ଜେଲ୍‌ ଭିତରେ ମାନସିକ ଭାରସାମ୍ୟ ହରାଉଛନ୍ତି କଏଦୀ, କାଳ କୋଠରୀ ଭିତରେ କଏଦୀଙ୍କର ବାହାରୁଛି ମୁଣ୍ଡଦୋଷ

ଭୁବନେଶ୍ୱର: ଚିଟଫଣ୍ଡ ଅଭିଯୁକ୍ତ ପ୍ରଦୀପ ସେଠୀ ହୁଅନ୍ତୁ ବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟ । ଜେଲ୍‌ ଭିତରେ ମାନସିକ ଭାରସାମ୍ୟ ହରାଇ ଉଭୟ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଛନ୍ତି । ସେହିଭଳି ସାରା ରାଜ୍ୟରେ କାଳକୋଠରୀରେ ବନ୍ଦୀ ଅନେକ କଏଦୀ ମାନସିକ ଭାରସାମ୍ୟ ହରାଉଛନ୍ତି । ଜେଲ ଭିତରେ ଗ୍ୟାଙ୍ଗୱାର, ଅସ୍ୱାସ୍ଥ୍ୟକର ପରିବେଶ, ବର୍ଷ ବର୍ଷ ଧରି ଜାମିନ ନମିଳିବା ଯୋଗୁ ଅଧିକାଂଶଙ୍କର ମାନସିକ ସନ୍ତୁଳନ ବିଗୁଡୁଛି । ଆଉ ଏବେ ଏଥିରେ ବିଶେଷ ପ୍ରଭାବ ପକାଇଛି କରୋନା । ଜାମିନରେ ଅସୁବିଧା ଓ ନିଜ ଲୋକଙ୍କ ସହ ମୁଲାକାତରେ ବିଳମ୍ବ ଯୋଗୁ କଏଦୀଙ୍କ ମାନସିକ ଅବସ୍ଥା ଖରାପ ହେଉଛି ।

ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ କଏଦୀଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ ଥିବା ବେଳେ ସେଥିରୁ ୭୮୭ ଜଣ ମାନସିକ ରୋଗୀ । ସେମାନଙ୍କ ମଧ୍ୟରୁ ୪୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ବେଳେ ଅବଶିଷ୍ଟ ୩୭୫ ଜଣ ବିଚାରାଧୀନ କଏଦୀ । ୨୦୧୭ରେ ୭୮୭ ଓ ୨୦୧୮ରେ ୬୭୭ ଜଣ ମାନସିକ ବିକାରଗସ୍ତ କଏଦୀ ରାଜ୍ୟର ୮୬ଟି ଜେଲରେ ଥିବା ଏନ୍‌ସିଆର୍‌ବି ସ୍ପଷ୍ଟ କରିଛି । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଜଣ କଏଦୀ ଆତ୍ମହତ୍ୟା କରିଥିବା ବେଳେ ୩୦ରୁ ଅଧିକ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

୨୦୧୬ ମଡେଲ ଜେଲ ପ୍ରିଜନ ମାନୁଆଲ ଅନୁଯାୟୀ ଜେଲ ଭିତରେ କଏଦୀଙ୍କ ମାନସିକ ଅବସ୍ଥାର ଯତ୍ନ ନେବାକୁ ଡାକ୍ତର ଓ ପରାମର୍ଶଦାତା ନିଯୁକ୍ତ କରାଯାଇଛି । କିନ୍ତୁ ଅଧିକାଂଶ ଜେଲର ପାରିପାର୍ଶ୍ୱିକ ଅବସ୍ଥା ଅତ୍ୟନ୍ତ ଖରାପ । ମାନସିକ ରୋଗ ଚିକିତ୍ସାର ବ୍ୟବସ୍ଥା ନାହିଁ । ଜେଲ କର୍ତ୍ତୃପକ୍ଷଙ୍କ ବ୍ୟବହାର ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅସହ୍ୟ ହେଉଛି । ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ଏକ ପ୍ରମୁଖ ସମସ୍ୟା । ସେହିପରି ୩୦ ପ୍ରତିଶତ ବିଚାରାଧୀନ କଏଦୀ ଅଶିକ୍ଷିତ ହୋଇଥିବାରୁ ଧୈର୍ଯ୍ୟହରା ହୋଇ ଆତ୍ମହତ୍ୟାର ରାସ୍ତାକୁ ଆପଣାଉଥିବା ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ କହିଛନ୍ତି । ଦିନକୁ ଦିନ ଜେଲରେ ଭୟଙ୍କର ହେଉଛି ମାନସିକ ରୋଗୀଙ୍କ ସଂଖ୍ୟା । ସମୁଦାୟ କଏଦୀଙ୍କ ୫ ପ୍ରତିଶତ ମାନସିକ ବିକାରଗସ୍ତ । …

(ଭୁବନେଶ୍ୱରରୁ ମାନସ ମହାପାତ୍ର)

Leave a Reply