ରାଜଧାନୀରେ ମାତୁଛନ୍ତି ଲୁଟେରା, ଆଇଆରସି ଏନ-୪ରେ ଚୋରି କରିବା ବେଳେ ଧରା ପଡ଼ିଲେ ମହିଳା….

1 min read

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବିଶେଷ ଭାବେ ନୟାପଲ୍ଲୀ ଅଞ୍ଚଳରେ । ପ୍ରାୟତଃ ଭିଆପି ଓ ଭିଭିଆପି ଶ୍ରେଣୀର ଲୋକେ ଏଠି ରହୁଥିବା ହେତୁ ଲୁଟେରାଙ୍କ ପ୍ରାଦୂର୍ଭାବ ଏଇଠି ବଢ଼ିଛି । ତେବେ ଆଜି ଦୁଇ ଜଣ ମହିଳା ନୟାପଲ୍ଲୀର ଆଇଆରସି ଏନ୍-୪ରେ ଜଣଙ୍କ ଘରେ ପସି ଚୋରି କରୁଥିବା ବେଳେ ଧରା ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ମହିଳା ଉକ୍ତ ଘରର ୪ଟି ଗେଟକୁ ପାର କରି ଘର ଭିତରେ ପସିବାକୁ ସକ୍ଷମ ହୋଇଥିଲେ । ଏହାପରେ ମୋବାଇଲ ଧରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଘରର ମାଲିକ ତାଙ୍କୁ ଦେଖି ନେଇଥିଲେ । ମାଲିକ ବିଳମ୍ୱ ନକରି ଘରର ମୁଖ୍ୟ ଗେଟ୍ ବନ୍ଦ କରିଥିଲେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଖସି ଯିବାରେ ସଫଳ ହୋଇଛି ।

Lady Lootera

ଏନେଇ ନନ୍ଦିଘୋଷ ଟିଭିରେ ଜାରି ହୋଇଥିବା ଏକ ଭିଡିଓରେ ଧରା ପଡିଥିବା ମହିଳା ଜଣକ ଘର ମାଲିକଙ୍କ ଗୋଡ ଧରି ଭୁଲ ମାଗୁଥିବା ବେଳେ ତାଙ୍କୁ ଛାଡ଼ି ଦେବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳୁଛି । ତେବେ ଧରା ପଡ଼ିଥିବା ମହିଳା ଜଣଙ୍କୁ ଘର ମାଲିକ ନୟାପଲ୍ଲୀ ଥାନା ହେପାଜତରେ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗଲା କିଛି ଦିନ ହେବ ରାଜଧାନୀରେ ଚୋରୀ ବଢିବାରେ ଲାଗୁଛି ।  ଏଇ କିଛି ଦିନ ତଳେ ଉକ୍ତ ଆଇଆରସି ଭିଲେଜ ଅଞ୍ଚଳ ଭିତରରେ ପସି ବନ୍ଧୁକ ଦେଖାଇ ମହିଳା ପୋଲିସଙ୍କଠାରୁ ଟଙ୍କା ମଧ୍ୟ ଲୁଟ୍ ହୋଇଥିଲା ।

Leave a Reply