ଆମାଜନ୍ ସିଇଓଙ୍କୁ ମେଲ୍ କରି ଜଣାଇଲେ ସମସ୍ୟା, ଚୋରି ମୋବାଇଲ୍ ବଦଳରେ ଫେରି ପାଇଲେ ଟଙ୍କା…

ମୁମ୍ୱାଇ: ନୋକିଆ କମ୍ପାନୀର ଏକ ଫିଚର୍ ଫୋନ୍ ଅର୍ଡର କରାଯିବା ପରେ ଗ୍ରାହକଙ୍କ ପାଖରେ ପହଞ୍ଚିନଥିଲା । ପହଞ୍ଚିବା ପୂର୍ବରୁ ହିଁ ଚୋରି ହୋଇଯାଇଥିଲା । ଡେଲଭରୀ ବୟେ ମୋବାଇଲଟିକୁ ଗ୍ରାହକଙ୍କୁ ଦେବା ପରିବର୍ତ୍ତେ ଗେଟ୍ ପାଖରେ ରଖି ଚାଲି ଆସିଥିଲେ । ଯାହା ଫଳରେ ମୋବାଇଲଟି ଚୋରି ହୋଇଥିଲା । ଗ୍ରାହକଙ୍କୁ ମୋବାଇଲ ନମିଳିବା ହେତୁ ସେ ବାରମ୍ୱାର ଆମଜନ କମ୍ପାନୀ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେଠାରୁ କେବଳ ନିରାଶା ମିଳିବା ପରେ ସେ ବାଧ୍ୟ ହୋଇ କମ୍ପାନୀ ସିଇଓ ଜେଫ୍ ବେଜୋସଙ୍କୁ ଏକ ମେଲ୍ କରିଥିଲେ ।

ମେଲରେ ତାଙ୍କ ସମସ୍ୟା ଉଲ୍ଲେଖ କରିବା ସହ କମ୍ପାନୀ ପକ୍ଷରୁ କିଭଳି ଭାବେ ତାଙ୍କୁ କେବଳ ପ୍ରତିଶ୍ରୁତି ଛଡା ଅନ୍ୟ କିଛି ମିଳିନଥିଲା ତାହା ଉଲ୍ଲେଖ କରିଥିଲେ । ସେ ଲେଖିଥିଲେ ଯେ ଆମାଜନକୁ ସମସ୍ୟା ଜଣାଇବା ପରେ ମୋତେ ବାରମ୍ୱାର କେବଳ ଅପେକ୍ଷା କରିବାକୁ କୁହାଯାଇଥିଲା ଯାହା ମୋତେ ନିରାଶ କରୁଛି । ଏଣୁ ଏହି ଘଟଣାରେ ମୁଁ ଆପଣଙ୍କ ହସ୍ତକ୍ଷେପ ଚାହୁଁଛି । ତେବେ ମେଲ୍ ପାଇବାର ତୁରନ୍ତ ପରେ ଜେଫ୍ ବେଜୋସ  କମ୍ପାନୀର ଭାରତ ବିଭାଗ ସହ କଥାବାର୍ତ୍ତା କରି ସମ୍ପୂର୍ଣ୍ଣ ଘଟଣା ଜଣାଇଥିଲେ । ଏହାପରେ ସିସି ଟିଭି ଫୁଟେଜ ଆଧାରରେ ଏକଥା ସ୍ପଷ୍ଟ ହୋଇଥିଲା ଯେ ମୋବାଇଲଟି ଗେଟ୍ ପାଖରୁ ହିଁ ଚୋରି ହୋଇଛି ।

ଡେଲିଭରୀ ବୟେ ସେଠାରେ ମୋବାଇଲ ଛାଡି ଆସିବା ପରେ ହିଁ କେହି ଜଣେ ମୋବାଇଲ ଚୋରି କରି ନେଇଛନ୍ତି । ଏହାପରେ କମ୍ପାନୀ ତରଫରୁ  ଉକ୍ତ ଯୁବକ, ଓମକାର୍ ହନମନ୍ତେଙ୍କୁ ଟଙ୍କା ଫେରସ୍ତ କରାଯାଇଥିଲା । ମୋବାଇଲ ପାଇବା ପରେ ସେ ନିଜ ଖୁସି ଜାହିର କରି ବେଜୋସଙ୍କୁ ଧନ୍ୟବାଦ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବେଜୋସ୍ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ପାଖକୁ ଗ୍ରାହକଙ୍କ ସମ୍ୱନ୍ଧିତ ଆସୁଥିବା ମେଲକୁ ସେ ନିଜ ଚେକ୍ କରନ୍ତି । ଆବଶ୍ୟକ ସ୍ଥଳେ ନିଜ ହସ୍ତକ୍ଷେପ କରନ୍ତି ଅଥବା ଅଭିଯୋଗ ସମ୍ୱନ୍ଧୀତ ବିଭାଗକୁ ମେଲ୍ ଫରଓ୍ୱାର୍ଡ କରନ୍ତି । ସେ କହିଥିବା କଥା ଆଜି ସତ ପ୍ରମାଣିତ ହୋଇଛି । ବିଶ୍ୱର ଏକ ନମ୍ୱର ଧନୀଙ୍କର ଏଭଳି ବ୍ୟବହାର ତାଙ୍କ ନମ୍ରତାକୁ ପ୍ରମାଣ କରୁଛି ।

Leave a Reply