କିଏ ସେହି ଭାରତୀୟ, ଯିଏ ଲେଖିଥିଲେ ବାଇଡେନଙ୍କ ଭାଷଣ ?

1 min read

ହାଇଦ୍ରାବାଦ: ଶପଥ ନେଇଥିଲେ ବିଶ୍ବର ସର୍ବଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ । ଶପଥ ସମାରୋହକୁ ଦେଖୁଥାଏ ବିଶ୍ୱ । ଉଦବୋଧନରେ କ’ଣ କହିବେ ବାଇଡେନ ? ଆମେରିକା ପାର୍ଲାମେଣ୍ଟରେ ଘଟିଥିବା ହିଂସାକାଣ୍ଡକୁ ମନେ ପକାଇବେ କି ? ବିବାଦୀୟ ପୂର୍ବତନ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କହିବେ କି ନବନିର୍ବାଚିତ ରାଷ୍ଟ୍ରପତି ? ଏହାରି ଭିତରେ ନିଜର ଅଭିବାଦନ ଆରମ୍ଭ କରିଥିଲେ ଜୋ ବାଇଡେନ । କିନ୍ତୁ ବାଇଡେନଙ୍କ ଅଭିବାଦନ ପଛରେ ରହିଥିଲା ଜଣେ ଭାରତୀୟଙ୍କ ହାତ । ଶବ୍ଦର ଚାତୁରୀରେ ସନ୍ଦେଶ ଦେଉଥିବା ବାଇଡେନଙ୍କ ଭାଷଣକୁ ଲେଖିଥିବା ବ୍ୟକ୍ତି ଥିଲେ ଜଣେ ଭାରତୀୟ ।

ତେଲେଙ୍ଗାନାରେ ଜନ୍ମିତ ସି. ବିନୟ ରେଡ୍ଡୀ । ଯିଏ ଲେଖିଥିଲେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପାଇଁ ଭାଷଣ । ନିଜ ଲେଖାର ଯାଦୁରେ ବାଇଡେନଙ୍କ ପ୍ରିୟ ଭାଜନ ହୋଇଥିବା ବିନୟ, ନିଜର ଚତୁର ଶବ୍ଦରେ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମଧ୍ୟ କରିଥିଲେ ଉଲ୍ଲେଖ । ଆଉ ବିନୟ ରେଡ୍ଡୀଙ୍କ ଏହି ହାତ ଲେଖାକୁ ହ୍ୱାଇଟହାଉସର ଶପଥ ସମାରୋହରେ ଅଭିବାଦନରେ ପରଶି ଥିଲେ ବାଇଡେନ ।

ବହୁ ପୂର୍ବରୁ ବାଇଡେନଙ୍କ ଟିମରେ ରହିଆସିଛନ୍ତି ସି ବିନୟ ରେଡ୍ଡୀ । ୨୦୧୩ ରୁ  ୨୦୧୭, ଯେବେ ବାଇଡେନ ଉପ-ରାଷ୍ଟ୍ରପତି ଥିଲେ ସେବେ ମଧ୍ୟ ସାଥିରେ ଥିଲେ ବିନୟ । ତେଣୁ ବାଇଡେନଙ୍କ ଟିମରେ ଭାଷଣ ଲେଖିବାର ନିର୍ଦ୍ଦେଶକ ଭାବେ କାର୍ଯ୍ୟକରୁଥିବା ସି. ବିନୟ ଆମେରିକାର 46 ତମ ରାଷ୍ଟ୍ରପତିଙ୍କ ପାଇଁ ଲେଖିଥିଲେ ଅଭିବାଦନ ।

ଅଭିଭାଷଣର ପ୍ରଥମ ବାକ୍ୟରେ ନୂଆ ଆମେରିକା ଗଠନର ଆହ୍ୱାନ ଦେଇଥିଲେ ବାଇଡେନ । ସେ କହିଥିଲେ ଏକତା ହିଁ ଆମର ଶକ୍ତି। ଏକତା ଯୋଗୁଁ ଆମେ କେବେ ପରାସ୍ତ ହୋଇନାହୁଁ। ତେଣୁ ଆଗାମୀ ଦିନରେ ମଧ୍ୟ ଆମେରିକାବାସୀଙ୍କୁ ଏକଜୁଟ୍ ରହିବାକୁ ପଡିବ। ଅତି ଯତ୍ନର ସହ ଶବ୍ଦ ଉପସ୍ଥାପନା କରୁଥିବା ନୂଆ ରାଷ୍ଟ୍ରପତି, ନିଜ ଅଭିଭାଷଣରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ଭୁଲି ନଥିଲେ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇବା ସହ ବାଇଡେନ କହିଥିଲେ, ଆମେରିକାର ସେବା କରିବାର ସୁଯୋଗ ପାଇଥିବା ସେହି ପୂର୍ବତନ ରାଷ୍ଟ୍ରପତି, ଯିଏ ଉତ୍ସବ ସ୍ଥଳରେ ଅନୁପସ୍ଥିତ ରହିଛନ୍ତି ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Leave a Reply