ଭାରତ-ଚୀନ ସୀମା ବିବାଦ: ସେନା ପରେ ଆକ୍ସନରେ ITBP, ପେଙ୍ଗୋଙ୍ଗ ହ୍ରଦ ପାଖ କିଛି ଅଂଚଳ ଉପରେ କଲା କବଜା

1 min read

ଲେହ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକଚୁଆ କଣ୍ଟ୍ରୋଲ୍ (LAC) ଉପରେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେନା ପରେ ଏବେ ୩୦ଟି ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ( ITPB ) କର୍ମଚାରୀ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କାବୁ କରିଛନ୍ତି । ଏହି ଅଞ୍ଚଳଗୁଡିକ ବ୍ଲାକ ଟପ୍ ନିକଟବର୍ତ୍ତୀ । ଜଣାଇ ରଖୁଛୁ ଯେ, ଅଗଷ୍ଟ ୨୯ ଏବଂ ୩୦ରେ ଭାରତୀୟ ସେନା ରଣନୈତିକ ଦୃଷ୍ଟିରୁ ପିପୁଲ୍ସ ଲିବରେସନ୍ ଆର୍ମି (PLA) କୁ ପଛରେ ପକାଇ ଏକ ପ୍ରମୁଖ ପୋଷ୍ଟ (ବ୍ଲାକ୍ ଟପ୍) କବଜା କରିଥିଲା। କୁହାଯାଉଛି ଯେ ଏହି ସମୟ ମଧ୍ୟରେ ଭାରତୀୟ ସେନା ୪ କିଲୋମିଟର ଭିତରକୁ ଯାଇ ୫୦୦ ଚୀନ୍ ସୈନିକଙ୍କୁ ସେଠାରୁ ଘଉଡାଇ ଦେଇଥିଲା ।

ITBP ସମ୍ଭାଳିଲେ ମୋର୍ଚ୍ଚା

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଫୁରଚୁକ୍ ଲା ପାସ୍ ଦେଇ ITPB ଯବାନ ଆଗକୁ ବଢ଼ିଛନ୍ତି । ଏହି ସ୍ଥାନ ୪୯୯୪ ମିଟର ଉଚ୍ଚରେ ଅବସ୍ଥିତ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟରେ କାହାର କବଜା ନଥିଲା । ଏହାପୂର୍ବରୁ, ITPB ଯବାନମାନେ ପାଙ୍ଗଙ୍ଗ ହ୍ରଦର ଉତ୍ତରରେ ଥିବା ପ୍ୟାଡି ସିଂ ପୋଷ୍ଟରେ ଥିଲେ । ଏହି କ୍ଷେତ୍ର ଫିଙ୍ଗର ୨ ଏବଂ ୩ ନିକଟରେ ଅବସ୍ଥିତ । ITPBର IG ଏମଏସ ରାୱତ କହିଛନ୍ତି ଯେ, ‘ITPBର ଡିଜିପି ଏସ୍ ଡେସୱାଲ ଗତ ସପ୍ତାହରେ LAC ରେ ଏକ ସପ୍ତାହ  ଯବାନଙ୍କ ସହ ରହିଥିଲେ। ପ୍ରଥମ ଥର ପାଇଁ ଆମେ ଭଲ ସଂଖ୍ୟାରେ ଏହି ଶିଖରରେ ପହଞ୍ଚିଛୁ ।’ ଜଣାଇ ରଖୁଛୁ ଯେ, ରାୱତ ଡିଜିପି ଦେଶୱାଲଙ୍କ ସହିତ ସୀମାରେ ୬ ଦିନ ରହିଥିଲେ, ତାଙ୍କ ସହ ଆଇଜି (ପର୍ସନଲ) ଦଲଜିତ ଚୌଧୁରୀ ଏବଂ ଆଇଜି (ଲେହ) ଦୀପମ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ହେଲମେଟ୍ ଟପ୍ ଏବଂ ୟେଲୋ ବମ୍ପକୁ ଆର୍ମି, ITBP ଏବଂ ସ୍ପେଶଲ ଫ୍ରଣ୍ଟିୟର ଫୋର୍ସ କବଜା କରିନେଇଛି । ଚୀନର ପିପୁଲ୍ସ ଲିବରେସନ ଆର୍ମିର ଦକ୍ଷିଣ ପାର୍ଶ୍ୱରେ ସ୍ଥିତ ପୋଷ୍ଟ ୪୨୮୦, ପଶ୍ଚିମ ପାର୍ଶ୍ୱରେ ଥିବା ଦିଗିଙ୍ଗ୍ ଅଞ୍ଚଳ ଏବଂ ଚୁତୀ ଚାମଲା ଭାରତୀୟ ସୈନିକ ମାନଙ୍କଙ୍କ ଉପରେ କଡ଼ା ନଜର ରଖିଛି । କୁହାଯାଉଛି ଯେ, ପରିସ୍ଥିତିକୁ ଦେଖି ସରକାର ସେନାକୁ ଆକ୍ସନ ନେବା ପାଇଁ ସ୍ୱାଧୀନତା ଦେଇଛନ୍ତି । ବିଗତ ଚାରି ମାସ ହେବ LAC ରେ ସ୍ଥିତି ଗମ୍ଭୀର ହୋଇ ରହିଛି । ଚୀନର କାର୍ଯ୍ୟକଳାପକୁ ଦେଖି No First Move ନୀତିକୁ ବଦଳାଯାଇଛି । ଅପରପକ୍ଷେ, ଚୀନ ପୂର୍ବ ଲଦାଖରେ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି।

Leave a Reply