟରରେ #NationalAnthem ଟ୍ରେଣ୍ଡ୍ କରୁଛି । ନାଗାଲାଣ୍ଡ ଗଠନର ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ଗାୟନ କରାଯିବାକୁ ନେଇ ସୋସିଆଲ ମିଡିଆରେ ଖୁସି ସହିତ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ୟୁଜର୍ସ ।

 

ସୋସିଆଲ ମିଡିଆରେ ପ୍ରତିରକ୍ଷା ବିଶେଷଜ୍ଞ ନୀତିନ ଗୋଖଲେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ପୂର୍ବରୁ  ଗୃହରେ ଜାତୀୟ ସଂଗୀତ ବଜା ଯାଇଥିଲା । ଏହି ସମୟରେ ଜାତୀୟ ସଂଗୀତ ସମ୍ମାନରେ ବିଧାୟକ ଛିଡା ହୋଇଥିବା ଦେଖିବାକୁ ମିଳିଛି । ୧ଡିସେମ୍ବର  ୧୯୬୩ରେ ନାଗାଲ୍ୟାଣ୍ଡର ପ୍ରତିଷ୍ଠା ପରେ କେବେ ମଧ୍ୟ ବିଧାନସଭାରେ ଜାତୀୟ ସଂଗୀତ ଗାୟନ କରାଯାଇନଥିଲା । ଯାହାକୁ ନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଅଜ୍ଞାତ କାରଣରୁ କେବେ ବାଜିନଥିଲା ଜାତୀୟ ସଂଗୀତ:
ଏକ ଇଂରାଜୀ ଖବର କାଗଜ ସହିତ ବିଧାନସଭା ସଚିବ ପି ଜେ ଆଣ୍ଟୋନି କଥା ହୋଇ କହିଛନ୍ତି ଯେ, କୌଣସି ଅଜ୍ଞାତ କାରଣରୁ ଏହି ୫୮ ବର୍ଷ ମଧ୍ୟରେ କେବେ ମଧ୍ୟ ବିଧାନସଭାରେ ଜାତୀୟ ସଂଗୀତ ବାଜିନଥିଲା । ତେବେ ଚଳିତ ବର୍ଷ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଜାତୀୟ ସଂଗୀତ ବାଜିବାକୁ ସବୁ ସଦସ୍ୟ ସ୍ୱାଗତ କରି ଉପଯୁକ୍ତ ଆଚରଣ ପ୍ରଦର୍ଶନ କରିଛନ୍ତି ।

ତିନି ବର୍ଷ ତଳେ ତ୍ରିପୁରା ବିଧାନସଭାରେ ସୃଷ୍ଟି ହୋଇଥିଲା ଇତିହାସ:

ନାଗାଲ୍ୟାଣ୍ଡର ଅବସରପ୍ରାପ୍ତ କମିଶନର ଓ ପୂର୍ବତନ ରାଜ୍ୟପାଳଙ୍କ କହିବା ହେଉଛି ତାଙ୍କ ସମୟରେ ଏଭଳି କୌଣସି ନିୟମ ନଥିଲା କିମ୍ବା ଏମିତି କିଛି ହୋଇନଥିଲା । ତେବେ ଜାତୀୟ ସଂଗୀତ ନବାଜିବା ପଛରେ କୌଣସି ବଳିଷ୍ଠ କାରଣ ମଧ୍ୟ ନଥିଲା । କିନ୍ତୁ ରାଜ୍ୟପାଳଙ୍କ ଅଭିଭାଷଣରେ ଏହାକୁ ସାମିଲ କରିବା କିଛି ଭୁଲ ନୁହେଁ । ଉଲ୍ଲେଖନୀୟ ଯେ, ତିନିବର୍ଷ ତଳେ ନାଗାଲ୍ୟାଣ୍ଡର ପଡୋଶୀ ରାଜ୍ୟ ତ୍ରିପୁରାର ବିଧାନସଭାରେ ପ୍ରଥମ ଥର ପାଇଁ ଜାତୀୟ ସଂଗୀତ ଗାୟନ ହୋଇଥିଲା । ଏହା ପୂର୍ବରୁ ତ୍ରିପୁରା ବିଧାନସଭାରେ କେବେ ମଧ୍ୟ ଜାତୀୟ ସଂଗୀତ ବାଜି ନଥିଲା ।

Leave a Reply