କ. ନୂଆଗାଁ ହତ୍ୟାକାଣ୍ଡ: ୭ ମାସ ପରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ କ.ନୂଆଗାଁ ହତ୍ୟାକାଣ୍ଡର ପର୍ଦ୍ଦାଫାସ । ଦେଖାଳି ଗାଁରେ ପ୍ରମୋଦିନୀ ନାୟକଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ବେହେରା ଗିରଫ । ଘଟଣାର ୭ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କୌଣସି ପ୍ରତ୍ୟକ୍ଷଦର୍ଶୀ କି ପ୍ରମାଣ ନଥିବାରୁ ଅଭିଯୁକ୍ତକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା । ଏପରିକି ହତ୍ୟା ପରେ ଗାଁ ବାହାରକୁ ଚାଲିଯାଇଥିଲା ପ୍ରକାଶ । ଏବେ ଗାଁକୁ ଆସିବା ପରେ ତାକୁ ଗିରଫ କରିଛି ପୋଲିସ । ସେପଟେ ମୃତ ପ୍ରମୋଦିନୀଙ୍କ ସାନଭଉଣୀ ଦେହରେ ସବାର ଭୂତ ଅଭିଯୁକ୍ତଙ୍କ ନାଁ ନେଉଥିବା ଭିଡିଓ ଭାଇରାଲ ହୋଇଛି  ।

ଗଞ୍ଜାମ କ. ନୂଆଗାଁ  ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ଖୋଲିଛି ହତ୍ୟାକାଣ୍ଡର ରହସ୍ୟ  । କାମନାର ବଶବର୍ତ୍ତୀ ହୋଇ କେମିତି ହତ୍ୟା କରିଥିଲା, ପୋଲିସ ଆଗରେ ଟିକିନିକି ବଖାଣିଛି ଅଭିଯୁକ୍ତ ପ୍ରକାଶ ବେହେରା  । ମୃତ ପ୍ରମୋଦିନୀ ନଈରେ ଗାଧୋଇବା ବେଳେ, ଲୁଚି ଦେଖୁଥିଲା ପ୍ରକାଶ  । ଯାହାର ପ୍ରମାଣ ପ୍ରମୋଦିନୀଙ୍କ ମୋବାଇଲର  ମ୍ୟାସେଜରୁ ପାଇଥିଲା ପୋଲିସ  । ତେବେ ମଇ ମାସ ୧୦ ତାରିଖରେ ପ୍ରମୋଦିନୀ  ବିଲରୁ ଫେରି ନଇରେ ଏକୁଟିଆ ଗାଧୋଉଥିବା ବେଳେ, କାମନାକୁ ଚରିତାର୍ଥ କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ  । ହେଲେ ବିଫଳ ହେବାରୁ ନଈରେ ବୁଡାଇ ମାରିଦେଇଥିଲା  । ପୋଲିସ ଆଗରେ ଅଭିଯୁକ୍ତ ସବୁ ସତ ମାନିଥିବା ବେଳେ, ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ  ।

ତଥ୍ୟ ପ୍ରମାଣ ଅଭାବରୁ ହତ୍ୟାକାଣ୍ଡର ଖିଅ ଖୋଜୁଥିବା ପୋଲିସ ଅନ୍ଧାରରେ ବାଡି ବୁଲାଉଥିଲା  । ଏହାରି ମଧ୍ୟରେ ୭୦ ଜଣଙ୍କ ଜେରା ବି ସରିଥିଲା  । ମାତ୍ର ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବା ମୁସକିଲ ହୋଇପଡିଥିଲା ପୋଲିସ ପାଇଁ  । ତେବେ ହତ୍ୟାକାଣ୍ଡ ପରେ ଗାଁ ଛାଡି ଯାଇଥିବା ତାଲିକା ଖୋଜିବା ବେଳେ ସାମନାକୁ ଆସିଥିଲା ପ୍ରକାଶର ନାଁ  । ବିଶାଖାପାଟଣାରୁ ପ୍ରକାଶଙ୍କୁ ଡକାଇ ଜେରା ବେଳେ, ପୋଲିସର ଚତୁର ପ୍ରଶ୍ନ ଆଗରେ ସତ କହିଥିଲା ସଇତାନ  ।

ପୋଲିସ ତ ଗିରଫ କଲା ତାପୂର୍ବରୁ ଭୂତ ବି ଖୋଜି ସାରିଥିଲା ସଇତାନର ଠିକଣା  । ମୃତ ପ୍ରମୋଦିନୀଙ୍କ ସାନଭଉଣୀଙ୍କ ଦେହରେ ସବାର ଭୂତ ଖାତାରେ ଲେଖିଥିଲା ଅଭିଯୁକ୍ତଙ୍କ ନାଁ  । ଯାହାରା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବନ୍ଧା ହୋଇଥିବା ବେଳେ, ଆଉ କାହାର ସଂପୃକ୍ତି ଅଛି ସେନେଇ ତଦନ୍ତ କରୁଛି ପୋଲିସ  ।

Leave a Reply