ଇରାକରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଭିଟାମାଟିକୁ ଫେରିବାକୁ କଲେ ନିବେଦନ

ଇରାକ: ଇରାକରୁ ଆସିଲା ଆମକୁ ଫେରାଇ ନିଅର ଅନୁରୋଧ । କରୋନାରେ କଡ଼ା କଟକଣାର ଆସିଲା ବିଦେଶର ଅସଲ ଚିତ୍ର । କରୋନା ସମୟରେ ଏବେ ପୁରା ବିଶ୍ୱରେ ହାହାକାର ପଡ଼ିଛି । ବିଭିନ୍ନ ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ କରୋନା ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ୁଛି । ଏଇ ଭିତରେ ରୁନ୍ଧି ହୋଇଛନ୍ତି ବାହାର ଦେଶରେ କାମ କରୁଥିବା ପ୍ରବାସୀ ଓଡ଼ିଆ । ଆଜି ସେହି ଭଳି ଏକ ଦୃଶ୍ୟ ଆମ ପାଖକୁ ଇରାକରୁ ଆସିଛି । ଯେଉଁ ଭିଡିଓରେ ଇରାକରେ ଦେଖିବାକୁ ମିଳିଛି କରୋନା କଟକଣାର ଅସଲ ଚିତ୍ର । ଓଡ଼ିଶାରୁ ଯାଇ ଇରାକରେ କାମ କରୁଥିବା ଜଣେ ପ୍ରବାସୀ ଏହି ଭିଡିଓଟି ଜାରି କରିଛନ୍ତି । ନିଜ ଭିଟାମାଟିକୁ ଆସିବାକୁ ଚାହିଁ ମଧ୍ୟ ଆସି ପାରୁନାହାନ୍ତି ।

ଇରାକରେ ଏବେ ରାସ୍ତା ଉପରେ ହଜାର ହଜାର ଓଡ଼ିଆ ଏବଂ ଭାରତୀୟ ଶ୍ରମିକ । ଦକ୍ଷିଣ ଏସିଆର ହଜାର ହଜାର ପ୍ରବାସୀ ଶ୍ରମିକ ରାସ୍ତା ଉପରେ । ଭାରତର କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଭଳି ରାଜ୍ୟରୁ ଲୋକେ ମଧ୍ୟ ସେଠାରରେ ଫସିଛନ୍ତି । ହେଲେ ଏମାନେ ରାସ୍ତାକୁ କାହିଁକି ଓହ୍ଲାଇଛନ୍ତି । ଏହାର କାରଣ ହେଉଛି ଇରାକର କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ପ୍ରକଳ୍ପ କାମ ଚାଲିଛି । ଯେଉଁଥିପାଇଁ ସେଠାରେ ବିଭିନ୍ନ ଦେଶରୁ ଲୋକେ କାର୍ଯ୍ୟ କରୁଛନ୍ତି । କିନ୍ତୁ କାର୍ଯ୍ୟ ସ୍ଥଳରେ କୌଣସି ପ୍ରକାରର କରୋନା କଟକଣାକୁ  ଅବଲମ୍ବନ କରାଯାଇନାହିଁ । ଛୋଟ ଛୋଟ ଘରେ ୯ରୁ ୧୦ ଜଣ ଲେଖାଏଁ ଲୋକେ ରହୁନ୍ତି । ସାମାଜିକ ଦୂରତା କଥାତ ନକହିବା ଭଲ । କେବଳ ଯାହା ଖାଇବାକୁ ପାର୍ସଲ ଜରିଆରେ ଆସୁଛି ସେତିକି ।

ତେବେ ସପ୍ତାହକୁ କେବଳ ଗୋଟିଏ ଫ୍ଲାଇଟ ରହିଛି ଯେଉଁଥିରେ ଲୋକେ ଭାରତକୁ ଫେରୁଛନ୍ତି । କିନ୍ତୁ ୮ ହଜାର ଶ୍ରମିକ କେମିତି ଯିବେ । ସେଥିପାଇଁ ଦିନକୁ ଗୋଟିଏ ଫ୍ଲାଇଟ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ପ୍ରବାସୀ ଶ୍ରମିକ । ଓଡ଼ିଶାର ଫସିଥିବା ଶ୍ରମିକ ମାନେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ କରି ଫରାଇନେବାକୁ ଅନୁରୋଧ କରିଛନ୍ତି । ଗୋଟିଏ ଟେଣ୍ଟ ତଳେ ୮ ହଜାର ଶ୍ରମିକ ରହି ଷ୍ଟ୍ରାଇକ କରିଛନ୍ତି । ସେପଟେ ଏହି ଶ୍ରମିକ ମାନଙ୍କ ମଧ୍ୟରୁ ୧୨ ଶହ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଡ଼ରି ଡ଼ରି ବଞ୍ଚଛନ୍ତି ବୋଲି ସେ କହିଛନ୍ତି । ତେବେ ଯେତେ ଜଲଦି ହେବ ସେମାନଙ୍କୁ ସେଠାରୁ ଆଣିବା ପାଇଁ ଭିଡ଼ିଓରେ ଓଡ଼ିଆ ଶ୍ରମିକ ଜଣେ ଅନୁରୋଧ କରିଛନ୍ତି ।

Leave a Reply