ପୁଅ ଦେଇଥିଲା ମାଟ୍ରିକ୍‌ ପରୀକ୍ଷା, ହେଲେ ଫଳ ବାହାରିବା ପୂର୍ବରୁ କୁମ୍ଭୀର ନେଇଯାଇଥିଲା ଜୀବନ

କେନ୍ଦ୍ରାପଡ଼ା: ଅନିଶ୍ଚିତତାର ନାଁ ଜୀବନ । ଏଠି ସବୁ ମିଛ ମୃତ୍ୟ ସତ୍ୟ । ହୁଏତ ଏମିତି କିଛି ଦର୍ଶନକୁ ଅଙ୍ଗେ ନିଭେଇଛନ୍ତି କେନ୍ଦ୍ରାପଡ଼ାର ଏକ ପରିବାର । ପୁଅ ଦେଇଥିଲା ମାଟ୍ରିକ ପରୀକ୍ଷା । ହେଲେ ଫଳ ବାହାରିବା ପୂର୍ବରୁ କୁମ୍ଭୀରର ଆଁ ଭିତରେ ଚାଲି ଯାଇଥିଲା ଜୀବନ । ରେଜଲ୍ଟକୁ ନେଇ ଅନ୍ୟ ପିଲାଙ୍କ ଘରେ ଉତ୍ସବ ଚାଲିଥିବା ବେଳେ ରାଜକନିକା ବ୍ଳକ୍‌ ପରାମୁକୁନ୍ଦପୁର ଗାଁର ମୃତ ରୁଦ୍ରଙ୍କ ଘର ଲୋକଙ୍କ ଆଖିରୁ ଝରୁଛି ଲୁହ ।

ରୁଦ୍ର ଦେଇଥିଲା ମାଟ୍ରିକ୍‌ ପରୀକ୍ଷା । ଅପେକ୍ଷାର ଆଖିକୁ ନିଦ ନଥିଲା । କାରଣ କରୋନା ଲମ୍ବାଇ ଦେଉଥିଲା ତା ଖରାଛୁଟିର ଆୟୁଷକୁ। ରେଜଲ୍ଟ ବାହାରିବ, ସ୍କୁଲ ଛାଡ଼ି ସେ କଲେଜ ଯିବ। କେତେ ଆଶା ପୁଣି କେତେ ସ୍ୱପ୍ନ । ବିଳମ୍ବରେ ହେଉ ପଛେ ପ୍ରକାଶ ପାଇଲା ରେଜଲ୍ଟ । ସଫଳ ହେଲା ରୁଦ୍ରର ସ୍ୱପ୍ନ। ହେଲେ ସେତେବେଳକୁ ସ୍ୱର୍ଗକୁ ଲାଗି ଯାଇଥିଲା ସୌଦାଗରର ଡେଣା ।

ସେଦିନ ଥିଲା ରବିବାର। ଫଳ ଦେଖିବାକୁ ଆଙ୍ଗୁଠି ଗଣତି ଆରମ୍ଭ କରି ଦେଇଥିଲା ରୁଦ୍ର। ହେଲେ ନଈକୁ ଗାଧୋଇବାକୁ ଯାଇଥିବା ବେଳେ ପଡି ଯାଇଥିଲା କୁମ୍ଭୀର ହାବୁଡ଼ରେ। ରକ୍ତଭିଜା ନଈସୁଅରେ ନିଖୋଜ ହୋଇଯାଇଥିଲା ରୁଦ୍ର। ଆଉ ସଂଧ୍ୟା ନଇଁବା ବେଳକୁ କୂଳକୁ ଫେରିଥିଲା ମାଟ୍ରିକ୍‌ ଛାତ୍ରର ମୃତଦେହ।

ରେଜଲ୍ଟ ଆସିଛି । ହେଲେ ରୁଦ୍ର ନାହିଁ । ଏଠି ଉତ୍ସବକୁ ଉପହାସ କରିଛି ନିଷ୍ଠୁର ସମୟ । ରାକ୍ଷୀ ପୂର୍ବରୁ ଭଉଣୀ ଠାରୁ ଛଡ଼ାଇ ନେଇଛି ଭାଇକୁ। ଅଭାବି ଅଭିଭାବକଙ୍କ ଠାରୁ ସମୟ ଛଡ଼ାଇ ନେଇଛି ଆଶା ଭରସାକୁ । ଭଲ ନମ୍ବର ରଖି ପାସ୍‌ କରିଛି ରୁଦ୍ର । ହେଲେ ଏ କାଗଜ ଏବେ କାହା ପାଇଁ ।

୨୯ ତାରିଖରେ ବାହାରିଲା ମାଟ୍ରିକ ରେଜଲ୍ଟ, ହେଲେ ତା ପୂର୍ବରୁ ୨୬ରେ କୁମ୍ଭୀର ମୁହଁରେ ପଡି ଜୀବନ ହରାଇଥିଲେ ଛାତ୍ର ଜଣଙ୍କ । ରୁଦ୍ର ଥିଲେ ପରିବାରରେ ଥାଆନ୍ତା ହସ ଖୁସିର ମାହୋଲ । ହେଲେ କାଳଚକ୍ର ଆଗରେ ଏବେ ସବୁ ଶୁନଶାନ୍‌ ।

Leave a Reply