ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍‌ ଯାତ୍ରା ଉପରେ MHA ଜାରି କଲା ନୂଆ ଗାଇଡ୍‌ଲାଇନ୍

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ କାରଣରୁ ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ଗତିବିଧି ପାଇଁ ଶ୍ରମିକ୍ ସ୍ପେଶାଲ୍ ଟ୍ରେନ୍‌କୁ ନେଇ କେନ୍ଦ୍ର ସରକାର ମଙ୍ଗଳବାର ସାମାଜିକ ଦୂରତା ଏବଂ କାର୍ଯ୍ୟସୂଚୀ ସମେତ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) କହିଛି ଯେ, କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନୂଆ ଗାଇଡ୍‌ଲାଇନ୍‌ ମାନିବା ବାଧ୍ୟତାମୂଳକ ।

କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ, ଏମ୍‌ଏଚ୍‌ଏ ସହିତ ପରାମର୍ଶ କରି ରେଳ ମନ୍ତ୍ରଣାଳୟ ଦ୍ୱାରା ଶ୍ରମିକ ଟ୍ରେନ ଚଳାଚଳକୁ ଅନୁମତି ଦିଆଯାଇଛି ।

ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ନୋଡାଲ କର୍ତ୍ତୃପକ୍ଷ, ଶ୍ରମିକଙ୍କୁ କିଭଳି ସଠିକ୍‌ ଭାବେ ରିସିଭ୍‌ କରିବେ ଓ ପଠାଇବେ ସେନେଇ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଭାଲା ।

ଟ୍ରେନ୍‌ ଗୁଡ଼ିକର “ଷ୍ଟପେଜ୍‌ ଏବଂ ଗନ୍ତବ୍ୟ ସ୍ଥଳ ସମେତ ଟ୍ରେନ୍ କାର୍ଯ୍ୟସୂଚୀ, ରାଜ୍ୟର ଆବଶ୍ୟକତାକୁ ନଜରରେ ରଖି ଏମ୍‌ଓଆର୍‌ ଅନୁଯାୟୀ ଚୂଡ଼ାନ୍ତ ହେବ ।

ଟ୍ରେନ୍ କାର୍ଯ୍ୟସୂଚୀ, ଯାତ୍ରୀଙ୍କ ପ୍ରବେଶ ଏବଂ ଗତିବିଧି ପାଇଁ ପ୍ରୋଟୋକଲ୍, କୋଚରେ ପ୍ରଦାନ କରାଯିବାକୁ ଥିବା ସେବା ଏବଂ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା କରାଯାଇଥିବା ଟିକେଟ୍‌ ବୁକିଂ ବ୍ୟବସ୍ଥା ରେଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇବ ।

ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ରେଳ ମନ୍ତ୍ରଣାଳୟ ନିଶ୍ଚିତ କରିବେ ଯେ, ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବ ଏବଂ ଯେଉଁମାନଙ୍କର କୌଣସି ଲକ୍ଷଣ ନଥାଏ ସମାନେ ହିଁ ଟ୍ରେନ୍‌ରେ ଯାତ୍ରା କରିପାରିବେ ।

ସମସ୍ତ ଯାତ୍ରୀ ବୋର୍ଡିଂ ଏବଂ ଯାତ୍ରା ଅବଧି ସମୟରେ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ପ୍ରୋଟୋକଲ୍ ମାନିବାକୁ ପଡିବ।

Leave a Reply