ସରକାରୀ ବାବୁଙ୍କ ସୁନା ସଉକ, ଲାଞ୍ଚ ଟଙ୍କାରେ କରୁଥିଲେ ୱାର୍ଲ୍ଡ ଟୁର୍

ଭୁବନେଶ୍ୱର: ଗିରଫ ପରେ ଫିଟୁଛି ଗୁମର । କୋଟିପତି ବାବୁଙ୍କ ସଉକର ଗୋଟିଏ ଗୋଟିଏ ଫର୍ଦ୍ଦ ଖୋଲୁଛି ଭିଜିଲାନ୍ସ । ଫ୍ୟାକ୍ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ଗିରଫ ହେବା ପରେ ରାଜକୀୟ ଜୀବନଯାପନ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସପି । ସୁନାରୁପାରେ ଥିଲା ରମେଶଙ୍କ ସଉକ । ସେ ରୂପା ଗ୍ଲାସରେ ପାଣି ପିଉଥିଲେ ଆଉ ସୁନା ଚାମଚରେ ଖାଉଥିଲେ । ଏପରି ଭାବେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ରମେଶ ୬ଥର ୟୁରୋପୀୟ ଦେଶ ବୁଲିବାକୁ ଯାଇଥିଲେ । ଚୀନ, ଜାପାନ ଓ ଆମେରିକା ଆଦି ଦେଶ ପରିଭ୍ରମଣ କରିବାକୁ ଯାଉଥିଲେ । ରମେଶଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ଜାଣିବାକୁ ଯୋଜନା ରଖିଛି ଭିଜିଲାନ୍ସ । ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଗତକାଲି ରମେଶ ବେହେରାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଥିଲା । ସର୍ଚ୍ଚ ସମୟରେ ଆୟରୁ ଅଧିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏନେଇ ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ଗୁରୁବାର ରମେଶଙ୍କ ଭୁବନେଶ୍ୱର, କଟକ, କୋରେଇ ଓ ପୁଡୁଚେରୀ ସମେତ ୬ଟି ଜାଗାରେ ଚଢାଉ କରିଥିଲା ଭିଜିଲାନ୍ସ । ତାପରେ ତାଙ୍କୁ ଗିରଫ କରାଯାଇଛି ।

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଓ ବଏଲର୍ସ ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା । ରମେଶ ଚନ୍ଦ୍ରଙ୍କ ଠାରୁ ୧ କୋଟି ୪୮ ଲକ୍ଷ ୫୯ ହଜାର ୪୬୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଘାଟିକିଆ, କଟକରେ ଥିବା ଶ୍ୱଶୂର ଘର, କୋରେଇରେ ଥିବା ପୈତୃକ ବାସଭବନ, କଟକ ସିଡିଏରେ ଥିବା ଫ୍ଲାଟ, କାର୍ଯ୍ୟାଳୟ ଓ ପୁଡୁଚେରୀ ଥିବା ଫ୍ଲାଟ ଓ ଯାନବାହାନକୁ ମିଶାଇ ରମେଶ ଚନ୍ଦ୍ରଙ୍କ ଏହି ସମ୍ପତ୍ତି ଥିବା କହିଛି ଭିଜିଲାନ୍ସ । ଭୁବେନଶ୍ୱରରେ ଥିବା ଫ୍ଲାଟ ୪୧ ଲକ୍ଷ ୭୫ ହଜାରରୁ ଅଧିକ ଟଙ୍କା, ଯାଜପୁରରେ ଥିବା ତିନି ମହାଲା ବିଲ୍ଡିଂ ୨୮ ଲକ୍ଷ ୪୯ ହଜାରୁ ଅଧିକ ଟଙ୍କା ହେବ ବୋଲି ସୂଚନା ଦେଇଛି ଭିଜିଲାନ୍ସ ।

Leave a Reply