Love Jihad : କୁଆଡୁ ଆସୁଛି ଟଙ୍କା, ଫଣ୍ଡିଂ ପଛରେ କିଏ ? ଏସଆଇଟି ଖୋଜୁଛି ଲିଙ୍କ୍

କାନପୁର: ଉତ୍ତର ପ୍ରଦେଶର କାନପୁରରେ ଲଭ ଜିହାଦ ମାମଲାରେ ଲଗାତର ବୃଦ୍ଧି ଘଟିବାରେ ଲାଗିଛି । ଲଭ୍ ଜିହାଦର ୯ ମାମଲା ସାମ୍ନାକୁ ଆସିବା ପରେ ସବୁ ମାମଲାର ଯାଂଚ ଏବେ ଏସଆଇଟି କରୁଛି । ପୋଲିସ ସୂତ୍ର ଅନୁସାରେ ଅଭିଯୁକ୍ତ ଓ ସେମାନଙ୍କ ସଂପର୍କୀୟଙ୍କ ବ୍ୟାଙ୍କ୍ ଡିଟେଲର ଖୋଳତାଡ ହେଉଛି । ସବୁ ଅଭିଯୁକ୍ତଙ୍କ ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ସେମାନେ ଅଦାଲତରେ ମାମଲା ଲଢିବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏଇଥିରୁ ପୋଲିସ ସନ୍ଦେହ କରୁଛି ଯେ, ଅଭିଯୁକ୍ତଙ୍କୁ କୌଣସି ବ୍ୟକ୍ତି କିମ୍ବା ସଂଗଠନ ଫଣ୍ଡିଂ କରୁଛି । ଏବେ ଏସଆଇଟି ଫଣ୍ଡିଂର ସ୍ରୋତକୁ ଜାଣିବାକୁ ଚାହୁଁଛି ।

ଲଭ ଜିହାଦର ଶିକାର ହୋଇଥିବା ଝିଅଙ୍କ ପରିବାରବର୍ଗ ଓ ହିନ୍ଦୁବାଦୀ ସଂଗଠନ ଆଇଜି ରେଂଜଙ୍କ ସହ ସାକ୍ଷାତ କରି ଅଭିଯୋଗ କରିଛନ୍ତି ଯେ, ଏକ ସଂଗଠିତ ଗୋଷ୍ଟି ସହରରେ ସକ୍ରିୟ ରହିଛି । ଏହି ଗୋଷ୍ଠୀ ଝିଅଙ୍କ ବ୍ରେନ୍ ୱାସ କରି ଧର୍ମ ପରିବର୍ତ୍ତନ କରୁଛନ୍ତି । ଲଭ୍ ଜିହାଦର ୫ ଅଭିଯୁକ୍ତ ଗୋଟିଏ କଲୋନିରେ ରୁହନ୍ତି । ମାମଲାରେ ଗମ୍ଭୀରତାକୁ ଦେଖି ଏସଆଇଟି ଗଠିତ ହୋଇଥିଲା । ତଦନ୍ତରୁ ଜଣା ପଡିଥିଲା ଯେ, ସମସ୍ତ ଅଭିଯୁକ୍ତଙ୍କ ଆର୍ଥିକ ସ୍ଥିତି ବେସ ଖରାପ ।

ପିତା ଫର୍ଣ୍ଣିଚର ଦୋକାନରେ କାମ କରନ୍ତି

ଶାଳିନୀ ଯାଦବରୁ ଫିଜା ଫତିମା ବନିଥିବା ଯୁବତୀ ଫୈଜଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ଶାଳିନୀଙ୍କ ପରିବାର ଫୈଜଲ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ ।  ଫୈଜଲ ଆହ୍ଲାବାଦ ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟ ପର୍ଯ୍ୟନ୍ତ ମହଙ୍ଗା ଓକିଲଙ୍କୁ ନିଜ ପାଇଁ ଛିଡା କରିଛନ୍ତି ।  ଆଇନଗତ ଲଢେଇରେ ଅଭିଯୁକ୍ତ ମାନେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତିରେ ପ୍ରଶ୍ନ ଉଠୁଛି ଯେ,ଏତେ ଟଙ୍କା ଆସୁଛି କୁଆଡୁ । ଅଭିଯୁକ୍ତ ଫୈଜଲଙ୍କ ପିତା ଏକ ଫର୍ଣ୍ଣିଚର ଦୋକାନରେ କାମ କରୁଛନ୍ତି । ତାଙ୍କ ପକ୍ଷରେ ମହଙ୍ଗା ଓକିଲ କରିବା ସମ୍ଭବ ନୁହେଁ । ତେଣୁ ପୋଲିସ ଏବେ ଫୈଜଲ ଓ ତାଙ୍କ ପରିବାରର ବ୍ୟାଙ୍କ୍ ଡିଟେଲ ଯାଂଚ୍ କରୁଛି ।

love jihad

ଧର୍ମ ଲୁଚାଇ କରିଥିଲେ ବନ୍ଧୁତା

ପନକିରେ ଲଭ୍ ଜିହାଦର ଶିକାର ହୋଇଥିବା ଦୁଇ ଭଉଣୀଙ୍କ ବ୍ରେନୱାସ୍ କରି ଧର୍ମ ପରିବର୍ତ୍ତନ କରିଥିବା ଦୁଇ ଅଭିଯୁକ୍ତ ମୋହସିନ୍ ଖାନ୍ ଓ ଅମିର ଜେଲରେ ଅଛନ୍ତି । ଦୁଇ ଅଭିଯୁକ୍ତ ନିଜ ଧର୍ମ ଲୁଚାଇ ବନ୍ଧୁତା କରିଥିଲେ । ମୋହସିନ୍ ଓ ଅମିରଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ନାହିଁ । ଏହା ସତ୍ୱେ ମଧ୍ୟ ଦୁଇ ଅଭିଯୁକ୍ତ ଯେଉଁ ଓକିଲ କରିଛନ୍ତି ସେମାନଙ୍କ ଫିସ୍ ଢେର ଅଧିକ । ତେଣୁ ପୋଲିସର ସନ୍ଦେହ ଯେ, ସେମାନଙ୍କୁ କୌଣସି ସଂଗଠନ ଫଣ୍ଡିଂ କରୁଛନ୍ତି ।

ଅଣ୍ଡରଗ୍ରାଉଣ୍ଡ୍ ହେବା ପରେ ମଧ୍ୟ ଆର୍ଥିକ ସାହାଯ୍ୟ

କଲ୍ୟାଣପୁରରେ ଦୁଇ ଭଉଣୀ ଲଭ୍ ଜିହାଦର ଶିକାର ହୋଇଥିଲେ ।  ଦୁଇ ଭଉଣୀଙ୍କ ବ୍ରେନୱାସ କରି ଧର୍ମ ପରିବର୍ତ୍ତନ କରିଥିବା ଦୁଇ ଅଭିଯୁକ୍ତ ଏବେ ମଧ୍ୟ ପୋଲିସ ହାତ ପାହନ୍ତାରୁ ଦୂରରେ । ଦୁଇ ଅଭିଯୁକ୍ତ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି । ପୋଲିସ ସୂତ୍ର ଅନୁସାରେ ଉଭୟ ମହଙ୍ଗା ଓକିଲଙ୍କ ସଂପର୍କରେ ଅଛନ୍ତି । ଏହି ୫ ଜଣ ଅଭିଯୁକ୍ତ ଗୋଟିଏ କଲୋନିର ହୋଇଥିବାରୁ ମଧ୍ୟ ପୋଲିସର ସନ୍ଦେହ ବଢିଯାଇଛି ।

ଗୋବିନ୍ଦ ନଗରରେ ରହୁଥିବା ଝିଅକୁ ଜାଜମଉର ନଫିସ ବ୍ରେନୱାସ କରି ୧୫ ଦିନ ପର୍ଯ୍ୟନ୍ତ ଘରେ ବନ୍ଧକ ଭାବେ ରଖିଥିଲା । ଧର୍ମ ପରିବର୍ତ୍ତନ ସହ ତା’ର ଶାରିରିକ ଶୋଷଣ ହେଉଥିଲା । ଏକ ସଂଗଠନ ଝିଅକୁ ନଫିସ କବଳରୁ ଉଦ୍ଧାର କରିଥିଲା । ସେହିଭଳ ସେହି ଏକା ଅଂଚଳରେ ରହୁଥିବା ଆଦିଲ ଖାନ ମଧ୍ୟ ଜଣେ ୧୬ ବର୍ଷୀୟ ନାବାଳିକାକୁ ବନ୍ଧକ ଭାବେ ରଖିଥିଲା । କିଛି ସଂଗଠନଙ୍କ ଚାପ ପରେ ପୋଲିସ ମାମଲାର ତଦନ୍ତ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା ।

ଅଭିଯୁକ୍ତଙ୍କ ମହଙ୍ଗା ସଉକ୍

କାନପୁରରେ ଗତ ଦୁଇ ମାସ ମଧ୍ୟରେ ଲଭ ଜିହାଦର ୯ ମାମଲା ସାମ୍ନାକୁ ଆସିଛି । ସବୁ ମାମଲାରେ ଅଭିଯୁକ୍ତ ନିଜ ନାମ ପରିବର୍ତ୍ତନ କରି ବନ୍ଧୁତା କରିଛନ୍ତି । ହିନ୍ଦୁ ଯୁବକ ଭାବେ ନିଜ ପରିଚୟ ଦେଇଛନ୍ତି ଓ ବିଳାଶପୂର୍ଣ୍ଣ ଜୀବନର ଲୋଭ ଦେଖାଇ ପ୍ରେମ ଜାଲରେ ଫସାଇଛନ୍ତି । ଝିଅମାନଙ୍କୁ ପ୍ରେମ ଜାଲରେ ଫଶାଇବା ପାଇଁ ଆରୋପି ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିଲେ । ମହଙ୍ଗା ହୋଟେଲରେ ଖାଉଥିଲେ,ଚାରି ଚକିଆରେ ବୁଲୁଥିଲେ,ମଲରେ ଦାମି ସାମଗ୍ରୀ ସପିଂ କରୁଥିଲେ । ଏହା ସହ ସେମାନେ ଝିଅମାନଙ୍କୁ ଦାମି ଉପହାର ମଧ୍ୟ ଦେଉଥିଲେ । ପୋଲିସ ଏବେ ସେମାନଙ୍କ ଖର୍ଚ୍ଚର ହିସାବ ଖୋଜୁଛି । ଆର୍ଥିକ ହାଲତ ଠିକ୍ ନଥିବା ବେଳେ ସେମାନେ ଏତେ ଟଙ୍କା କେଉଁଠୁ ପାଉଥିଲେ ? ଏହା ଏବେ ପୋଲିସର ମୁଖ୍ୟ ତଦନ୍ତ ବିଷୟ ।

Leave a Reply