ବାହାଘରର ୨ ଦିନ ପରେ ଆଖି ବୁଜିଲା ବର, ୧୦୦ ସଂକ୍ରମିତ

ପାଟନା: କରୋନା ସଂକ୍ରମଣର ବଡ଼ ମାମଲା । ବିବାହ ବେଦୀରୁ ବ୍ୟାପିଲା କରୋନା । ୧୦ ଦିନ ତଳେ ବିହାର ରାଜଧାନୀ ପାଟଣାରେ ଆୟୋଜିତ ବିବାହ ଉତ୍ସବ ସମସ୍ତଙ୍କ ନିଦ ହଜାଇ ଦେଇଛି । ବାହାଘରର ୨ ଦିନ ପରେ ଜ୍ୱରରେ କମ୍ପୁଥିବା ବରର ମୃତ୍ୟୁ ହୋଇଛି । ଆଉ ବିନା କୋଭିଡ୍ ଟେଷ୍ଟରେ ଶବକୁ ଦାହ କରି ଦେଇଛନ୍ତି ପରିବାର ଲୋକ । ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ଅଞ୍ଚଳକୁ କଣ୍ଟେନମେଣ୍ଟ କରି ଲୋକଙ୍କ ସ୍ୱାବ୍ ସଂଗ୍ରହ କରାଯାଇଛି । ୩୫୦ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଲେ ୧୦୦ ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ପାଟଣା ଠାରୁ ମାତ୍ର ୫୫ କିଲୋମିଟର ଦୂର ପଲ୍ଲୀଗଞ୍ଜରେ ଏହି ବିବାହ ଆୟୋଜିତ ହୋଇଥିଲା । ଗୁରୁଗ୍ରାମରେ ସଫ୍ଟୱେର ଇଞ୍ଜିନିୟର ଥିବା ଯୁବକ ଗତ ସପ୍ତାହରେ ବାହା ହେବାକୁ ଆସିଥିଲେ । ତିଲକ ସେରିମନି ପରେ ତାଙ୍କ ଠାରେ କରୋନାର ଲକ୍ଷଣ ଦେଖା ଦେଇଥିଲା । ଜୁନ୍ ୧୫ରେ ବାହାଘର ଥିବାବେଳେ ତାଙ୍କୁ ପ୍ରବଳ ଜ୍ୱର ହୋଇଥିଲା । ସେ ବିବାହକୁ ଘୁଞ୍ଚାଇବାକୁ ଚାହିଁଥିଲେ । କିନ୍ତୁ, ପରିବାର ଲୋକଙ୍କ କଥାରେ ବାଧ୍ୟ ହୋଇ ପାରାସିଟାମଲ୍ ଖାଇ ବସିଥିଲେ ବାହାବେଦୀରେ ।

୧୭ ତାରିଖରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକ ତାଙ୍କୁ ପାଟଣା ଏମ୍ସକୁ ନେବାବ ବାଟରେ ମୃତ୍ୟୁ ହୋଇଥିଲା । ତାପରେ କାହାକୁ କିଛି ନଜଣାଇ, କୋଭିଡ୍ ଟେଷ୍ଟ ନକରି ତାଙ୍କ ମୃତଦେହକୁ ସଂସ୍କାର କରି ଦେଇଥିଲେ ପରିବାର ଲୋକ । ସ୍ଥାନୀୟ ଅଞ୍ଚଳର କେହି ଜଣେ ସମସ୍ତ କଥା ପ୍ରଶାସନକୁ ଫୋନରେ ଅବଗତ କରାଇଥିଲେ । ପରେ ବିବାହରେ ସାମିଲ ହୋଇଥିବା ପରିବାର ଲୋକଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ଜୁନ୍ ୧୯ ତାରିଖରେ ୧୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ସଂକ୍ରମଣ ରୋକିବାକୁ ପ୍ରଶାସନ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଜୁନ୍ ୨୪ରୁ ୨୬ ମଧ୍ୟରେ ଉକ୍ତ ଗାଁରୁ ପ୍ରଶାସନ ୩୫୦ ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରିଛି । ସେଥି ମଧ୍ୟରୁ ଏଯାବତ୍ ୮୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଶାସନ ପଲ୍ଲୀଗଞ୍ଜ ବଜାରକୁ ସିଲ୍ କରି ଦେଇଥିବା ବିଡିଓ ସୂଚନା ଦେଇଛନ୍ତି । ପାଟଣା ଜିଲ୍ଲାରେ ଏଯାବତ୍ ୬୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି ।

Leave a Reply