Coronavirus Update: ପୁଣି ଫେରୁଛି ଲକଡାଉନ୍-ସଟଡାଉନର ବେଳ, ୟୁରୋପର ପ୍ରାୟ ଦେଶରେ ସାନି କଟକଣା….

1 min read

ନୂଆଦିଲ୍ଲୀ:  କରୋନା ସାଙ୍ଗରେ ନେଇ ଆସିଥିଲା, ଲକଡାଉନ୍ ଓ ସଟଡାଉନର କଟକଣା । ସାଧାରଣ ଜନଜୀବନକୁ ଅସ୍ତବସ୍ତ କରି ସାମାଜିକ ଦୂରତ୍ୱମାନିବାକୁ ବାଧ୍ୟ କରିଥିଲା । ଏବେ ମଧ୍ୟ କରୋନାର ପ୍ରାଦୂର୍ଭାବ ରହିଛି । ତେବେ ଅର୍ଥନୈତିକ କାରଣ କଟକଣା କୋହଳ କରିବା ପ୍ରାୟ ସବୁ ଦେଶକୁ ବାଧ୍ୟ କରିଛି । ତେଣୁ ପ୍ରାୟ ଅଧିକାଂଶ ଦେଶ କଟକଣାକୁ କୋହଳ କରିଛନ୍ତି । ଏଇ ଭିତରରେ ଏକ ଆଶଙ୍କା ମଧ୍ୟ କୁହୁଳୁଛି । କୋହଳ କରିବା ଦ୍ୱାରା ସଂକ୍ରମଣ ଆହୁରି ବଢି ମଧ୍ୟ ପାରେ । ଏଣୁ ଆବଶ୍ୟକୀୟ କଟକଣା ଉପରେ ଜୋର ଦେବା ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି- ସ୍ପେନ ଓ ଶ୍ରୀଲଙ୍କା ଭଳି ଦେଶ । ସଂକ୍ରମିତ କମୁଥିଲେ ମଧ୍ୟ କଟକଣାକୁ ଏକମଦ କୋହଳ କରିବା ଏକପ୍ରକାର ମୂର୍ଖାମୀ ବୋଲି ସ୍ପେନ ଓ ଶ୍ରୀଲଙ୍କା ମନେ କରୁଛନ୍ତି ।

ସ୍ପେନରେ କୋଭିଡ -୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାତିରେ କର୍ଫ୍ୟୁ ଲାଗୁ ହୋଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏ ସମ୍ପର୍କିତ ସୂଚନା ଦେଇଛନ୍ତି ।  ଦେଶରେ ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେହି ସମୟରେ ଲୋକମାନେ ଘରୁ ବାହାରିପାରିବେ ନାହିଁ । ଏହି ନିୟମ ଗତ କାଲି ରବିବାର ଠାରୁ ଲାଗୁ ହୋଇଛି । ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ଅଞ୍ଚଳର ଗତିବିଧି ଉପରେ ମଧ୍ୟ ରୋକ୍ ଲଗାଇ ପାରିବ। ଚଳିତ ବର୍ଷ ଆରମ୍ଭରେ ସଂକ୍ରମଣର ପ୍ରଥମ ପର୍ଯ୍ୟାୟରେ ସ୍ପେନର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ ଥିଲା  । ଏହାକୁ ଦୃଷ୍ଟିରେ ରଖି କଡ଼ାକଡ଼ି ଲକଡାଉନ୍ ଲାଗୁ କରାଯାଇଥିଲା, ଯାହା ଦୁନିଆର ସବୁଠାରୁ କଠୋର ଲକଡାଉନ୍ ଥିଲା । ଏବେ ମଧ୍ୟ ଲକଡାଉନ୍ ଉପରେ ଜୋର ଦିଆଯିବ । ସଂକ୍ରମଣ ନକମିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ଅବଶ୍ୟ, ଅନ୍ୟ ୟୁରୋପୀୟ ଅଞ୍ଚଳ ଭଳି ସ୍ପେନ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଶିକାର ହୋଇଛି। ଇଟାଲୀରେ ମଧ୍ୟ ରବିବାର ଠାରୁ ନୂଆ ପ୍ରତିବନ୍ଧକ ନିୟମ ଘୋଷଣା କରିଛି । ସରକାର କହିଛନ୍ତି ଯେ ସଂକ୍ରମଣ ମାମଲା ବୃଦ୍ଧି ହେତୁ ଦେଶର ସ୍ୱାସ୍ଥ୍ୟ ସେବା ଉପରେ ଅନେକ ଚାପ ରହିଛି। ଗତ କାଲି ଫ୍ରାନ୍ସରେ ୫୨,୦୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମହାମାରୀ ଆରମ୍ଭରୁ ସ୍ପେନରେ ସଂକ୍ରମଣ ମାମଲା ୧୦ ଲକ୍ଷ ପାର କରି ପ୍ରାୟ ୩୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଣୁ ଇଟାଲୀରେ କଟକଣା ଏକ ପ୍ରକାରର ବାଧ୍ୟତା । ଆଜିଠୁ ଇଟାଲୀରେ ସିନେମା ହଲ୍, ସୁଇମିଂ ପୁଲ, ଏବଂ ଜିମ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାର୍, ରେଷ୍ଟୁରାଣ୍ଟ ଏବଂ କାଫେ ଗୁଡିକ ସନ୍ଧ୍ୟା ୬ ଟା ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି । କିନ୍ତୁ ଦୋକାନ ଏବଂ ଅଧିକାଂଶ ବ୍ୟବସାୟ କାରବାର ଜାରି ରହିବ ।

ସେପଟେ ଶ୍ରୀଲଙ୍କାର ନିଜ ଅଧିକାଂଶ ମାର୍କେଟକୁ ବନ୍ଦ କରିଛି । ​​ ଅନେକ ଅଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ଯାତ୍ରୀବାହୀ ରେଳସେବାକୁ ସଙ୍କୁଚିତ କରାଯାଇଛି ସରକାର ୧୬ଟି ଟ୍ରେନ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ଅନାବଶ୍ୟକ ସ୍ଥଳେ ଯାତ୍ରା ନକରିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ମିଳିଛି ।

ଗତ ବର୍ଷ ଡିସେମ୍ବର ମାସରେ ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସମଗ୍ର ବିଶ୍ୱକୁ ଲକ୍ କରିଦେଇଥିଲା । ପରେ ଆସ୍ତେ ଆସ୍ତେ ଲକଡାଉନ୍ ପ୍ରଯ୍ୟାୟକ୍ରମେ ଖୋଲିଥିଲା । ହେଲେ ଏବେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଭୟ ସମସ୍ତଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣର ସଂଖ୍ୟା ପୁଣି ବୃଦ୍ଧି ହେବାରେ ଲାଗିଛି । । ସେଥିପାଇଁ ଅନେକ ସ୍ଥାନରେ ସତର୍କତା ଅବଲମ୍ବନ କରିବା ଆରମ୍ଭ ହୋଇସାରିଛି । କିଛି ସପ୍ତାହ ପୂର୍ବରୁ ଯେଉଁ ନିୟମ ଗୁଡିକୁ କୋହଳ କରାଯାଇଥିଲା, ତାହା ପୁଣି ଥରେ କାର୍ଯ୍ୟକାରୀ କରାଯାଇଛି। ୟୁରୋପରେ ସଂକ୍ରମଣର ମାମଲା ବୃଦ୍ଧି ପାଇଛି, ସେଥିପାଇଁ ନୂତନ ପ୍ରତିବନ୍ଧକ ଜାରି କରାଯାଇଛି  । ଏହା ବ୍ୟତୀତ ଜର୍ମାନୀ, ପୋଲାଣ୍ଡ, ବେଲଜିୟମ୍ ରେ ମଧ୍ୟ ପୁଣି ଥରେ ଲକଡାଉନର ନୂତନ ଗାଇଡଲାଇନ୍ ଜାରି କରାଯାଇଛି ।

Leave a Reply