କମଲନାଥ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ବହୁମତ ସାବ୍ୟସ୍ତ ନେଇ ୨୪ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାରି ରହିଛି ମଧ୍ୟପ୍ରଦେଶ ମହାନାଟକ । ଆଜି ବି ହୋଇପାରିଲାନି ବହୁମତ ସାବ୍ୟସ୍ତ । ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭିତରେ ବିତିଗଲା ଦିନ । ସେପଟେ କମଲନାଥ ସରକାରଙ୍କ ସୁପ୍ରିମକୋର୍ଟ ନୋଟିସ ଦେଇଛନ୍ତି । କାହିଁକି ବହୁମତ ସାବ୍ୟସ୍ତ କରୁନାହାନ୍ତି, ସେନେଇ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଏହି ପ୍ରସଙ୍ଗରେ ବିଜେପି ଆବେଦନ କରିଥିବା ପିଟିସନର ଶୁଣାଣି ଆସନ୍ତାକାଲି ହେବ ।

ଏପଟେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ କହିବା କଥା, ତାଙ୍କ ପାଖରେ ବହୁମତ ରହିଛି । ୧୬ ଜଣ ବିଧାୟକଙ୍କୁ ବେଙ୍ଗାଲୁରୁରେ ନଜର ବନ୍ଦୀ ରଖାଯାଇଛି । ସେମାନଙ୍କୁ ମୁକ୍ତ କରାଗଲେ ଗୃହରେ ବହୁମତ ସାବ୍ୟସ୍ତ କରାଯିବ । ଏନେଇ ରାଜ୍ୟପାଳଙ୍କୁ କମଲନାଥ ଚିଠି ମଧ୍ୟ ଲେଖିଛନ୍ତି । ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ଦଳ ଗୃହରେ ବହୁମତ ହରାଇଛି । ତାଙ୍କ ପାଖରେ ଆଉ ବିକଳ୍ପ ନାହିଁ । କରୋନା ବି ସେମାନଙ୍କୁ ରକ୍ଷା କରିପାରିବ ନାହିଁ । ଗୃହରେ ଶୀଘ୍ର ବହୁମତ ସାବ୍ୟସ୍ତ କରନ୍ତୁ । କଂଗ୍ରେସର ୨୨ଜଣ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ବାଚସ୍ପତି ୬ ଜଣଙ୍କ ଇସ୍ତଫା ଗ୍ରହଣ କରିଛନ୍ତି  । ଏହାପରେ ବିଧାୟକଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି । ବାକି ୧୬ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ ପରେ କମଲନାଥ ସରକାରଙ୍କ ପାଖରେ ୯୨ ଜଣ ବିଧାୟକ ରହିବ । ଗୃହରେ ବିଜେପି ବିଧାୟକ ସଂଖ୍ୟା ୧୦୭ ରହିଛି। ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୦୪ ।

Leave a Reply