କଟକରେ କଡ଼ାକଡ଼ି କୋଭିଡ୍ ନିୟମ, ଦୁଇଟି ସ୍ୱତନ୍ତ୍ର ଟିମ୍‌ ରଖିଛନ୍ତି ନଜର

1 min read
Cuttack Lock Down

କଟକ: କଟକରେ କଡ଼ାକଡ଼ି ହେବ କୋଭିଡ୍ ନିୟମ । କରୋନା କଟକଣା ପାଳନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିୟମ ପାଳନ ଉପରେ ନଜର ରଖିବା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ଏଥିପାଇଁ ୨ଟି ଟିମ୍ ଗଠନ କରିଛନ୍ତି ସିଏମସି କମିଶନର । ଟିମ୍-ଏ’ରେ ଓ ଟିମ୍-ବି’ରେ ୪ ଜଣ ଲେଖାଏଁ ସଦସ୍ୟ ସାମିଲ୍ ହୋଇଛନ୍ତି । ଉଭୟ ଟିମର ନେତୃତ୍ୱ ୨ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି ।

ସୋମବାରଠୁ କଡ଼ାକଡ଼ି ଭାବେ କୋଭିଡ୍ ନିୟମ ପାଳନ ନେଇ ଏହି ଟିମ୍ ତଦାରଖ କରିବ । ବଜାର, ଧାର୍ମିକସ୍ଥଳୀ, ବିବାହ ଉତ୍ସବରେ ଭିଡ଼ ନକରିବାକୁ ପଦକ୍ଷେପ ନିଆଯାଉଛି । ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନରେ ଗହଳି ରୋକିବା ଦିଗରେ କାର୍ଯ୍ୟ କରାଯାଉଛି । ଜନସାଧାରଣ ଯେପରି ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବେ ସେନେଇ ଗୁରୁତ୍ୱ ଦିଆଯିବ । ମାଇକ୍ ଲଗାଇ ଲୋକଙ୍କୁ ସଚେତନ କରୁଛି ଜିଲ୍ଲା ପ୍ରଶାସନ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ କୋଭିଡ୍‌ ନିୟମ ଉଲଙ୍ଘନକାରୀଙ୍କ ଉପରେ ସ୍ୱତନ୍ତ୍ର ଟିମ୍ ନଜର ରଖିବ ।

ରବିବାର କରୋନା ଗାଇଡଲାଇନ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି SRC ପ୍ରଦୀପ ଜେନା । ଢାବା, ରେଷ୍ଟୁରାଣ୍ଟ, ହୋଟେଲଗୁଡିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବିଭିନ୍ନ ସ୍ଥାନକୁ ଯାଇ ତଦାରଖ କରିବେ ବୋଲି କୁହାଯାଇଛି । ସାଧାରଣ ସ୍ଥାନରେ ଗହଳି କରି ଖାଇବା ନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଂଘନ କଲେ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯିବ । ଶିକ୍ଷାନୁଷ୍ଠାନ ଉପରେ ସତର୍କ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବଜାର, ହାଟରେ ଏନେଇ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯିବ । ଧାର୍ମିକ, କ୍ରୀଡ଼ା ଓ ମନୋରଞ୍ଜନସ୍ଥଳିରେ ଭିଡ଼ ଏଡ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରରେ ପରିଷ୍କାର, ପରିଚ୍ଛନ୍ନତାକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷକ ଓ ସଂପୃକ୍ତ କର୍ତ୍ତୃପକ୍ଷ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବେ । ଶିକ୍ଷାନୁଷ୍ଠାନରେ ପାଠପଢ଼ା ବ୍ୟତୀତ ଅନ୍ୟ କିଛି କାର୍ଯ୍ୟକ୍ରମ ହେବନାହିଁ । ଗାଇଡଲାଇନ୍ ପାଳନ ସମ୍ପର୍କିତ ସାପ୍ତାହିକ ରିପୋର୍ଟ ଦେବାକୁ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନର ଓ ଏସପିଙ୍କୁ ଚିଠି ଲେଖାଯାଇଛି । ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢିବା ପରେ କରୋନା କଟକଣାକୁ କଡାକଡି ପାଳନ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply