କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ଓଡ଼ିଶା ଶକ୍ତି

ଭୁବନେଶ୍ୱର: କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡ଼ିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପରେ ଏବେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଅଗ୍ରଭାଗରେ ଅଛନ୍ତି । ରାଜ୍ୟର ଗାଁ ଠାରୁ ସହର ପର୍ଯ୍ୟନ୍ତ ୬ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀରେ ଥିବା ୭୦ ଲକ୍ଷ ମହିଳା ସଦସ୍ୟା ଏହି ମହାମାରୀ ସମୟରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକ ସୁଜାତା କାର୍ତ୍ତିକେୟନ ତତ୍ତ୍ୱାବଧାନରେ ଗାଁଠୁ ସହର ପର୍ଯ୍ୟନ୍ତ ତଳ ସ୍ତରର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି ଏସ୍‍ଏଚ୍‍ଜି ସଦସ୍ୟା ।

ମାର୍ଚ୍ଚ ମାସ ପ୍ରାରମ୍ଭରୁ କରୋନା ମୁକାବିଲା ଲାଗି ପ୍ରସ୍ତୁତ ସଚେତନତା ପୋଷ୍ଟର ଗୁଡିକ ୭୦ ଲକ୍ଷ ମହିଳାଙ୍କ ମଧ୍ୟରେ ବଣ୍ଟାଯାଇଛି । ସେମାନେ ନିଜ ନିଜ ପରିବାର ସହିତ ସ୍ଥାନୀୟ ଗୋଷ୍ଠୀ ଗୁଡ଼ିକୁ ସଚେତନ କରୁଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ଗୁଡିକରେ ବ୍ୟାପକ ସଚେତନତା ବିଶେଷକରି ମହିଳାଙ୍କ ମଧ୍ୟରେ କରୋନା ମୁକାବିଲା ନେଇ ସଚେତନତା ସୃଷ୍ଟିରେ ସହାୟକ ହୋଇଛି । କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କରିଥିବା ଅନୁରୋଧର ଶପଥ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ବଣ୍ଟନ ହୋଇଛି । କରୋନା ସମ୍ପ୍ରସାରଣ ଉପରେ ଲଗାମ ଲଗାଇବା ପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳ ଲୋକେ ଘର ଭିତରେ ରହିବାପାଇଁ ମୁଖ୍ୟମନ୍ତ୍ରୀ ଶପଥ କରାଇଛନ୍ତି । ଏ କ୍ଷେତ୍ରରେ ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ପ୍ରାରମ୍ଭରେ ସାଧାରଣ ଲୋକଙ୍କ ମଧ୍ୟରେ ମାସ୍କର ଚାହିଦାକୁ ଦେଖି ଯେଉଁ ସହାୟିକା ଗୋଷ୍ଠୀ ଓ ସଂଘ ଗୁଡ଼ିକର ପୂର୍ବରୁ ସ୍କୁଲ ପୋଷାକ ସିଲେଇରେ ଅଭିଜ୍ଞତା ଥିଲା ସେମାନେ ମାସ୍କ ତିଆରି କରୁଛନ୍ତି । ବର୍ତ୍ତମାନ ପାଖାପାଖି ୪୦୦ ଏସ୍‍ଏଚ୍‍ଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି ଯାହାକି ଏ ସମୟରେ ଅତି ଜରୁରୀ ସାମଗ୍ରୀ ପାଲଟିଛି । ଏସ୍‍ଏଚ୍‍ଜି ଗୁଡ଼ିକ ନିକଟରେ ସାଧାରଣ ଲୋକଙ୍କ ବ୍ୟତୀତ ବ୍ୟାଙ୍କ୍‍, ପୋଲିସ୍‍ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନେ ୬ ଲକ୍ଷ ମାସ୍କ କିଣିଛନ୍ତି । ସେମାନେ ଏହାକୁ ମାତ୍ର ୧୫ରୁ ୨୦ ଟଙ୍କା ଦରରେ କିଣିଛନ୍ତି । କେତେକ ସ୍ୱୟଂ ସହାୟିକା ଗୋଷ୍ଠୀ ଲୋକଙ୍କ ଆବଶ୍ୟକତାକୁ ଦେଖି ସେମାନଙ୍କୁ ମାଗଣାରେ ମାସ୍କ ବାଣ୍ଟିଛନ୍ତି ।

ଲକ୍‍ ଡାଉନ୍‍ ଘୋଷଣା ପରେ ସେତେବେଳେ ଲୋକଙ୍କ ନିକଟରେ ରାସନ ଓ ପନି ପରିବା ପହଞ୍ଚାଇବା ମୁଖ୍ୟ ପ୍ରସଙ୍ଗ ଥିବାବେଳେ ଏସ୍‍ଏଚ୍‍ଜି ଗୁଡ଼ିକ ଏହି ଆବଶ୍ୟକତା ପୂରଣ କରିଥିଲେ । ପାଖପାଖି ୫୦୦ ସ୍ୱୟଂ ସହାୟିକା ଗୋଷ୍ଠୀ ଜିଲ୍ଲା ପ୍ରଶାସନ ସହାୟତାରେ ସମଗ୍ର ରାଜ୍ୟରେ ରାସନ, ପନିପରିବା ଏବଂ ଫଳ ଦୋକାନ ପ୍ରତିଷ୍ଠା କରିଛନ୍ତି । କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ କୋରାପୁଟର ସହରାଞ୍ଚଳରେ ଏସ୍‍ଏଚ୍‍ଜି ସଦସ୍ୟାମାନେ ଲୋକଙ୍କ ଘରେ ନେଇ ମଧ୍ୟ ଆବଶ୍ୟକ ରାସନ ସାମଗ୍ରୀ ପହଞ୍ଚାଉଛନ୍ତି ।

ଲକ୍‍ ଡାଉନ୍‍ ସମୟରେ ସମଗ୍ର ରାଜ୍ୟରେ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ଅତ୍ୟନ୍ତ ସମ୍ବେଦନଶୀଳ କାର୍ଯ୍ୟ । ପ୍ରତି ପଞ୍ଚାୟତରେ ନିରାଶ୍ରୟ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଯୋଗାଣ ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଏହି ଦାୟିତ୍ୱ ଏସ୍‍ଏଚ୍‍ଜିକୁ ଦେଇଛନ୍ତି । ଆଜି ସୁଦ୍ଧା ପାଖାପାଖି ୪୩୩୮ ପଞ୍ଚାୟତରେ ଖାଦ୍ୟ ଆବଶ୍ୟକ ଥିବା ଲୋକଙ୍କୁ ୧,୭୫,୩୮୫ଟି ମିଲ୍‍ ଯୋଗା ଯାଇଥିବା ବେଳେ ୧୧୪ଟି ପୌରାଞ୍ଚଳରେ ୧୪,୩୮୩ଟି ମିଲ୍‍ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକୁ ଏସ୍‍ଏଚ୍‍ଜିମାନେ ସୁରୁଖରୁରେ ତୁଲାଉଥିବାବେଳେ ପ୍ରତିଦିନ ରୋଷେଇ ହେଉଥିବା ସ୍ଥାନ ସଂଖ୍ୟା ବଢିବାରେ ଲାଗିଛି ।

ଏହାଛଡ଼ା ମିଶନ ଶକ୍ତି ଋଣ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଲାଗି ଚଳିତ ବର୍ଷ ୨୦୦୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । ରାଜ୍ୟର ବ୍ଲକ ସ୍ତରରେ ଥିବା ମହାସଂଘ ଗୁଡ଼ିକ ନିକଟରେ ୨୫ଲକ୍ଷ ଟଙ୍କାର କର୍ପସ ପାଣ୍ଠି ରହିଛି । ଏସ୍‍ଏଚ୍‍ଜି ସଦସ୍ୟମାନଙ୍କ ଆବଶ୍ୟକ ପଡ଼ିଲେ ଅତି କମ୍‍ ସୁଧରେ ଏହି ପାଣ୍ଠିରୁ ଅର୍ଥ ଯୋଗାଯାଉଛି । ସଂଖ୍ୟାଧିକ ସ୍ୱୟଂ ସହାୟିକ ଗୋଷ୍ଠୀ ସେମାନଙ୍କ ସଞ୍ଚିତ ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି ।

୨୦୦୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ମିଶନ ଶକ୍ତି ଗଠନ ହୋଇଥିବା ବେଳେ ଏହା ଅଧିନରେ ଥିବା ୬ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀର ୭୦ ଲକ୍ଷ ମହିଳା ସଦସ୍ୟା ଯେକୌଣସି ବିପର୍ଯ୍ୟୟ ଓ ଜରୁରୀ ସମୟରେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏବେ ପୁଣି ଥରେ ମିଶନ ଶକ୍ତିର ସଦସ୍ୟାମାନେ ସରକାର ଓ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ତଳ ସ୍ତରରେ ସହଯୋଗୀ ଭାବେ ସେବା ଯୋଗାଉଛନ୍ତି ।

ଛୋଟ ପିଲାଙ୍କ ପାଇଁ ସଫଳ ହୋଇଛି ଲକଡାଉନ୍, କାହିଁକି କହିଲେ ବାଗଚୀ ?

Leave a Reply